ଟ୍ରେନ୍ ଭିତରକୁ ବୁଲା ବିକାଳି ମନା: ରେଳମନ୍ତ୍ରାଳୟ କଠୋର ନିୟମ, ଟ୍ରେନରେ ଏଣିକି ଆଉ ମିଳିବନି ବାଦାମ, ଝାଲମୁଢ଼ି

749

କନକ ବ୍ୟୁରୋ: ଟ୍ରେନ୍‌ରେ ଯାତ୍ରା କଲା ବେଳେ ଏଣିକି ଆଉ ମିଳିବନି ‘ଟାଇମ୍‌ପାସ୍’ ଆଇଟମ୍‌। କାରଣ, ଚିନାବାଦାମ, କାକୁଡ଼ି, ଝାଲମୁଢ଼ି, ବରାଘୁଘୁନି, ଚା, କଫି, କୋଲ୍‌ଡ ଡ୍ରିଙ୍କ୍‌ସ, ବିସ୍କୁଟ, ଚିପ୍ସ କୁରକୁରେ କି ସିଝା ଅଣ୍ଡା ଭଳି ବିଭିନ୍ନ ଖାଇବା ଜିନିଷଠାରୁ ଆରମ୍ଭ କରି ଖବରକାଗଜ, ମାଗାଜିନ୍, ବ୍ରସ ପେଷ୍ଟ, ପାନିଆ, ନଖକଟା ଆଦି ସାମଗ୍ରୀ ବିକୁଥିବା ବୁଲା ବିକାଳିଙ୍କ ଉପରେ କଠୋର କଟକଣା ଜାରି କରିଛି ରେଳବିଭାଗ। ଏହି ବୁଲା ବିକାଳିଙ୍କୁ ଟ୍ରେନ୍‌ରେ ଚଢ଼ାଇ ନ ଦେବାକୁ ରେଳ ବୋର୍ଡ ପକ୍ଷରୁ ରେଳବାଇ ପୁଲିସକୁ ନିର୍ଦେଶ ଦିଆଯାଇଛି। ଏଥିପ୍ରତି ‘ଜିରୋ ଟଲରାନ୍ସ’ ନୀତି ଗ୍ରହଣ ପାଇଁ କୁହାଯାଇଛି। ଏହାଫଳରେ ଟ୍ରେନ୍‌ରେ ବୁଲି ବୁଲି ଏହିସବୁ ଜିନିଷ ବିକ୍ରି କରି ପେଟ ପୋଷୁଥିବା ରାଜ୍ୟରେ ପ୍ରାୟ ୨ ହଜାରରୁ ଅଧିକ ବୁଲା ବିକାଳି ସେମାନଙ୍କ ଜୀବିକା ହରାଇଛନ୍ତି। ଏ ବିଷୟ ଜଣାପଡ଼ିବା ପରେ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ମାତ୍ର ଏଭଳି କାର୍ଯ୍ୟାନୁଷ୍ଠାନ ସପକ୍ଷରେ ଯୁକ୍ତି ବାଢ଼ିଛି ରେଳବିଭାଗ।

ବିଭିନ୍ନ ଦୂରଗାମୀ ଟ୍ରେନ୍‌ରେ ପାଣ୍ଟ୍ରି କାର୍‌ ରହିଥାଏ। ଏହାର କର୍ମଚାରୀମାନେ ଯାତ୍ରୀମାନଙ୍କ ମିଲ୍‌ ଓ ଜଳଖିଆ ସହ ଚା, କଫି ପ୍ରସ୍ତୁତ କରି ବିକ୍ରି କରିଥାନ୍ତି। ତଥାପି ପ୍ରାୟତଃ ସବୁ ଟ୍ରେନ୍‌ରେ ବୁଲା ବିକାଳିମାନଙ୍କୁ ଦେଖିବାକୁ ମିଳେ। ଅନେକ ଯାତ୍ରୀ ପାଣ୍ଟ୍ରି କାର୍‌ ଖାଦ୍ୟ ଅପେକ୍ଷା ବୁଲା ବିକାଳିଙ୍କ ସାମଗ୍ରୀକୁ ଅଧିକ ପସନ୍ଦ କରୁଥିବାର ମଧ୍ୟ ଦେଖିବାକୁ ମିଳେ। ଏହଛଡ଼ା ଚିନାବାଦାମ, କାକୁଡ଼ି, ବିଭିନ୍ନ ଫଳମୂଳ ଓ ଟାଇମ୍‌ପାସ୍‌ ସାମଗ୍ରୀ କେବଳ ବୁଲା ବିକାଳିଙ୍କଠାରୁ ହିଁ ମିଳିପାରିଥାଏ। ଏହାବ୍ୟତୀତ ପାସେଞ୍ଜର ଟ୍ରେନ୍‌ ଓ ଇଣ୍ଟରସିଟି ଭଳି କିଛି ମଧ୍ୟମ ଦୂରଗାମୀ ଟ୍ରେନ୍‌ରେ ପାଣ୍ଟ୍ରିକାର୍‌ ବ୍ୟବସ୍ଥା ନଥିବାରୁ ଏହାର ଯାତ୍ରୀମାନେ ଚା, ପାଣିଠାରୁ ଆରମ୍ଭ କରି ଜଳଖିଆ, ମିଲ୍‌ ପର୍ଯ୍ୟନ୍ତ ସବୁ ଜିନିଷ ପାଇଁ ଏହି ବୁଲା ବିକାଳିଙ୍କ ଉପ‌େର ନିର୍ଭର କରନ୍ତି। ପରୋକ୍ଷରେ ଏହି ବେପାର ଯୋଗୁଁ ଦେଶରେ ହଜାର ହଜାର ପରିବାରର ଚୁଲି ଜଳେ। ଆମ ରାଜ୍ୟରେ ବି ପ୍ରାୟ ୨୦୦୦ରୁ ଅଧିକ ପରିବାର ଏହି ଟ୍ରେନ୍‌ରେ ବୁଲା ବେପାର ଉପରେ ନିର୍ଭରଶୀଳ ବୋଲି ଜଣାପଡ଼ିଛି।

ଦୀର୍ଘ ବର୍ଷ ଧରି ସାରା ଦେଶର ସବୁ ଟ୍ରେନ୍‌ରେ ଏଭଳି ବେପାର ଚାଲି ଆସିଥିବା ବେଳେ ଏବେ ରେଳବୋର୍ଡ ଏହା ଉପରେ କଟକଣା ଜାରି କରିବା ନେଇ ସ୍ବାଭାବିକ ଭାବେ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହା ଗରିବ ଲୋକଙ୍କ ପେଟକୁ ଲାତ ବୋଲି ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଅଭିଯୋଗ ଉଠୁଛି। ଏ ନେଇ ଆନ୍ଦୋଳନ ସଜବାଜ ବି ଆରମ୍ଭ ହେଲାଣି। କିନ୍ତୁ ରେଳ ବିଭାଗର ଯୁକ୍ତି ହେଲା ଏଭଳି କଟକଣା ଆବଶ୍ୟକ ଥିଲା। ଟ୍ରେନ୍‌ରେ ଏଭଳି ବୁଲା ବେପାର ଫଳରେ ଲୁଟପାଟ ଓ ଅପରାଧ ବଢ଼ୁଥିଲା। କିଛି ଅସାମାଜିକ ବ୍ୟକ୍ତି ଜିନିଷ ବିକ୍ରି ଆଳରେ ଚୋରି କରୁଥିଲେ। ଏ ନେଇ ଅନେକ ସମୟରେ ରେଳଯାତ୍ରୀମାନେ ଅଭିଯୋଗ କରୁଥିଲେ। କିଛିଦିନ ହେଲାଣି ଟୁଇଟର ଓ ଅନ୍ୟ ସାମାଜିକ ଗଣମାଧ୍ୟମରେ ବି ରେଳବାଇକୁ ବହୁସଂଖ୍ୟାରେ ଏଭଳି ଅଭିଯୋଗ ମିଳୁଥିଲା। କେତେକ ସ୍ଥାନରେ କିଛି ବୁଲା ବେପାରି ସଂଘବଦ୍ଧ ଭାବେ ଯାତ୍ରୀ ଓ ରେଳବିଭାଗ କର୍ମଚାରୀଙ୍କୁ ଆକ୍ରମଣ କରିବାର ଘଟଣା ବି ସାମନାକୁ ଆସିଥିଲା। ଏଥିସହ ରେଳବାଇ ପାଣ୍ଟ୍ରି କାର୍‌ ଠିକା ନେଇଥିବା ସଂସ୍ଥାମାନେ ବି ବୁଲା ବେପାରିଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏ ସବୁ ବିଭିନ୍ନ କାରଣ ପାଇଁ ଟ୍ରେନ୍‌ରେ ଅଣ ଲାଇସେନ୍ସପ୍ରାପ୍ତ ବୁଲା ବେପାରୀଙ୍କୁ ପୂରାଇ ନ ଦେବାକୁ ରେଳବୋର୍ଡ ଆର୍‌ପିଏଫ୍‌କୁ କଡ଼ା ନିର୍ଦେଶ ଦେଇଛି ବୋଲି ସୂଚନା ମିଳିଛି।

ଏସଂପର୍କରେ ସମ୍ବଲପୁର ରେଳମଣ୍ଡଳ ଅନ୍ତର୍ଗତ ଆର୍‌ପିଏଫ୍‌ ଡିଏସ୍‌ସିଙ୍କୁ ପଚାରିବାରୁ ଉପରୁ ନିର୍ଦେଶ ଆସିଥିବାରୁ ବେଆଇନ୍‌ ଭାବେ ଖାଇବା ଓ ଅନ୍ୟ ଜିନିଷ ବିକୁଥିବା ବୁଲା ବିକାଳିଙ୍କୁ ବାରଣ କରାଯାଇଛି ବୋଲି କହିଛନ୍ତି।