ଖେଳ ପଡିଆରେ ରାମ-ଭରତ ମିଳନ ! ୯ ବର୍ଷ ପରେ ଭୁଲ ସୁଧାରିଲେ ଭାରତୀୟ ଦଳର ପୂର୍ବତନ ଖେଳାଳୀ, ସର୍ବ ସମ୍ମୁଖରେ ମାଷ୍ଟର ବ୍ଲାଷ୍ଟରଙ୍କ ପାଦ ଛୁଇଁଲେ କାମ୍ବଲୀ

59

ଟିମ ଇଣ୍ଡିଆର ପୂର୍ବତନ ଖେଳାଳୀ ବିନୋଦ କାମ୍ବଲୀ ଏବଂ ମାଷ୍ଟର ବ୍ଲାଷ୍ଟର ସଚ୍ଚିନ ତେନ୍ଦୁଲକରଙ୍କ ଆପୋଷ ବିବାଦ ବିଷୟରେ କିଏ ନ ଜାଣେ । କିନ୍ତୁ ୯ ବର୍ଷ ପରେ ଦୁହିଁଙ୍କ ଭିତରେ ସବୁକିଛି ଠିକ ହେଲାଭଳି ପ୍ରତୀତ ହେଉଛି । ଏକ ଟି-୨୦ ମ୍ୟାଚ ଚାଲିଥିବାବେଳେ କାମ୍ବଲି ଅତିଥି ହୋଇ ଆସିଥିବା ନିଜ ପିଲାବେଳ ବନ୍ଧୁ ତଥା ସହ-ଖେଳାଳୀ ସଚ୍ଚିନ ତେନ୍ଦୁଲକରଙ୍କ ପାଦ ଛୁଇଁଥିଲେ । ଏହି ମ୍ୟାଚକୁ ଦେଖିବାକୁ ପୂର୍ବତନ ଖେଳାଳୀ ସୁନିଲ ଗାଭାଷ୍କର ମଧ୍ୟ ଆସିଥିଲେ । ଏହି ଲିଗରେ କାମ୍ବଲିଙ୍କ ଟିମ ଶିବାଜୀ ପାର୍କ ଲାୟନ୍ସ ଫାଇନାଲରେ ମୁମ୍ବାଇ ନର୍ଥ ଇଷ୍ଟକୁ ୩ ରନରେ ହରାଇଥିଲା । ଏହାପରେ ଷ୍ଟେଜକୁ ହାରିଥିବା ଟିମକୁ ଡାକିବାପରେ କାମ୍ବଲି ଷ୍ଟେଜ ଉପରକୁ ଯାଇ ତେନ୍ଦୁଲକରଙ୍କ ପାଦ ଛୁଇଁବା ସମୟରେ ସଚ୍ଚିନ ତାଙ୍କୁ ଆଲିଙ୍ଗନ କରିଥିଲେ ।

ସୁଚନା ମୁତାବକ, କାମ୍ବଲି ସଚ୍ଚିନଙ୍କ ବ୍ୟବହାରକୁ ନେଇ ପ୍ରଶ୍ନ ଉଠାଇଥିଲେ । ସଚ୍ଚିନ ତାଙ୍କର କୌଣସି ମେସେଜର ଉତ୍ତର ନଦେବା ଏବଂ କ୍ରିକେଟରୁ ଅବସର ନେବା ସମୟରେ ଫେରୱେଲ ପାର୍ଟିରେ ତାଙ୍କୁ ଆମନ୍ତ୍ରଣ ନ କରିବା ଇତ୍ୟାଦି ।

ଏହି ପୁରା ଘଟଣା ୨୦୦୯ ମସିହାରେ ଆସିଥିବା ଏକ ରିୟଲିଟି ଶୋ ‘ସଚ କେ ସାମନା’ରୁ ଆରମ୍ଭ ହୋଇଥିଲା । କାମ୍ବଲି ଏହି ଶୋ ରେ କହିଥିଲେ ସଚ୍ଚିନ ତାଙ୍କର ପିଲାବେଳର ସାଙ୍ଗ କିନ୍ତୁ କ୍ରିକେଟରେ ଯେତେବେଳେ ତାଙ୍କର ଖରାପ ସମୟ ଚାଲିଥିଲା ସେତେବେଳେ ସଚ୍ଚିନ ତାଙ୍କର କୌଣସି ସାହାର୍ଯ୍ୟ କରିନଥିଲେ । ସଫଳତା ପାଇବା ପରେ ସେ ପିଲାଦିନର ସାଙ୍ଗକୁ ଭୁଲିଯାଇଥିବା କଥା ସେ କହିଥିଲେ । ଏହି ଶୋ’କୁ ଯିବା ପାଇଁ କାମ୍ବଲିଙ୍କୁ ୧୦ ଲକ୍ଷ ଟଙ୍କା ମିଳିଥିଲା ।

କହିରଖୁଛୁ ଯେ କାମ୍ବଲି ଏବଂ ସଚ୍ଚିନ ଦୁହେଁ ଗୋଟିଏ ସ୍କୁଲରେ ପାଠ ପଢିବା ସହ ସ୍କୁଲରୁ ହିଁ କ୍ରିକେଟ ପାଇଁ ସିଲେକ୍ଟ ହୋଇଥିଲେ । କିନ୍ତୁ ଏହି ଦୌଡରେ କାମ୍ବଲିଙ୍କୁ ପଛରେ ପକାଇ ସଚ୍ଚିନ ଆଗକୁ ବଢିଥିଲେ ।