ଫୋବର୍ସ ପତ୍ରିକା ପ୍ରକାଶ କଲା ବିଶ୍ୱର ଧନୀ ବ୍ୟକ୍ତିଙ୍କ ତାଲିକା । ଆମାଜନ୍ ମୁଖ୍ୟ ଦୁନିଆର ଶ୍ରେଷ୍ଠ ଧନୀ, ତାଲିକାରୁ ବାଦ ପଡିଲେ ନିରବ ମୋଦି

21

କନକ ବ୍ୟୁରୋ: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ କରିଛି ଫୋବର୍ସ ପତ୍ରିକା । ଏହି ତାଲିକାରେ ବିଶ୍ୱର ତୃତୀୟ ଆରବପତିଙ୍କ ଦେଶ ଭାବେ ଉଭା ହୋଇଛିି ଭାରତ । ପ୍ରକାଶିତ ତାଲିକା ଅନୁଯାୟୀ ଭାରତରେ ୧୨୧ଜଣ ଆରବପତି ରହିଛନ୍ତି । ଗତବର୍ଷର ତାଲିକା ସହ ଏବର୍ଷ ଆଉ ୧୯ ଜଣ ଆରବପତି ଯୋଡି ହୋଇଛନ୍ତି । ୫୫୮ଜଣ ଥାଇ ପ୍ରଥମରେ ରହିଛି ଆମେରିକା ଏବଂ ୩୭୩ ଜଣ ଥାଇ ଦ୍ୱିତୀୟରେ ରହିଛି ଚୀନ୍ ।

ତେବେ ଏହି ତାଲିକାର ପ୍ରଥମ ୧୦ ଜଣଙ୍କ ଭିତରେ କୌଣସି ଭାରତୀୟ ନାହାଁନ୍ତି । ବିଶ୍ୱ ଧନୀ ତାଲିକାରେ ୧୯ତମ ସ୍ଥାନରେ ରହିଛନ୍ତି ଭାରତର ବିତଶାଳୀ ବ୍ୟକ୍ତି ମୁକେଶ ଅମ୍ବାନୀ । ତାଙ୍କର ମୋଟ୍ ସମ୍ପତି ୪୦ଦଶମିକ୍ ୧ବିଲିୟନ ଡଲାର ବୋଲି ଦର୍ଶାଯାଇଛି । ୨୦୧୮ରେ ମୁକେଶଙ୍କ ସମ୍ପତିର ପରିମାଣ ୧୬ଦଶମିକ୍ ୯ମିଲିୟନ ଡଲାର ବୃଦ୍ଧି ହୋଇଥିବା ରିପୋର୍ଟରେ ଉଲେଖ କରାଯାଇଛିି । ସେହିଭଳି ଭାରତର ଦ୍ୱିତୀୟ ଧନୀ ବ୍ୟକ୍ତି ସପ୍ଟଓୟାର ଉଦ୍ୟୋଗୀ ଅଜିମ୍ ପ୍ରେମଜି ଫୋବର୍ସ ତାଲିକାର ୫୮ତମ ସ୍ଥାନରେ ରହିଛନ୍ତି । ତାଙ୍କ ସମ୍ପତିର ମୋଟ୍ ମୂଲ୍ୟ ୧୮ଦଶମିକ୍ ୮ମିଲିୟନ ଡଲାର ବୋଲି ରିପୋର୍ଟରେ ଦର୍ଶାଯାଇଛି । ପତଞ୍ଜଳି ଗ୍ରୁପର ସିଇଓ ବାଲକ୍ରିଷ୍ଣ ନାମ ଏହି ତାଲିକାରେ ୨୭୪ତମ ସ୍ଥାନରେ ରହିଛି । ବାଲକ୍ରିଷ୍ଣନ ୬ଦଶମିକ୍ ୩ବିଲିୟନ ଡଲାର ସମ୍ପତିର ମାଲିକ ବୋଲି ରିପୋର୍ଟରେ ପ୍ରକାଶ ପାଇଛି ।

ଚଳିତ ବର୍ଷ ଫୋବର୍ସ ପକ୍ଷରୁ ୨୨୦୦ ବିଲିଓନାୟାରଙ୍କ ତାଲିକା ପ୍ରକାଶ ପାଇଛି । ଏହି ତାଲିକାରେ ବିଶ୍ୱର ପ୍ରଥମ ସ୍ଥାନରେ ରହିଛନ୍ତି ଆମାଜନର ସିଇଓ ଜେଫ୍ ବେଜୋସ୍ । ବିଲ୍ ଗେଟସଙ୍କୁ ପଛରେ ପକାଇ ବିଶ୍ୱର ୧ନମ୍ବର ଧନୀର ମାନ୍ୟତା ପାଇଛନ୍ତି ଅନଲାଇନ ଷ୍ଟୋର ଆମାଜନର ସଂସ୍ଥାପକ ବେଜୋସ୍ । ବେଜୋସଙ୍କ ପାଖରେ ରହିଛି ୧୧୨ବିଲିୟନ ଡଲାର । ଦ୍ୱିତୀୟ ସ୍ଥାନରେ ରହିଛନ୍ତି ମାଇକ୍ରୋସଫ୍ଟ କୋଫାଉଣ୍ଡର ବିଲ୍ ଗେଟ୍ସ । ତାଙ୍କ ସମ୍ପତିର ମୂଲ୍ୟ ରହିଛି ୯୦ ବିଲିୟନ ଡଲାର । ତେବେ ଏହି ତାଲିକାରେ ୭୬୬ତମ ସ୍ଥାନରେ ରହିଛନ୍ତି ଆମେରିକାର ରାଷ୍ଟପତି ଡୋନାଲ୍ଡ ଟ୍ରମ୍ପ । ତାଙ୍କ ସମ୍ପତିର ମୂଲ୍ୟ ଗତବର୍ଷ ତୁଳନାରେ କମିଛି । ଗତବର୍ଷ ଟ୍ରମ୍ପଙ୍କ ନିକଟରେ ୪ବିଲୟନ ଡଲାର ଥିବାବେଳେ ଏବର୍ଷ ରହିଛି ୩.୧ବିଲିୟନ ଡଲାର । ସେହିପରି ଗତ ବର୍ଷ ଟ୍ରମ୍ପ ଏହି ତାଲିକାରେ ୫୪୪ତମ ସ୍ଥାନରେ ରହିଥିଲେ ।