ଉପଭୋକ୍ତାଙ୍କ ପାଇଁ ସୁବର୍ଣ୍ଣସୁଯୋଗ ! ଏବେ ଗୋଟିଏ ବଡ ସିଲିଣ୍ଡର ଫେରାଇଲେ ମିଳିବ ଦୁଇ ଦୁଇଟି ଗ୍ୟାସ ସିଲିଣ୍ଡର । ଜାଣନ୍ତୁ କେମିତି

55

ମହିଳାଙ୍କ ସୁବିଧା ନିମନ୍ତେ ମୋଦି ସରକାର ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା । ଯାହାଦ୍ୱାରା କି ମହିଳା ଆଉ ରୋଷେଇଶାଳରେ ଚୁଲି ଫୁଙ୍କିବା ଭଳି ସମସ୍ୟାର ସାମ୍ନା କରିବାକୁ ପଡିବନାହିଁ । ବଡ ଘରର ମହିଳାଙ୍କ ଭଳି ଗରିବ ପରିବାରର ମହିଳାମାନେ ବି ଗ୍ୟାସ ସିଲିଣ୍ଡର ବ୍ୟବହାର କରିପାରିବେ । ତେବେ ମୋଦିଙ୍କର ଏହି ଯୋଜନା ଦେଶରେ ବହୁମାତ୍ରାରେ ସଫଳ ମଧ୍ୟ ହୋଇପାରିଛି । ହେଲେ ଏହାସବୁ ସତ୍ୱେ ବି ଏହାକୁ ନେଇ ଏକ ବଡ ସମସ୍ୟା ବର୍ତ୍ତମାନ ମୁଣ୍ଡ ଟେକିଛି ଆଉ ସେ ହେଲା ଏହି ସିଲିଣ୍ଡର ରିଫିଲ କରିବା ସମୟରେ ଦେବାକୁ ପଡୁଥିବା ଅର୍ଥରାଶି ।

ଅର୍ଥାତ୍ ଉଜ୍ଜ୍ୱଳା ଯୋଜନାର ଏକ ବଡ ସମସ୍ୟା ହେଲା କନେକସନ ନେବା ପରେ ତାକୁ ପୁଣିଥରେ ରିଫିଲ କରିବା । କାରଣ, ରିଫିଲର ଦାମ୍ ଦିନକୁ ଦିନ ବୃଦ୍ଧି ପାଇବା ଆଉ ଯାହା ଦ୍ୱାରା ପେମେଂଟ କରିବା ପାଇଁ ଅଧିକାଂଶ ପରିବାର ନିଜକୁ ଅସମର୍ଥ ଅନୁଭବ କରୁଛନ୍ତି । ମାତ୍ର ଏହି ସମସ୍ୟା ଆଉ ବେଶି ଦିନ ରହି ନପାରେ । କାରଣ ତୈଳ କଂପାନୀ ତଥା ଇଣ୍ଡିଆନ ଅଏଲ ସାଧାରଣ ଲୋକଙ୍କର ଏହି ସମସ୍ୟାର ସମାଧାନର ବାଟ ଏବେ ଖୋଜି ବାହାର କରିଛି । କଂପାନୀ ଏକ ବଡ ସିଲିଣ୍ଡର ଫେରାଇ ଗରିବ ପରିବାରଙ୍କୁ ପାଂଚ କେଜିଆ ଦୁଇଟି ଲେଖାଏଁ ଗ୍ୟାସ ସିଲିଣ୍ଡର ପ୍ରଦାନ କରିବାକୁ ପ୍ରସ୍ତାବ ରଖିଛି । ଏବଂ ଯଦି ସରକାର ଏଥିରେ ରାଜି ହୋଇଯାଆନ୍ତି ତେବେ ଖୁବ ଶୀଘ୍ର ହିଁ ଏହି ଯୋଜନା ଦେଶରେ ଲାଗୁ କରିଦିଆଯିବ ।

ସୂଚନା ମୁତାବକ, ବର୍ତ୍ତମାନ ସମୟରେ ନୂଆଦିଲ୍ଲୀରେ ଏହି ବଡ ସିଲିଣ୍ଡରକୁ ରିଫିଲ୍ କରିବା ପାଇଁ ଖର୍ଚ୍ଚ ହେଉଛି ୭୮୩ ଟଙ୍କା । ଅନ୍ୟପଟରେ ପାଂଚ କେଜିର ସିଲିଣ୍ଡର ରିଫିଲ କରିବାକୁ ଖର୍ଚ୍ଚ ହୋଇପାରେ ପାଖାପାଖି ୩୫୦ ଟଙ୍କା । ତେଣୁ ଏଭଳି ପରିସ୍ଥିତିରେ ଛୋଟିଆ ସିଲିଣ୍ଡର ରିଫିଲ ପାଇଁ ଟଙ୍କା ଜମା କରିବାକୁ ହେଲେ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିପାରେ ।

ଇଣ୍ଡିଆନ ଅଏଲ କର୍ପୋରେସନର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ପ୍ରଥମେ ଏହି ଯୋଜନା ପରିସରରେ ବଛାବଛି ସଂସ୍ଥାଗୁଡିକୁ ସାମିଲ କରାଯିବ । ମାତ୍ର ଏଥିରେ ଏକ ସମସ୍ୟା ରହିଛି, ଯାହାକି ସିକ୍ୟୁରିଟି ମୂଲ୍ୟକୁ ନେଇ । କାହିଁକି ନା ବଡ ସିଲିଣ୍ଡର ପାଇଁ ସିକ୍ୟୁରିଟି ମୂଲ୍ୟ ୧୨୫୦ ଟଙ୍କା ରହିଛି ଯାହାକି ଅନୁଦାନ ବାବଦକୁ କେନ୍ଦ୍ର ଦେଇଥାଏ । ଅନ୍ୟ ପଟରେ ଦୁଇ ଛୋଟ ଛୋଟ ସିଲିଣ୍ଡରର ସିକ୍ୟୁରିଟି ମୂଲ୍ୟ ୧୬୦୦ ଟଙ୍କା ହେବ । ସମସ୍ୟା ହେଲା କି ଦୁଇଟି ସିଲିଣ୍ଡର ବଦଳରେ ସିକ୍ୟୁରିଟି ପ୍ରାଇସର ଅନ୍ତର ୩୫୦ ଟଙ୍କାର ପେମେଂଟ ପାଇଁ କିଭଳି ଭାବରେ କରାଯିବ ।

ଯେଉଁଥିପାଇଁ ସରକାରଙ୍କ ସହିତ କଂପାନୀ ଆଲୋଚନା ଜାରି ରଖିଛି କି ସରକାର ଏହି ଅନ୍ତରକୁ ବି ସେହିଭଳି ଅନୁଦାନ ପ୍ରଦାନ କରନ୍ତୁ । ମାତ୍ର ଯଦି କୌଣସି ଗ୍ରାହକ ଏବେ ଚାହିଁବେ ତେବେ ୩୫୦ ଟଙ୍କାର ଅନ୍ତରର ପେମେଂଟ କରି ଏକ ବଡ ସିଲିଣ୍ଡର ବଦଳରେ ଦୁଇଟି ଛୋଟ ଛୋଟ ସିଲିଣ୍ଡର ନେଇପାରିବେ ।