ନିଆରା ଜନଜାତି ! ଗରମରୁ ବଂଚିବା ପାଇଁ କରନ୍ତି ଗୋ-ମୂତ୍ରରେ ସ୍ନାନ ଓ ରୋଗରୁ ମୁକ୍ତି ପାଇଁ ଶରୀରରେ ଲେପ କରନ୍ତି ଗୋବର

61

ସଂପୂର୍ଣ୍ଣ ବିଶ୍ୱ ବିଭିନ୍ନ ଅଦ୍ଭୁତ ଆଶ୍ଚର୍ଯ୍ୟ ଲୋକମାନଙ୍କୁ ଓ ସେମାନଙ୍କ ନିଆରା ପରମ୍ଫରାକୁ ନେଇ ଗଠିତ । ତେବେ ଏଭଳି ଏକ ନିଆରା ସଂପ୍ରଦାୟ ଏବଂ ପରମ୍ପରାର ଲୋକଙ୍କୁ ଦେଖିବାକୁ ମିଳିଛି ଆଫ୍ରିକାର ସାଉଥ୍ ସୁଦାନ ନାମକ ଅଂଚଳରେ । ଯାହା ମୁଣ୍ଡାରି ଜନଜାତି ନାଁରେ ପରିଚିତ । ଆଉ ସାରା ବିଶ୍ୱରେ ନିଜର ଭିନ୍ନ ଚାଲିଚଳନ ପାଇଁ ମଧ୍ୟ ପ୍ରସିଦ୍ଧ ।

ତେବେ ଆଜି ଆମେ ଆପଣଙ୍କୁ ଏହି ଜନଜାତିର ଲୋକମାନଙ୍କ ସଂପର୍କରେ ଜଣାଇବୁ ଯେଉଁଥିପାଇଁ ସେ ସମସ୍ତଙ୍କଠାରୁ ସାଜିଛନ୍ତି ନିଆରା । ସାଧାରଣତଃ ହିନ୍ଦୁ ସଂପ୍ରଦାୟର ଲୋକମାନେ ଗାଈକୁ ଗୋମାତା ବୋଲି ସଂମ୍ବନ୍ଧନ କରିଥାନ୍ତି । ଆଉ ଏମାନଙ୍କ ମଳ ବା ଗୋବର ଏବଂ ମୂତ୍ରକୁ ଅନେକ ପୂଜା ପାଠରେ ଓ ମାଟି ଘର ଆଦି ଲିପାପୋଛାରେ ବ୍ୟବହାର କରିଥାନ୍ତି । ମାତ୍ର ଏହି ସଂପ୍ରଦାୟରେ ଗାଈଙ୍କୁ କିଛି ଏଭଳି ମାନନ୍ତି ଯାହାକୁ ଶୁଣିଲେ ଆପଣ ମଧ୍ୟ ବିଶ୍ୱାସ କରିପାରିବେ ନାହିଁ । ଅର୍ଥାତ୍ ଏମାନେ ଗରମରୁ ମୁକ୍ତି ପାଇବା ପାଇଁ ଗୋ-ମୂତ୍ରରେ ସ୍ନାନ କରିବା ରୋଗବ୍ୟାଧିରୁ ରକ୍ଷା ପାଇବା ପାଇଁ ନିଜ ଶରୀରରେ ଗୋବରର ଲେପ ଦେଇଥାନ୍ତି ।

ଏହି ସଂପ୍ରଦାୟର ଲୋକଙ୍କ ଜୀବନର ସବୁଠାରୁ ମହତ୍ୱପୂର୍ଣ୍ଣ ଅଂଶ ହେଲା ଗୋମାତା । ଆଉ ଏମାନଙ୍କ ଜୀବନରେଖା ସାଧାରଣତଃ ଜୀବଜନ୍ତୁଙ୍କ ଉପରେ ନିର୍ଭରଶୀଳ । ସେଥିମଧ୍ୟରୁ ଗାଈ ଏବଂ ବଳଦକୁ ଏହି ସଂପ୍ରଦାୟ ବେଶି ଗୁରୁତ୍ୱ ଦିଅନ୍ତି । ଖାଲି ସେତିକି ନୁହେ, ମଶାଙ୍କ କୋପରୁ ରକ୍ଷା ପାଇବା ପାଇଁ ଏମାନେ ଆହୁରୀ ମଧ୍ୟ ରୋମାଂଚକର ତରିକା ଆପଣେଇ ଥାନ୍ତି । ଗୋବରରେ ତିଆରି ଘସିକୁ ପୋଡି ତାହାର ପାଉଁଶକୁ ଦେହରେ ଲଗାଇ ଥାନ୍ତି । ତେବେ ଗାଈ ଓ ମଇଁଷି ଏହି ଲୋକଙ୍କ ରୋଜଗାର କରିବାର ମାଧ୍ୟମ ଅଟେ । ଆଉ ସବୁଠାରୁ ମଜା କଥା ହେଲା କାଳେ ସେମାନଙ୍କର ଗାଈ ଚୋରି ହୋଇଯିବ ଏହି ଭୟରେ ସେମାନେ ସବୁବେଳେ ନିଜ ଗାଈଙ୍କ ପାଖେପାଖେ ରୁହନ୍ତି । ଏଥିସହ ବିବାହ କାର୍ଯ୍ୟରେ ଗାଈକୁ ଯୌତୁକ ହିସାବରେ ମଧ୍ୟ ଦାନ ଦେଇଥାନ୍ତି ।