ଏଣିକି ବୃଦ୍ଧ ବାପାମାଆଙ୍କୁ ମିଳିବ ପୂରା ସୁରକ୍ଷା । ପ୍ରତି ସପ୍ତାହରେ ଘରକୁ ଯାଇ ହାଲଚାଲ୍ ପଚାରି ବୁଝିବେ ପୁଲିସ ଅଧିକାରୀ । ଆବଶ୍ୟକ ପଡିଲେ ଅସହାୟ ବାପାମାଙ୍କୁ ଜଗିବେ ସୁରକ୍ଷାକର୍ମୀ

69

ନିକଟ ଅତୀତରେ ଅସହାୟ ବୃଦ୍ଧ ବାପାମାଆଙ୍କ ପ୍ରତି ନିଜ ଜନ୍ମକଲା ସନ୍ତାନମାନେ ଦେଉଥିବା ଅକଥନୀୟ ଅତ୍ୟାଚାର ଭଳି ଅନେକ ମାମଲା ସାମ୍ନାକୁ ଆସିଛି । କେଉଁଠି ସଂପତି ଲୋଭର ବଶର୍ତ୍ତି ହୋଇ କିଏ ନିଜର ଜନ୍ମକଲା ବାପାମାଙ୍କୁ ଘରୁ ତଡିଦେଲାଣି ତ ପୁଣି କିଏ ଜୀବନରୁ ମାରି ଦେଲାଣି । ତେବେ ଅସହାୟ ବାପାମାଆଙ୍କ ପ୍ରତି ହେଉଥିବା ଏଭଳି ଅନ୍ୟାୟ ଓ ଅତ୍ୟାଚାରକୁ ଦୃଷ୍ଟିରେ ରଖି ହରିୟାଣା ପୁଲିସ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛି । ଯେଉଁଥିରେ ସେମାନଙ୍କୁ ପୂରା ସୁରକ୍ଷା ମିଳିବା ସହ ପ୍ରତିଟି ଭଲମନ୍ଦ ଖବର ରଖିବେ ପୁଲିସ୍ କର୍ମୀ ।

ସୂଚନା ମୁତାବକ, ହରିୟାଣାର ସମସ୍ତ ଥାନାମାନଙ୍କରେ ସିନିୟର ସିଟିଜେନଙ୍କ ପାଇଁ ଏକ ନିଆରା ଅଭିଯାନ ଆରମ୍ଭ କରାଯାଇଛି । ତେବେ ସମସ୍ତ ଥାନାରେ ଅଭିଯୋଗ କରୁଥିବା ଅସହାୟ ବୃଦ୍ଧ ବାପାମାଆଙ୍କର ଏକ ତାଲିକା ମଧ୍ୟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାପରେ ପୁଲିସକର୍ମୀମାନେ ପ୍ରତି ସପ୍ତାହରେ ସେମାନଙ୍କୁ ଭେଟି ତାଙ୍କର ହାଲଚାଲ ପଚାରି ବୁଝିବେ । ଏଥିସହିତ ହିଁ ଗମ୍ଭୀର ମାମଲାରେ ସେମାନଙ୍କ ପାଇଁ ସୁରକ୍ଷାକର୍ମୀଙ୍କୁ ବି ନିୟୋଜିତ କରାଯିବ ।

ତେବେ ହରିୟାଣାର ରୋହତକ ଜିଲ୍ଲାର ଏସପି ଜଶନଦୀପ ସିଂହ ରନ୍ଧୱା ଏସଂପର୍କରେ ସମସ୍ତ ଥାନାକୁ ଏକ ନୋଟିସ୍ ପଠାଇଛନ୍ତି । ଏସପି ଜଶନଦୀପ ସିଂହଙ୍କ କହିବା ମୁତାବକ, ଗତ କିଛି ଦିନ ହେଲା ବୃଦ୍ଧ ବାପାମାଆଙ୍କୁ ସହ ମାରପିଟ୍ ଏବଂ ହଇରାଣ କରିବା ଭଳି ମାମଲା ସାମ୍ନାକୁ ଆସିଛି । ବୃଦ୍ଧ ବାପାମାଙ୍କୁ ହଇରାଣ ହରକତ କରିବା ଭଳି ମାମଲାରେ ଅଧିକତର ପରିବାରର ହିଁ ସଦସ୍ୟମାନେ ହୋଇଥାନ୍ତି । ତେବେ ପୁଲିସ୍ ଏଭଳି ମାମଲାରେ ତତକାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।

ଏସପି ଜଶନଦୀପ ଆହୁରୀ ମଧ୍ୟ କହିଛନ୍ତି, ଏଭଳି ପ୍ରକାରର ମାମଲାକୁ ଦୃଷ୍ଟିରେ ରଖି ସମସ୍ତ ଥାନାକୁ ଏନେଇ ନୋଟିସ୍ ପଠାଯାଇଛି । ଯେଉଁଥିରେ କୁହାଯାଇଛି କି, ଅସୁବିଧାରେ ଥିବା ବୃଦ୍ଧ ବାପାମାଆ, ଅସହାୟ ମହିଳା ବା ପୁରୁଷଙ୍କର ଏକ ତାଲିକା ପ୍ରସ୍ତୁତ କରାଯିବ ଏବଂ ଅଭିଯୋଗ ପରେ ଉଭୟ ଅଭିଯୋଗକାରୀ ଏବଂ ପରିବାର ଲୋକଙ୍କ ମଧ୍ୟରେ ମିମାଂସା କରିବାକୁ ଚେଷ୍ଟା କରାଯିବ । ଏଥିସହିତ ହିଁ ସମୟ ସମୟରେ ତାଙ୍କୁ ଭେଟି ତାଙ୍କର ସମସ୍ୟା ସଂପର୍କରେ ବୁଝାଯିବ । ଯଦି ଉଭୟଙ୍କ ମଧ୍ୟରେ ସେଭଳି କୌଣସି ପରିବର୍ତ୍ତନ ନଆସେ ତେବେ ଉକ୍ତ ପରିବାର ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।