ଜିଏସଟିକୁ ପୁରିଲା ୨ ସପ୍ତାହ । ବଜାରରେ ଏବେବି ଦ୍ୱନ୍ଦ୍ୱ, ସମାନ ରହୁନି ମୂଲ୍ୟ

27

ଦେଶରେ ସାମଗ୍ରୀ ଏବଂ ସେବା ଟିକସ (ଜିଏସଟି) କାର୍ୟ୍ୟକାରୀ ହେଲେ ସମଗ୍ର ଭାରତ ଗୋଟିଏ ବଜାରରେ ପରିଣତ ହେବ । ମୂଲ୍ୟରେ କୌଣସି ଭିନ୍ନତା ରହିବ ନାହିଁ । ଜିଏସଟି ଦ୍ୱାରା ଗୋଟିଏ ଦେଶ, ଗୋଟିଏ ବଜାର ଏବଂ ଗୋଟିଏ ଟିକସ ପ୍ରଚଳନ ହେବ ବୋଲି ଜୋରଦାର ପ୍ରଚାର ସରକାର କରିଲେ । କିନ୍ତୁ ଜିଏସଟି କାର୍ଯ୍ୟକାରୀ ହେବାର ୨ ସପ୍ତାହ ପୂରଣ ହୋଇସାରିଥିଲେ ମଧ୍ୟ ମୂଳ ଲକ୍ଷ୍ୟ ଏ ପର୍ଯ୍ୟନ୍ତ ହାସଲ ହୋଇପାରି ନାହିଁ । ଫଳରେ ଗୋଟିଏ ଉତ୍ପାଦର ମୂଲ୍ୟ ଦେଶର ବିଭିନ୍ନ ବଜାରରେ ଭିନ୍ନ ଭିନ୍ନ ରହିଥିବା ବିଷୟ ଏବେ ସାମ୍ନାକୁ ଆସିଲାଣି ।

ପୂର୍ବରୁ ଦେଶରେ ଭାଟ୍ ବା ମୂଲ୍ୟଯୁକ୍ତ ଟିକସ କାର୍ଯ୍ୟକାରୀ ହେଉଥିଲା । ବିଭିନ୍ନ ରାଜ୍ୟରେ ଭାଟ୍ ହାର ଭିନ୍ନ ଭିନ୍ନ ରହିଥିଲା । ଏଥିସହିତ ରାଜ୍ୟ ଗୁଡ଼ିକ ବିଭିନ୍ନ ସ୍ଥାନୀୟ ଟିକସ ମଧ୍ୟ ଲାଗୁ କରୁଥିଲେ । ଫଳରେ ଗୋଟିଏ ଉତ୍ପାଦର ମୂଲ୍ୟ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ରହୁଥିଲା । ମୂଲ୍ୟରେ ଥିବା ପାର୍ଥକ୍ୟକୁ ଦୂର କରିବା ଉଦ୍ଦେଶ୍ୟରେ ଦେଶରେ ଜିଏସଟି ଲାଗୁ କରାଗଲା । କିନ୍ତୁ ଜିଏସଟି କାର୍ୟ୍ୟକାରୀ ହେବାର ୧୫ ଦିନ ବିତିବାକୁ ବସିଥିଲେ ମଧ୍ୟ ଉତ୍ପାଦ ମୂଲ୍ୟରେ ସମାନତା ଆସି ପାରିନାହିଁ ।

ଏକ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଗୋଟିଏ ନିର୍ଦ୍ଦିଷ୍ଟ ବ୍ରାଣ୍ଡ୍ ଅଟାର ମୂଲ୍ୟ (୧୦ କିଗ୍ରା ପ୍ରତି) ଓଡ଼ିଶାରେ ୩୩୪ ଟଙ୍କା ଥିବାବେଳେ ଆଣ୍ଡାମାନରେ ଏହା ୪୨୦ ଟଙ୍କାରେ, ଥିରୁଭାନନ୍ତପୁରମରେ ୪୪୦ ଟଙ୍କାରେ ବିକ୍ରି ହେଉଛି । କିନ୍ତୁ ଏହି ଅଟା ପଞ୍ଜାବରେ ୩୨୦ ଟଙ୍କାରେ ମିଳୁଛି । କେବଳ ଅଟା ନୁହେଁ ହୋମ୍ ଆପ୍ଲାଏନସେସଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର୍ଯ୍ୟ ଅନ୍ୟ ସାମଗ୍ରୀ ସହିତ ନିର୍ମାଣ ସାମଗ୍ରୀର ମୂଲ୍ୟରେ ମଧ୍ୟ ପାର୍ଥକ୍ୟ ରହୁଛି ।

ତେବେ ମୂଲ୍ୟରେ ରହୁଥିବା ଏହି ପାର୍ଥକ୍ୟକୁ ନେଇ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ବୋଲି କେତେକ ବିଶେଷଜ୍ଞ ମତ ଦେଇଛନ୍ତି । ଡେଲଏଟ୍ ଇଣ୍ଡିଆର ପାର୍ଟନର (ମ୍ୟାନେଜମେଂଟ କନସଲଟିଂ) ରଜତ ଓ୍ଵାହି କହିଛନ୍ତି ନୂଆ ଟିକସ ବ୍ୟବସ୍ଥାକୁ ନେଇ ଏବେ ବି ଅନେକ ଲୋକ ଦ୍ୱନ୍ଦ୍ୱରେ ରହିଛନ୍ତି । ମୂଲ୍ୟରେ ସମାନତା ଆସିବା ଲାଗି ଦୁଇ ତିନି ମାସ ସମୟ ଲାଗିଯିବ ବୋଲି ସେ ମତ ଦେଇଛନ୍ତି । ନୂଆ ଟିକସ ବ୍ୟବସ୍ଥାକୁ କାର୍ୟ୍ୟକାରୀ କରିବା ପାଇଁ ସରକାର ବର୍ଷେରୁ ଅଧିକ ସମୟ କେବଳ ପ୍ରସ୍ତୁତି ଚଳାଇଥିଲେ । ଏହା ସତ୍ତ୍ୱେ ନୂଆ ଟିକସକୁ ନେଇ ଅନେକ ଏବେ ଦ୍ୱନ୍ଦ୍ୱରେ ରହିଛନ୍ତି ।

ଓ୍ଵାହି କହିଛନ୍ତି ଯେ, ମୂଲ୍ୟରେ ପାର୍ଥକ୍ୟ କେବଳ ରାଜ୍ୟ ରାଜ୍ୟ ମଧ୍ୟରେ ରହିନାହିଁ ରାଜ୍ୟ ଭିତରେ ବିଭିନ୍ନ ସହରରେ ବି ମୂଲ୍ୟରେ ପାର୍ଥକ୍ୟ ରହୁଛି । ରିପୋର୍ଟ ଅନୁଯାୟୀ ସମାନ ବ୍ରାଣ୍ଡ୍ ଅଟା ମୂଲ୍ୟ କୋଚିରେ ୪୨୦ ଟଙ୍କା ରହିଥିବାବେଳେ ଥିରୁଭାନନ୍ତପୁରମରେ ୪୪୦ ଟଙ୍କା ରହିଛି । ଅନେକ କାରଣ ଯୋଗୁଁ ମୂଲ୍ୟରେ ଏହି ପାର୍ଥକ୍ୟ ରହିଛି ବୋଲି କୁହାଯାଉଛି । ପ୍ରଥମତଃ ବ୍ୟବସାୟୀଙ୍କ ପାଖରେ ଏବେ ବି ପୁରୁଣା ମାଲ୍ ମହଜୁଦ ରହିଛି । ଦ୍ୱିତୀୟତଃ ଅନେକ କମ୍ପାନି ଜିଏସଟି ଅନୁଯାୟୀ ନୂଆ ମୂଲ୍ୟ ନିର୍ଦ୍ଧାରଣ କରିନାହାନ୍ତି । ଫଳରେ ବ୍ୟବସାୟୀମାନେ ପୁରୁଣା ସାମଗ୍ରୀକୁ ପୁରୁଣା ମୂଲ୍ୟରେ ବିକ୍ରି କରୁଛନ୍ତି । ମୂଲ୍ୟରେ ଭିନ୍ନତା ରହିବାର ଅନ୍ୟ ଏକ କାରଣ ହେଲା ବ୍ୟବସାୟୀମାନେ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ (ଆଇଟିସି) ସମ୍ପର୍କରେ ଏବେ ବି ସ୍ପଷ୍ଟ ନାହାନ୍ତି ।

ଜିଏସଟି ପାଇଁ ସରକାର ସହାୟତା ଡେସ୍କଠାରୁ ଆରମ୍ଭ କରି ଅନ୍ୟାନ୍ୟ ପରାମର୍ଶ ସେବା ଯୋଗାଇ ଦେଉଥିଲେ ମଧ୍ୟ ବ୍ୟବସାୟୀମାନେ ନୂଆ ବ୍ୟବସ୍ଥାକୁ ଯିବା ପାଇଁ ଅଧିକ ସମୟ ମାଗୁଛନ୍ତି । ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲଓ୍ଵାଲ କହିଛନ୍ତି, ନୂଆ ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ୯ ମାସ ସମୟ ଦିଆଯିବା ଉଚିତ । ଏହି ସମୟ ମଧ୍ୟରେ ବ୍ୟବସାୟୀମାନଙ୍କୁ ଦଣ୍ଡିତ କରାଯିବା ଉଚିତ ନୁହେଁ । ସେହିଭଳି କେପିଏମଜି ଇଣ୍ଡିଆର ପାର୍ଟନର (ପରୋକ୍ଷ ଟିକସ) ସଚିନ ମେନନ୍ କୁହନ୍ତି, ସଚେତନତାର ଅଭାବ ହିଁ ଏହାର ମୁଖ୍ୟ କାରଣ । ଏତଦବ୍ୟତୀତ କେତେକ ବ୍ୟବସାୟୀ ଯଦିଓ ଜାଣିଛନ୍ତି ଜିଏସଟିରେ କେଉଁ ସବୁ ସାମଗ୍ରୀ ଶସ୍ତା ହେବ ତଥାପି ନୂଆ ଆଇନକୁ ନେଇ ଦେଖାଦେଇଥିବା ଦ୍ୱନ୍ଦ୍ୱ ଫାଇଦା ନେଉଥିବାରୁ ମୂଲ୍ୟରେ ଏଭଳି ପାର୍ଥକ୍ୟ ରହୁଛି ।