ଯାତ୍ରୀମାନଙ୍କ ସୁବିଧା ପାଇଁ ଭୁବନେଶ୍ୱରରୁ ବେଙ୍ଗାଲୁରୁକୁ ଚଳାଚଳ କରିବ ସ୍ୱତନ୍ତ୍ର ଟ୍ରେନ

59

କନକ ବ୍ୟୁରୋ : ବର୍ଷା ଓ ବନ୍ୟା ତାଣ୍ଡବ ରଚିଥିବା ବାତ୍ୟା ‘ତିତଲି’ର ସିଧାସଳଖ ପ୍ରଭାବ ଟ୍ରେନ୍ ସେବା ଉପରେ ପଡ଼ିଛି। ଦକ୍ଷିଣ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ବେଙ୍ଗାଲୁରୁକୁ ଚାଳାଚଳ କରୁଥିବା ଟ୍ରେନ୍ଗୁଡ଼ିକ ପ୍ରଭାବିତ ହୋଇଛି। ଗତ ୩ ଦିନ ପରି ଆଜି ମଧ୍ୟ ୨୦ଟି ଟ୍ରେନ୍ ଚଳାଚଳକୁ ସମ୍ପୂର୍ଣ୍ଣ ବାତିଲ୍ କରାଯାଇଥିବା ବେଳେ ୪ଟି ଟ୍ରେନକୁ ଆଂଶିକ ବାତିଲ୍, ୯ଟି ଟ୍ରେନର ଗତିପଥ ପରିବର୍ତନ ଓ ୨୦ଟି ଟ୍ରେନ୍ ସମୟ ସାରଣୀରେ ପରିବର୍ତନ କରାଯାଇଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

 

ଟ୍ରେନ୍ ବାତିଲକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଯାତ୍ରୀଙ୍କ ସୁବିଧା ପାଇଁ ଭୁବନେଶ୍ବରରୁ ବେଙ୍ଗାଲୁରୁକୁ ସୁପରଫାଷ୍ଟ୍ ତତ୍କାଳ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବାକୁ ନିଷ୍ପତ୍ତି ହୋଇଛି। ଏହି ଟ୍ରେନ୍ (୦୨୫୧୦) ୧୫ ତାରିଖ ସକାଳ ୭ଟା ୫୦ରେ ଭୁୁବନେଶ୍ବର ରେଳେଷ୍ଟସନ୍ରୁ ଛାଡ଼ିବ। ୧୬ ତାରିଖ ପୂର୍ବାହ୍ନ ୧୧ଟା ୪୦ରେ ବେଙ୍ଗାଲୁରୁରେ ପହଞ୍ଚିବ। ଏହି ଟ୍ରେନରେ ଗୋଟିଏ ଏସି-୨ ଟାୟାର, ୮ଟି ଏସି-୩ ଟାୟାର, ୧୦ଟି ସ୍ଲିପର୍ କ୍ଲାସ, ୨ଟି ସେକେଣ୍ଡ କ୍ଲାସ ସିଟିଂ ଓ ୨ଟି ଗାର୍ଡ/ଲଗେଜ୍ କୋଚ୍ ରହିବ। ଭୁବନେଶ୍ବରରୁ ବାଙ୍ଗାଲୁରୁକୁ ଯିବା ସମୟରେ ଏହି ଟ୍ରେନ୍ ଖୋର୍ଧା ରୋଡ, ବାଲୁଗାଁ, ବ୍ରହ୍ମପୁର, ପଲାସା, ସିକାକୁଲମ୍, ବିଜୟନଗରମ୍, ବିଶାଖାପାଟଣା, ରାଜମୁର୍ଦି, ବିଜୟୱାଡା, ପେରାମ୍ବୁର, ଆରାକୋନାମ୍, କୋଟପଡ଼ି, ଜୋଲାରପେଟ୍ଟାଇ, ବାଙ୍ଗରପେଟ୍, କିଷ୍ଣରାଜ୍ପୁରମ୍ ଓ ବେଙ୍ଗାଲୁରୁ ପୂର୍ବ ଷ୍ଟେସନରେ ଅଟକିବ।

 

ବ୍ରହ୍ମପୁର-ପଲାସା ରେଳ ଷ୍ଟେସନ ମଧ୍ୟରେ ରେଳ ଟ୍ରାକରେ ପାଣି ଜମି ରହିଥିବାରୁ ଆଜି ସକାଳୁ ୧୬ଟି ଟ୍ରେନ୍ ବାତିଲ୍ କରାଯାଇଥିଲା। ୧୨ ତାରିଖରେ ଚାଲିବାକୁ ଥିବା ଚେନ୍ନାଇ-ଭୁବନେଶ୍ବର ଏକ୍ସପ୍ରେସ୍, ବିଶାଖାପାଟଣା-ଗୁଣୁପୁର-ବିଶାଖାପାଟଣା ପାସେଞ୍ଜର, ବିଶାଖାପାଟଣା-ପଲାସା-ବିଶାଖାପାଟଣା ପାସେଞ୍ଜର, ଗୁଣୁପୁର-ପଲାସା-ଗୁଣୁପୁର ପାସେଞ୍ଜର, ଗୁଣୁପୁର-ପୁରୀ ପାସେଞ୍ଜର, ଝାରସୁଗୁଡ଼ାରୁ ଛାଡ଼ିବାକୁ ଥିବା ହଟିଆ-ଝାରସୁଗୁଡ଼ା ପସେଞ୍ଜର, ଭୁବନେଶ୍ବର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ୍, ଭୁବନେଶ୍ବର-ବିଶାଖାପାଟଣା-ଭୁବନେଶ୍ବର ଇଣ୍ଟରସିଟି ଏକ୍ସପ୍ରେସ୍ ଉଭୟ ପାର୍ଶ୍ବରୁ ବାତିଲ୍ ହୋଇଛି। ସେହିପରି ଜଗଦଲପୁର/ଜୁନାଗଡ଼ରୋଡ୍-ଭୁବନେଶ୍ବର ହୀରାଖଣ୍ଡ ଏକ୍ସପ୍ରେସ୍, ବିଶାଖାପାଟଣା-ଚେନ୍ନାଇ ଏକ୍ସପ୍ରେସ୍, ପଲାସା-କଟକ ପାସେଞ୍ଜର, ଦୀଘା-ବିଶାଖାପାଟଣା ଟ୍ରେନକୁ ୧୨ ତାରିଖ ପାଇଁ ସମ୍ପୂର୍ଣ୍ଣ ବାତିଲ୍ କରାଯାଇଥିଲା। ୧୩ ତାରିଖରେ ଛାଡ଼ିବାକୁ ଥିବା ଝାରସୁଗୁଡ଼ା-ହଟିଆ ପାସେଞ୍ଜର, ଝାରସୁଗୁଡ଼ା-ରାଉରକେଲା-ଝାରସୁଗୁଡ଼ା ପାସେଞ୍ଜର, ରାଉରକେଲା-ସମ୍ବଲପୁର-ରାଉରକେଲା ପାସେଞ୍ଜର ଉଭୟ ଦିଗରୁ ବାତିଲ୍ ହୋଇଛି। ୧୪ ତାରିଖ ପାଇଁ ଗୈାହଟୀ-ବେଙ୍ଗାଲୁରୁ କାଣ୍ଟ ଏକ୍ସପ୍ରେସ୍ ବାତିଲ୍ କରାଯାଇଛି। ୧୨ଟି ଟ୍ରେନର ସମୟ ସାରଣୀରେ ପରିବର୍ତନ ହୋଇଛି। ୧୩ ତାରିଖ ପାଇଁ ହାୱଡା-ଟିଟିଲାଗଡ଼-ହାୱଡା ଏକ୍ସପ୍ରେସକୁ ଆଂଶିକ ବାତିଲ୍ କରାଯାଇଥିବା ବେଳେ ବିଶାଖାପାଟଣା-ପଲାସା ପାସେଞ୍ଜରକୁ ଆଂଶିକ ବାତିଲ୍ ଏବେ ବି ଜାରି ରହିଛି। ୯ଟି ଟ୍ରେନର ଗତିପଥରେ ପରିବର୍ତନ କରାଯାଇଥିବା ସୂଚନା ଦିଆଯାଇଥିଲା।