ରଥଯାତ୍ରା ପାଇଁ ପୁରୀକୁ ଗଡ଼ିବ ୧୮୪ ଟି ସ୍ୱତନ୍ତ୍ର ଟ୍ରେନ୍‌ : ଶ୍ରଦ୍ଧାଳୁଙ୍କ ସୁବିଧା ଦୃଷ୍ଟିରୁ ହୋଇଛି ବ୍ୟବସ୍ଥା

144

କନକ ବ୍ୟୁରୋ : ଚଳିତ ବର୍ଷ ରଥଯାତ୍ରା ସମୟର ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପଡ଼ୋଶୀ ରାଜ୍ୟରୁ ଆସୁଥିବା ସ୍ୱତନ୍ତ୍ର ଟ୍ରେନ୍‌ ବ୍ୟତୀତ ଆହୁରି ଅଧିକ ୧୮୪ଟି ଟ୍ରେନ୍‌ ଚଳାଚଳ କରିବ ବୋଲି ସୂଚନା ମିଳିଛି । ଗୁଣ୍ଡିଚା ଯାତ୍ରା ପାଇଁ ପୁରୀ ଅଭିମୁଖେ ୧୪ଟି ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ କରିବ । ଜୁଲାଇ ୧୩ ତାରିଖରେ ବିଶାଖାପାଟଣା, ଖଡ଼ଗପୁର, ସାଲିମାର୍‌ ଓ ଜୁନାଗଡ଼ରୁ ଗୋଟିଏ ଲେଖାଏ ସ୍ୱତନ୍ତ୍ର ଟ୍ରେନ୍‌ ପୁରୀ ଅଭିମୁଖେ ଯାତ୍ରା କରିବ । ସେହିପରି ଫେରନ୍ତା ଦିଗରେ ମଧ୍ୟ ଅନ୍ୟ ୧୪ଟି ଟ୍ରେନ୍‌ ଚାଲିବ। ୧୫ ଜୁଲାଇରୁ ୨୦ ଜୁଲାଇ ଭିତରେ ପୁରୀ ଅଭିମୁଖେ ୨୪ଟି ଟ୍ରେନ୍‌ ଚଳାଚଳ କରିବ ।

Source:rgyan.com

ବାଙ୍ଗିରିପୋଷି ଓ ପୁରୀ ମଧ୍ୟରେ ଏକ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ ଏବଂ ଖୋର୍ଦ୍ଧା ରୋଡ୍‌ରୁ ୩ଟି ସ୍ୱତନ୍ତ୍ର ଟ୍ରେନ୍‌ ପୁରୀ ଅଭିମୁଖେ ଯାତ୍ରା କରିବ । ସେହିପରି ୨୧ ଜୁଲାଇରେ ଠାକୁରଙ୍କ ସନ୍ଧ୍ୟା ଦର୍ଶନ ପାଇଁ ୮ଟି ସ୍ୱତନ୍ତ୍ର ଟ୍ରେନ୍‌ ଚାଲିବ । ବାହୁଡ଼ା ଯାତ୍ରା ପାଇଁ ପୂର୍ବତଟ ରେଳବାଇ ତରଫରୁ ପୁରୀକୁ ୧୩ଟି ସ୍ୱତନ୍ତ୍ର ଟ୍ରେନ୍‌ର ବ୍ୟବସ୍ଥା ହୋଇଛି । ଜୁଲାଇ ୨୧ରେ ବିଶାଖାପାଟଣା, ସାଲିମାର୍‌ ଓ ଜୁନାଗଡ଼ ରୋଡ୍‌ରୁ ଗୋଟିଏ ଲେଖାଏ ଟ୍ରେନ୍‌ ପୁରୀକୁ ଯାତାୟାତ କରିବାକୁ ଥିବା ବେଳେ ଜୁଲାଇ ୨୨ରେ ବାଙ୍ଗିରିପୋଷି, କେନ୍ଦୁଝରଗଡ଼, ଭଦ୍ରକ, କଟକ, ପାରାଦ୍ୱୀପ, ବ୍ରହ୍ମପୁର ଓ ପଲାସାରୁ ଗୋଟିଏ ଲେଖାଏ ଏବଂ ଖୋର୍ଦ୍ଧାରୁ ୩ଟି ଟ୍ରେନ୍‌ ସହ ସର୍ବମୋଟ ୧୦ଟି ସ୍ୱତନ୍ତ୍ର ଟ୍ରେନ୍‌ ପୁରୀ ପାଇଁ ଯାତ୍ରା କରିବ । ସେହିପରି ବାହୁଡ଼ା ଯାତ୍ରା ଦିନ ଫେରନ୍ତା ଦିଗରେ ୧୩ଟି ସ୍ୱତନ୍ତ୍ର ଟ୍ରେନ୍‌ ପୁରୀକୁ ଛାଡ଼ି ବିଭିନ୍ନ ଜାଗାକୁ ଯାତ୍ରା କରିବ ।

ଏହା ସହ ମହାପ୍ରଭୁଙ୍କ ସୁନାବେଶରେ ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁରୀ ଅଭିମୁଖେ ୧୩ଟି ସ୍ୱତନ୍ତ୍ର ଟ୍ରେନ୍‌ର ବ୍ୟବସ୍ଥା ହୋଇଛି । ଫେରନ୍ତା ଦିଗରେ ମଧ୍ୟ ୧୩ଟି ସ୍ୱତନ୍ତ୍ର ଟ୍ରେନ୍‌ର ବ୍ୟବସ୍ଥା ହୋଇଛି । ଏହା ବ୍ୟତୀତ ୧୪ରେ ଗୁଣ୍ଡିଚା ଯାତ୍ରା, ୨୧ ତାରିଖରେ ସନ୍ଧ୍ୟା ଦର୍ଶନ, ୨୨ରେ ବାହୁଡ଼ା ଏବଂ ୨୩ରେ ସୁନାବେଶ ପାଇଁ ଉଭୟ ଦିଗରେ ଖୋର୍ଧା ରୋଡ୍‌ ଏବଂ ନୟାଗଡ଼ ଟାଉନ୍‌ ମଧ୍ୟରେ ୩ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍‌ ଚାଲିବ । ତେବେ ୧୪ରୁ ୨୩ ଜୁଲାଇ ପର୍ଯ୍ୟନ୍ତ ୧୨୮୯୧/୧୨୮୯୨ ବାଙ୍ଗିରିପୋଷି-ଭୁବନେଶ୍ୱର-ବାଙ୍ଗିରିପୋଷି ଏକ୍ସପ୍ରେସ୍‌ର ସେବାକୁ ପୁରୀ ପର୍ଯ୍ୟନ୍ତ ବର୍ଦ୍ଧିତ କରାଯାଇ ଏହାର ରହଣି ସ୍ଥଳ ଖୋର୍ଧା ରୋଡ୍‌ ଏବଂ ସାକ୍ଷୀଗୋପାଳକୁ ସ୍ଥିର କରାଯାଇଛି । ଏହା ସହ ୫୮୪୨୬/୫୮୪୨୫ କେନ୍ଦୁଝରଗଡ଼-ଭୁବନେଶ୍ୱର-କେନ୍ଦୁଝରଗଡ଼ ପାସେଞ୍ଜରକୁ ପୁରୀ ପର୍ଯ୍ୟନ୍ତ ବର୍ଦ୍ଧିତ କରାଯିବ ।