ଦେଶର ସବୁଠାରୁ ବଡ ଆର୍ଥିକ ସଂସ୍କାରକୁ ପୂରିଲା ବର୍ଷେ: ସରକାର ପାଳିବେ ଜିଏସଟି ଦିବସ, ବିଜେପିର ଦାବି–ଦ୍ରବ୍ୟ ଓ ସେବାକର ସମସ୍ତଙ୍କ ପାଇଁ ଆଣିଛି ଆଶ୍ୱସ୍ତି

60

ଗତବର୍ଷ ଜୁଲାଇ ୧ ତାରିଖରୁ ଦେଶରେ ଜିଏସଟି କାର୍ଯ୍ୟକାରୀ ହୋଇଛି। ଚଳିତବର୍ଷ ଜୁଲାଇ ୧ରେ ଏହି ନୂଆ ଟିକସ ବ୍ୟବସ୍ଥାକୁ ବର୍ଷେ ପୂରଣ ହେଉଛି। ଏଥିପାଇଁ ସରକାର ଚଳିତବର୍ଷ ଜୁଲାଇ ୧କୁ ଜିଏସଟି ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଅବସରରେ ଆୟୋଜିତ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ମୁଖ୍ୟ ଅତିଥି ଭାବେ ଯୋଗଦେବେ ବୋଲି ଜଣାଯାଇଛି ।

ଦେଶରେ ସାମଗ୍ରୀ ଓ ସେବା ଟିକସ ବା ଜିଏସଟି କାର୍ଯ୍ୟକାରିତାକୁ ଆଜି ବର୍ଷେ ପୂରଣ ହେଉଛି। ଦୀର୍ଘଦିନର କସରତ ଏବଂ ବାବବିବାଦ ମଧ୍ୟରେ ଜିଏସଟି କାର୍ଯ୍ୟକାରୀ ହୋଇଛି । ଦେଶକୁ ଗୋଟିଏ ଟିକସ ଏବଂ ଗୋଟିଏ ବଜାର କରିବା ଲକ୍ଷ୍ୟରେ କାର୍ଯ୍ୟକାରୀ କରାଯାଇଥିବା ଏହି ନୂଆ ଟିକସ ବ୍ୟବସ୍ଥା ଲୋକଙ୍କୁ ଯେଉଁଭଳି ଲାଭ ଦେବା କଥା ତାହା ଦେଇନାହିଁ। ବରଂ ଲୋକଙ୍କଠାରୁ ଜିଏସଟି ନେଇଛି ବେଶି ଏବଂ ଦେଇଛି କମ୍। ଗ୍ରାହକ ଏବଂ ବ୍ୟବସାୟୀଙ୍କୁ ଏହା ନାନା ଅସୁବିଧାରେ ପକାଇଛି। ଦେଶରେ ଟିକସଦାତାଙ୍କ ସଂଖ୍ୟା ବୃଦ୍ଧି ପାଇଛି। ରାଜସ୍ୱ ଆଦାୟ ପରିମାଣ ବଢ଼ିଛି। ଟିକସ ଆଦାୟରେ ସ୍ୱଚ୍ଛତା ଆସିଛି ବୋଲି ସରକାର ଦାବି କରୁଥିଲେ ମଧ୍ୟ ଜିଏସଟି ବ୍ୟବସାୟୀମାନଙ୍କ ସମସ୍ୟା ବଢ଼ାଇ ଦେଇଛି। ଜିଏସଟି କାର୍ଯ୍ୟକାରୀ ହେଲେ ଦେଶରେ ବିଭିନ୍ନ ସାମଗ୍ରୀ ଓ ସେବାର ଦରଦାମ କମିବ ବୋଲି ଆଶା ସରକାର ଦେଖାଇଥିଲେ। ବର୍ଷେ ବିତି ଯାଇଥିଲେ ମଧ୍ୟ ଲୋକମାନେ ଦରଦାମ ହ୍ରାସର କୌଣସି ପ୍ରଭାବ ଏପର୍ଯ୍ୟନ୍ତ ଅନୁଭବ କରିପାରି ନାହାନ୍ତି। ବରଂ ଅନେକ ନିତ୍ୟ ବ୍ୟବହାର୍ୟ୍ୟ ସାମଗ୍ରୀର ଦରଦାମ ବଢ଼ି ଯାଇଛି। ଟେଲିଫୋନଠାରୁ ଆରମ୍ଭ କରି ବିଭିନ୍ନ ସେବା ମଧ୍ୟ ମହଙ୍ଗା ହୋଇଯାଇଛି।

ଜିଏସଟି କାର୍ଯ୍ୟକାରୀ ହେଲେ ବ୍ୟବସାୟୀମାନଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। କୌଣସି କାର୍ଯ୍ୟାଳୟରେ ସେମାନଙ୍କୁ ଲାଞ୍ଚ ଦେବାକୁ ପଡ଼ିବ ନାହିଁ। ଘରେ ବସି କମ୍ପ୍ୟୁଟରରେ ସେମାନେ ଟିକସ ପ୍ରଦାନ କରିବା ସହିତ ରିଟର୍ଣ୍ଣ ଫାଇଲ କରିପାରିବେ ବୋଲି ପ୍ରତିଶ୍ରୁତି ମଧ୍ୟ ସରକାର ଅଜାଡ଼ି ଦେଇଥିଲେ। କିନ୍ତୁ ଜିଏସଟି କାର୍ଯ୍ୟକାରୀ ହେବାର ଦୀର୍ଘଦିନ ପର୍ଯ୍ୟନ୍ତ ଆଇଟି ଭିତ୍ତିଭୂମିକୁ ସରକାର ଠିକ୍ କରିପାରିଲେ ନାହିଁ। ଯାହାଫଳରେ ରିଟର୍ଣ୍ଣ ଫାଇଲ କରିବା ଏବଂ ପଞ୍ଜୀକରଣ କରିବା ନେଇ ବ୍ୟବସାୟୀମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇ ଆସୁଛନ୍ତି। ତଳସ୍ତରର ଅଧିକାରୀମାନଙ୍କର ଜିଏସଟି ସମ୍ପର୍କରେ ଆବଶ୍ୟକ ଜ୍ଞାନ ରହୁନାହିଁ। ଫଳରେ ସେମାନେ ବ୍ୟବସାୟୀ ଉପଯୁକ୍ତ ସହାୟତା ଦେଇପାରୁ ନାହାନ୍ତି।

ବ୍ୟବସାୟୀଙ୍କ ମୁନାଫାଖୋର ମନୋବୃତ୍ତି ଉପରେ ରୋକ ଲଗାଇବା ପାଇଁ ଜିଏସଟି ଆଇନରେ ଆଣ୍ଟି ପ୍ରଫିଟିୟରିଂ କ୍ଲଜ୍ ରହିଥିଲେ ମଧ୍ୟ ଏହା କାମରେ ଆସୁନାହିଁ। ବ୍ୟବସାୟୀମାନେ ଗ୍ରାହକଙ୍କୁ ଟିକସ ହ୍ରାସର ଲାଭ ପ୍ରଦାନ କରୁଛନ୍ତି କି ନାହିଁ ତାହା ଯାଞ୍ଚ କରାଯାଉ ନାହିଁ। ଅଭିଯୋଗ ଆସିଲେ କର୍ତ୍ତୃପକ୍ଷ ପଦକ୍ଷେପ ନେବେ ବୋଲି କହିଦେଇ ହାତଝାଡ଼ି ବସି ପଡ଼ୁଛନ୍ତି। ଟିକସ ଠକେଇ ମଧ୍ୟ କମିଯିବ ବୋଲି ଯାହା କୁହାଯାଉଥିଲା ତାହା ଏପର୍ୟ୍ୟନ୍ତ ହୋଇପାରି ନାହିଁ। ନିକଟରେ ଧରା ପଡ଼ିଥିବା ୨ ହଜାର କୋଟି ଟଙ୍କାର ଟିକସ ଫାଙ୍କି ଏହାର ଜ୍ୱଳନ୍ତ ଉଦାହରଣ। ନକଲି ଇନ୍ଭଏସ୍ ମଧ୍ୟ ବ୍ୟବହୃତ ହେଉଛି। ଏପରିକି କେତେକ ରପ୍ତାନିକାରୀ ରପ୍ତାନି ନକରି ନକଲି ଇନଭଏସରେ ଟ୍ୟାକ୍ସ କ୍ରେଡିଟ୍ ମାଗୁଛନ୍ତି। ବେଆଇନ ରିଫଣ୍ଡ ଦାବି ବି ବଢ଼ିଛି। ଜିଏସଟି ବ୍ୟବସ୍ଥାରେ ସେହିଭଳି ଟିକସ ପ୍ରଦାନ ଠିକ୍ ଭାବେ ହେଉନାହିଁ। ପ୍ରାୟ ୧ କୋଟି ୧୧ ଲକ୍ଷ ସଂସ୍ଥା ଏହି ନୂଆ ଟିକସ ବ୍ୟବସ୍ଥାରେ ପଞ୍ଜୀକୃତ ହୋଇଥିଲେ ମଧ୍ୟ ଏମାନଙ୍କ ମଧ୍ୟରୁ ମାତ୍ର ୧% ସଂସ୍ଥା ୮୦ ଭାଗ ଟିକସ ଦେଉଛନ୍ତି।

କେତୋଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଜୁଲାଇ ୧, ୨୦୧୭: ଦେଶରେ ବିଧିବଦ୍ଧ ଭାବେ ଜିଏସଟି କାର୍ଯ୍ୟକାରୀ ହେଲା।

ଅଗଷ୍ଟ,୨୦୧୭: ଜିଏସଟି ପରିଷଦର ୨୦ତମ ବୈଠକରେ କେତେକ ଟ୍ରାକ୍ଟର ଯନ୍ତ୍ରାଂଶର ଜିଏସଟିକୁ ୨୮%ରୁ ୧୮%କୁ ଏବଂ ବୟନ ଶିଳ୍ପ ସାମଗ୍ରୀର ଜବ୍ କାମରେ

ଜିଏସଟି ହାରକୁ ୧୮%ରୁ ୫%କୁ କମାଇ ଦିଆଗଲା।

ନଭେମ୍ବର ୨୦୧୭: ନଭେମ୍ବରରେ ଗୌହାଟିଠାରେ ଅନୁଷ୍ଠିତ ଜିଏସ୍ଟି ପରିଷଦର ୨୩ତମ ବୈଠକରେ ଟିକସ ହାରରେ ବଡ଼ ଧରଣର ପରିବର୍ତ୍ତନ ଅଣାଯାଇଥିଲା। ୨୮ ପ୍ରତିଶତ ଟିକସ ବର୍ଗରେ କେବଳ ୫୦ଟି ସାମଗ୍ରୀ ରଖାଯାଇ ୧୭୮ଟି ସାମଗ୍ରୀକୁ ୧୮ ପ୍ରତିଶତକୁ କମାଇ ଦିଆଯାଇଥିଲା।

ଡିସେମ୍ବର ୨୦୧୭: ଇ-େଓ୍ଵ ବିଲ୍ ବ୍ୟବସ୍ଥାକୁ ଦେଶବ୍ୟାପୀ କାର୍ଯ୍ୟକାରୀ କରିବାକୁ ଜିଏସଟି ପରିଷଦର ମଞ୍ଜୁରି ।

ଜାନୁଆରି ୨୦୧୮: କମ୍ପୋଜିସନ୍ ସ୍କିମ୍ ଅଧୀନକୁ ଆସୁଥିବା ନିର୍ମାତାମାନଙ୍କ ପାଇଁ ନିୟମ କୋହଳ କରାଗଲା। ଏଥିସହିତ ଜିଏସଟି ପରିଷଦ ଏହାର ୨୫ତମ ବୈଠକରେ ୨୯ଟି ସାମଗ୍ରୀ ଓ ୫୩ଟି ବର୍ଗର ସେବାର ଟିକସ ହାରରେ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନେଲା।

ଫେବ୍ରୁଆରି ୨୦୧୮: ତତ୍କାଳୀନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟନ୍ ପେଟ୍ରୋଲିୟମ ଉତ୍ପାଦକୁ ଜିଏସ୍ଟି ଅଧୀନକୁ ଆଣିବା ଲାଗି ପରାମର୍ଶ ଦେଇଥିଲେ। ଏଥିସହିତ ଜିଏସଟିରେ ଟିକସ ହାରକୁ ଗୋଟିଏ କରିବା ଲାଗି ପରାମର୍ଶ ଦେଇଥିଲେ।

ମାର୍ଚ୍ଚ ୨୦୧୮: ପ୍ରସ୍ତାବିତ ଇ-ୱେ ବିଲ୍ ନିୟମକୁ ସରଳ କରାଗଲା। ରାଜ୍ୟ ମଧ୍ୟରେ ୫୦ ହଜାର ଟଙ୍କାର ମାଲ୍ ପରିବହନ ପାଇଁ ଇ-ୱେ ବିଲର ଅନାବଶ୍ୟକ ବୋଲି କୁହାଗଲା।

ଏପ୍ରିଲ ୨୦୧୮: ଦେଶରେ ରାଜ୍ୟ ରାଜ୍ୟ ମଧ୍ୟରେ ଇ-ୱେ ବିଲ୍ ଏପ୍ରିଲ ପହିଲାରୁ କାର୍ଯ୍ୟକାରୀ ହେଲା। କିନ୍ତୁ ରାଜ୍ୟ ଭିତରେ ଇ-ୱେ ବିଲକୁ ପର୍ଯ୍ୟାୟକ୍ରମେ ଏପ୍ରିଲ ୧୫ ତାରିଖରୁ କାର୍ଯ୍ୟକାରୀ କରାଗଲା।

ଜୁନ୍ ୨୦୧୮: ଦେଶରେ ଜିଏସଟିର ସଫଳ କାର୍ଯ୍ୟକାରିତାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା। ସଂଘୀୟ ଏକତାର ଏହା ଏକ ବଳିଷ୍ଠ ଉଦାହରଣ ବୋଲି ମୋଦି ମତଦେଲେ।