ସହଜରେ ମିଳିନପାରେ ମୋବାଇଲ ସିମ୍ ! ସରକାରଙ୍କ ନୂଆ କଟକଣା, ଜାଣନ୍ତୁ କେବେଠାରୁ ଲାଗୁ ହେବ ଏହି ବ୍ୟବସ୍ଥା

40

ଭାରତୀୟ ବରିଷ୍ଠ ପରିଚୟ ପ୍ରାଧିକରଣ ତଥା ୟୁଆଇଡିଏଆଇ ତରଫରୁ ୧୫ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଯାଉଛି ଆଧାର କାର୍ଡକୁ ନେଇ ଏକ ନୂଆ ପ୍ରକ୍ରିୟା । ଯେଉଁଥିରେ ମୋବାଇଲ ସିମ କିଣିଲେ ଗ୍ରାହକଙ୍କୁ ଫିଙ୍ଗର ପ୍ରିଂଟ ନୁହେଁ ବରଂ ଚେହେରା ଦେଖାଇବା ପଡିବ । ଏଥିସହିତ ହିଁ ଆଖି କିମ୍ବା ଟିପ ଚିହ୍ନର ବିକଳ୍ପ ମଧ୍ୟ ରହିବ ।

ସୂଚନା ମୁତାବକ, ସାଧାରଣତଃ ଆଧାର ଯାଞ୍ଚ ବେଳେ କିଛି ଲୋକଙ୍କର ଟିପ ଚିହ୍ନ ବେଳେବେଳେ ଚିହ୍ନଟ ହୋଇପାରିନଥାଏ । ବୟସ ବଢିବା ସଙ୍ଗେ ସଙ୍ଗେ ଲୋକଙ୍କ ଅଙ୍ଗୁଳିରେ କିଛିଟା ପରିବର୍ତ୍ତନ ଆସିଥାଏ । ପୁଣି ଶୀତ ଦିନେ କେତେକ ଲୋକଙ୍କ ଆଙ୍ଗୁଳି ଫାଟିଥାଏ । ଫଳରେ ଆଧାର ଯାଞ୍ଚ ବେଳେ ଟିପଚିହ୍ନ ଦେଲେ ତାହା ଚିହ୍ନଟ ହୋଇପାରିନଥାଏ । ସେ କ୍ଷେତ୍ରରେ ଫେସ୍ ରେକଗନିସନ ଟେକନଲୋଜିର ବ୍ୟବହାର କରାଯିବ ବୋଲି ୟୁଆଇଡିଏଆଇ ପକ୍ଷରୁ ସୂଚନା ଦିଆଯାଇଛି । ୧୫ ସେପ୍ଟେମ୍ବରରୁ ଏହି ବ୍ୟବସ୍ଥା ଆରମ୍ଭ କରାଯିବ ।

 

ପୂର୍ବରୁ ଏହି ବ୍ୟବସ୍ଥା ଜୁଲାଇ ପହିଲାରୁ ଲାଗୁ କରିବାକୁ ଯୋଜନା ରହିଥିଲା, ଯାହାକୁ ପରବର୍ତ୍ତି ସମୟରେ ବଦଳାଇ ସେପ୍ଟେମ୍ବର ୧୫ରୁ ଲାଗୁ ହେବା ନେଇ ନିଷ୍ପତି ନିଆଯାଇଛି । ଆଧାର ପଂଜିକରଣ ବେଳେ ଲୋକମାନଙ୍କର ଟିପଚିହ୍ନ ସହ ମୁହଁ ଓ ରେଟିନା ଫଟୋ ମଧ୍ୟ ନିଆଯାଇଥାଏ । ତେବେ ଯାଞ୍ଚ ବେଳେ କେବଳ ଫେସ ରେକଗନିସନ କରାଯିବ ନାହିଁ । ଏହାକୁ ଅନ୍ୟ ପ୍ରକାରର ଯାଞ୍ଚ ପଦ୍ଧତି ଯଥା ଟିପ ଚିହ୍ନ, ଓଟିପି ଓ ଆଇଆରଆଇଏସ୍ (ଆଖି ରେଟିନା) ପଦ୍ଧତି ସହ ମିଳାଇ କରାଯାଏ ।ତେବେ ଆଧାର ସୁରକ୍ଷା ବ୍ୟବସ୍ଥାରେ ଦୂର୍ବଳତା ଆଶଙ୍କା ଦୂର କରିବା ପାଇଁ ୟୁଆଇଡିଏଆଇ ତରଫରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।