ବିଶ୍ୱର ତୃତୀୟ ମହାଶକ୍ତି ହେବ ଭାରତ: ୧୦ ବର୍ଷରେ ଜର୍ମାନି, ଜାପାନକୁ ଟପିଯିବ

56

ଆଗାମୀ ୧୦ ବର୍ଷ ଭିତରେ ଭାରତ ହେବ ବିଶ୍ୱର ତୃତୀୟ ଅର୍ଥନୈତିକ ମହାଶକ୍ତି। ଜର୍ମାନି ଏବଂ ଜାପାନକୁ ପଛରେ ପକାଇ ଭାରତ ଆଗକୁ ବଢ଼ିଯିବ ବୋଲି ବ୍ରିଟେନ୍ର ବ୍ରୋକରେଜ୍ ସଂସ୍ଥା ଏଚଏସବିସି ଆକଳନ କରିଛି ।

ବର୍ତ୍ତମାନ ଭାରତ ଅର୍ଥନୀତିର ଆକାର ହେଉଛି ୨.୩ ଟ୍ରିଲିଅନ୍ ଡଲାର । ୨୦୨୮ ସୁଦ୍ଧା ଭାରତ ୭ ଟ୍ରିଲିଅନ୍ ଡଲାର ଅର୍ଥନୀତିରେ ପରିଣତ ହେବ । ସେହି ସମୟରେ ଜର୍ମାନି ଅର୍ଥନୀତିର ଆକାର ଭାରତଠାରୁ କମ୍ ଅର୍ଥାତ୍ ୬ ଟ୍ରିଲିଅନ୍ ଡଲାର ଏବଂ ଜାପାନ ଅର୍ଥନୀତିର ଆକାର ୫ ଟ୍ରିଲିଅନ୍ ଡଲାରରେ ରହିଥିବ। ୧ ଟ୍ରିଲିଅନ୍ ୧ ଲକ୍ଷ କୋଟି ସହ ସମାନ । ଏହି ସଫଳତା ପାଇବାକୁ ହେଲେ ଭାରତକୁ ସଂସ୍କାର ଜାରି ରଖିବାକୁ ପଡ଼ିବ ଏବଂ ସାମାଜିକ କ୍ଷେତ୍ର ଉପରେ ଅଧିକ ଗୁରୁତ୍ୱ ଦେବାକୁ ହେବ ।

ଏଚଏସବିସି ଏହାର ରିପୋର୍ଟରେ ଜଣାଇଛି ଯେ, ଭାରତର ସାମାଜିକ ପୁଞ୍ଜି ଯଥେଷ୍ଟ ନୁହେଁ । ଭାରତର ହିତ ଦୃଷ୍ଟିରୁ ସ୍ୱାସ୍ଥ୍ୟ ଏବଂ ଶିକ୍ଷାରେ ହେଉଥିବା ଖର୍ଚ ଯଥେଷ୍ଟ ନୁହେଁ । ଏହି ଦୁଇଟି ବିଷୟ ଦେଶର ଅର୍ଥନୈତିକ ଏବଂ ରାଜନୈତିକ ସ୍ଥିରତା ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏଚଏସବିସି ପକ୍ଷରୁ କୁହାଯାଇଛି । ଭାରତକୁ ତା’ର ବ୍ୟବସାୟ ବାତାବରଣକୁ ସହଜ କରିବା ଦିଗରେ ଆହୁରି କାମ କରିବାକୁ ପଡ଼ିବ । ବିଶେଷ କରି ଯେଉଁ ଚୁକ୍ତିଗୁଡ଼ିକ ସ୍ୱାକ୍ଷରିତ ହେଉଛି ତାହା କିଭଳି ସହଜରେ କାର୍ଯ୍ୟକାରୀ ହୋଇପାରିବ ସେ ଦିଗରେ ଭାରତକୁ ଗୁରୁତ୍ୱ ଦେବାକୁ ପଡ଼ିବ ।

ଭୌଗଳିକ ସ୍ଥିତି ଏବଂ ଅର୍ଥନୈତିକ ସ୍ଥିରତା ଭାରତର ସବୁଠୁ ବଡ଼ ଶକ୍ତି ବୋଲି ରିପୋର୍ଟରେ କୁହାଯାଇଛି । ନିଯୁକ୍ତି ସୁଯୋଗ ବିଷୟରେ ଏଚଏସବିସି ପକ୍ଷରୁ କୁହାଯାଇଛି ଯେ, କେବଳ ଇ-କମର୍ସ କ୍ଷେତ୍ରରେ ୧୨ ନିୟୁତ ନୂଆ ନିଯୁକ୍ତି ସୃଷ୍ଟି ହେବ । ଏହା ଦେଶର ୨୪ ନିୟୁତ ନିଯୁକ୍ତି ଆବଶ୍ୟକତାର ଅଧା ସହ ସମାନ । ସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ଭାରତରେ ଅନେକ କାମ ହେବା ବାକି ରହିଛି । ଯଦି ସରକାର ସେସବୁ ଉପରେ ଗୁରୁତ୍ୱ ପ୍ରଦାନ କରିବେ ତେବେ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ।

ଆଗାମୀ ଦିନରେ ମଧ୍ୟ ଭାରତ ଏକ ସେବା ଭିତ୍ତିକ ଅର୍ଥନୀତି ହୋଇରହିବ । ଦେଶର ଅଭିବୃଦ୍ଧିରେ ସେବା କ୍ଷେତ୍ରର ଅବଦାନ ଅଧିକ ରହିବ । କିନ୍ତୁ ସେହି ସମୟ ଭିତରେ ଭାରତକୁ ମାନୁଫାକ୍ଚରିଂ ଏବଂ କୃଷି କ୍ଷେତ୍ରର ଅଭିବୃଦ୍ଧି ବଢ଼ାଇବା ଦିଗରେ ଉଦ୍ୟମ କରିବାକୁ ପଡ଼ିବ ବୋଲି ଏଚ୍ଏସ୍ବିସି ଏହାର ରିପୋର୍ଟରେ ଉଲ୍ଲେଖ କରିଛି ।

ଭାରତ ଏବଂ ଚୀନ୍ର ଅର୍ଥନୀତି ଭିନ୍ନ ପ୍ରକାରର। ଚୀନ୍ ଯେଭଳି ରପ୍ତାନି ଉପରେ ନିର୍ଭରଶୀଳ, ଭାରତ ସେଭଳି ରାଷ୍ଟ୍ର ନୁହେଁ । ଭାରତର ବଡ଼ ଶକ୍ତି ହେଉଛି ଏହା ୫୫୦ ନିୟୁତ ଗ୍ରାହକ । ଭାରତକୁ ଅନେକ କ୍ଷେତ୍ରରେ ଭିନ୍ନତା ଆଣିବାକୁ ପଡ଼ିବ । ବ୍ୟବସାୟରେ ସୂଚନା ପ୍ରଯୁକ୍ତି ଏବଂ ଖେଳରେ କ୍ରିକେଟକୁ ବାଦ ଦେଇ ଅନ୍ୟ ସବୁ ବିଷୟରେ ଭାରତକୁ ଭାବିବାକୁ ପଡ଼ିବ ବୋଲି ରିପୋର୍ଟରେ କୁହାଯାଇଛି ।