ଓଡ଼ିଶାର କାହାଣୀ ! ଓଡ଼ିଆଙ୍କ କଥା

172

ଓଡ଼ିଶା । ପରିସୀମା ଦୃଷ୍ଟିରୁ ନବମ ଓ ଜନସଂଖ୍ୟା ଦୃଷ୍ଟିରୁ ଦେଶର ୧୧ତମ ବୃହତମ ରାଜ୍ୟ । ୩ କୋଟି ୩୨ ଲକ୍ଷ ଲୋକଙ୍କ ଭାଷା ଓଡ଼ିଆ । ଓଡ଼ିଆ ଭାଷା ପାଇଛି ଶାସ୍ତ୍ରୀୟ ଭାଷାର ମାନ୍ୟତା । ଆଜି ଆମେ ଯେଉଁ ଓଡ଼ିଶା ଓ ଓଡ଼ିଆ ଭାଷା ସଂପର୍କରେ କହୁଛେ, ଏହାର ଜନ୍ମ ଓ କ୍ରମ ବିକାଶ ଏତେ ସହଜ ନଥିଲା । ଏହାର ସ୍ୱତନ୍ତ୍ରତା ଏତେ ସହଜରେ ଉପଲବ୍ଧ ହୋଇନଥିଲା । ଏହି ମାଟିର ଅନେକ ବୀର ସନ୍ତାନ ଏଥିପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି । ମାଟିର ସ୍ୱତନ୍ତ୍ରତା ରକ୍ଷା ପାଇଁ ସଂଗ୍ରାମ କରିଛନ୍ତି, ସଂଘର୍ଷ କରିଛନ୍ତି । ହେଲେ କିପରି ଥିଲା ଓଡ଼ିଶାର ଇତିହାସ?

ଅଶୋକଙ୍କ ଆକ୍ରମଣ ପରେ ଏହି ମାଟିର ମେରୁଦଣ୍ଡ ଭାଙ୍ଗି ଯାଇଥିଲା । ତେବେ ସମ୍ରାଟ ଖାରବେଳଙ୍କ ଉଦ୍ୟମ ପୁଣି ଥରେ ଭାରତ ଇତିହାସରେ ଏହି ମାଟି ଗୌରବାନ୍ୱିତ ହୋଇଥିଲା । ଉତ୍ତରରୁ ଦକ୍ଷିଣ ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ଲମ୍ବିଥିଲା ଏହାର ସୀମା । ହେଲେ ପରବର୍ତ୍ତି ସମୟରେ ପୁଣି ଖଣ୍ଡ ବିଖଣ୍ଡିତ ହୋଇ ଯାଇଥିଲା ଉତ୍କଳ ଭୂଇଁ । ମୋଗଲ ଓ ମରହଟ୍ଟାଙ୍କ କବଜାରେ ଧିରେ ଧିରେ ହରାଇଥିଲା ଗୌରବ । ମାତ୍ର ଇଂରେଜ ହାତକୁ ଶାସନ ଗଲା ପରେ ଶୋଚନୀୟ ହୋଇଯାଇଥିଲା ସ୍ଥିତି । ବିପନ୍ନ ହୋଇପଡିଥିଲା ଅଖଣ୍ଡତା ଓ ସଂକଟ ଭିତରକୁ ଠେଲି ହୋଇ ଯାଇଥିଲା ଓଡ଼ିଆ ଭାଷା ।

ଓଡ଼ିଆ ସଂସ୍କୃତି, ଭାଷା ଉପରେ ସଂକଟ ଘନେଇ ଆସିବା ପରେ ଆରମ୍ଭ ହେଲା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଲାଗି ଆନ୍ଦୋଳନ । ଆନ୍ଦୋଳନକୁ ସଂଗଠିତ ଓ ଜୋରଦାର କରିବାକୁ ୧୯୦୩ ମସିହା ଡିସେମ୍ବର ମାସରେ ଜନ୍ମ ନେଲା ଉକ୍ରଳ ସମ୍ମିଳନୀ । କଟକର ଇଦଗା ପଡିଆରେ ଏହାର ପ୍ରଥମ ଅଧିବେଶନ ଅନୁଷ୍ଠିତ ହେଲା । ଏହି ଅଧିବେଶନରେ ଅଧ୍ୟକ୍ଷତା କଲେ ମୟୂରଭଂଜ ମହାରାଜ ଶ୍ରୀ ରାମଚନ୍ଦ୍ର ଭଂଜଦେଓ । ବିଚ୍ଛିନ୍ନ ଓଡ଼ିଆ ଭାଷାଭାଷୀ ଅଂଚଳର ଏକତ୍ରୀକରଣ, ଓଡ଼ିଆ ଭାଷାର ସୁରକ୍ଷା ଓ ଓଡ଼ିଆମାନଙ୍କ ସ୍ୱାର୍ଥରକ୍ଷା ହେଲା ଉକ୍ରଳ ସମ୍ମିଳନୀର ମୂଳଲକ୍ଷ୍ୟ ଓ ଉଦ୍ଦେଶ୍ୟ । ପାରଳାଖେମୁଣ୍ଡି ମହାରାଜ କୃଷ୍ଣଚନ୍ଦ୍ର ଗଜପତି ଦେବ, ଅନ୍ୟ ଗଡଜାତ ରାଜା ଏବଂ ଉକ୍ରଳ ଗୌରବ ମଧୁସୂଦନ ଦାସ, ଉକ୍ରଳମଣୀ ଗୋପବନ୍ଧୁ ଦାଶ, ପଣ୍ଡିତ ନୀଳକଣ୍ଠ ଦାସ, ଗୋଦାବରୀଶ ମିଶ୍ର, ଭକ୍ତକବି ମଧୁସୂଦନ ରାଓ, ପଲ୍ଲୀକବି ନନ୍ଦକିଶୋର ବଳ, ଭାଷାକୋଷ ପ୍ରଣେତା ଗୋପାଳଚନ୍ଦ୍ର ପ୍ରହରାଜ ଆଦି କବି, ଲେଖକ, ଓକିଲ ସ୍ୱତନ୍ତ୍ର ପ୍ରଦେଶ ଲାଗି ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଲେ । ଏହାପରେ ୧୯୧୨ରେ ‘ବଙ୍ଗ ବିହାର ଓଡ଼ିଶା’ ପ୍ରଦେଶରୁ ଅଲଗା ହୋଇ ‘ବିହାର ଓଡ଼ିଶା’ ନାମରେ ନୂତନ ପ୍ରଦେଶ ସୃଷ୍ଟି ହେଲା । ଏହିଠାରୁ ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ ଲାଗି ମୂଳଦୁଆ ପଡିଥିଲା ।

୧୯୩୧ ମସିହା ଜାନୁଆରୀ ୧୬ ତାରିଖରେ ପ୍ରଥମ ଗୋଲ ଟେବୁଲ ବୈଠକ ଅନୁଷ୍ଠିତ ହୋଇଥିଲଏା । ଆଲୋଚନାର ବିଷୟବସ୍ତୁ ଥିଲା ଭାରତର ଶାସନ ସଂସ୍କାର । ମଧୁସୂଦନ ଦାସଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବାରୁ ଏଥିରେ ପ୍ରତିନିଧିତ୍ୱ କରିଥିଲେ ପାରଳାଖେମୁଣ୍ଡି ମହାରାଜ କୃଷ୍ଣଚନ୍ଦ୍ର ଗଜପତି ଦେବ । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଲାଗି ପ୍ରଥମ ଗୋଲଟେବୁଲ ବୈଠକରେ ଦୃଢ ଯୁକ୍ତି ଉପସ୍ଥାପନ କରିବା ସହ ସ୍ମାରକପତ୍ର ଦେଇଥିଲେ କୃଷ୍ଣଚନ୍ଦ୍ର ଗଜପତି । ଏହାକୁ ଗ୍ରହଣ କରି ପ୍ରସ୍ତାବିତ ଓଡ଼ିଶାର ସୀମା ନିର୍ଦ୍ଧାରଣ ପାଇଁ ତକ୍ରାଳୀନ ବ୍ରିଟିଶ ଇଣ୍ଡିଆ ସରକାର ଗଠନ କରିଥିଲେ ଓଡୋନିଲ କମିଟି । ହେଲେ ସାର ଏସ୍. ଓଡନେଲ୍ଙଙ୍କ ଅଧ୍ୟକ୍ଷତା ଗଠିତ କମିଟି ଓଡ଼ିଶା ପାଇଁ ସୁବିଚାର କଲେ ନାହିଁ । ବିହାର ସିଂହଭୂମ ସଦର, ମଧ୍ୟପ୍ରଦେଶର ବିଳାସପୁର ଓଡ଼ିଆ ଭାଷାଭାଷୀ ଅଂଚଳ ସମେତ ଦକ୍ଷିଣରେ ଥିବା ଜୟପୁର ଜମିଦାରୀ ଓ ପାରଳାଖେମୁଣ୍ଡି ଜମିଦାରୀ ଆଦି ଅଂଚଳକୁ ଓଡ଼ିଶାରୁ ବାଦ ଦେଲେ । ଓଡୋନେଲ କମିଟିର ପାତରଅନ୍ତର ନିଷ୍ପତିର କଡ଼ା ବିରୋଧ କଲା ଉତ୍କଳ ସମ୍ମିଳନୀ । ଜଏଣ୍ଟ ପାର୍ଲିଆମେଣ୍ଟାରୀ କମିଟି ଏହି ଅନ୍ୟାୟର ପୁନର୍ବିଚାର କିଛି ଅଂଚଳକୁ ଓଡ଼ିଶାକୁ ପ୍ରଦାନ କଲେ । ଏହିପରି ଭାବରେ ସୀମା ସରହଦ ସ୍ଥିର ହେବା ପରେ ୧୯୩୬ ମସିହା ଜାନୁଆରୀ ପହିଲାରେ ବ୍ରିଟିଶ ପାର୍ଲିଆମେଂଟରେ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଅର୍ଡର (କନଷ୍ଟିଚ୍ୟୁସନ ଅଫ୍ ଓଡ଼ିଶା) ବିଲ୍ ଗୃହିତ ହେଲା ।

ଏହି ନିର୍ଦ୍ଦେଶନାମା ପ୍ରକାଶ ପାଇବା ପରେ ୧୯୩୬ ଏପ୍ରିଲ ପହିଲାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେଲା । ଏହା ଥିଲା ଭାରତର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ।