ମେରଠରେ ନିର୍ମାଣ ହେବ ମୋଦିଙ୍କ ମନ୍ଦିର ! ଜାଣନ୍ତୁ ଆଉ କେଉଁ କେଉଁଠି ପୂଜାପାଉଛନ୍ତି ରାଜନେତା

54

ଉତ୍ତର ପ୍ରଦେଶର ମେରଠରେ ନିର୍ମାଣ ହେବାକୁ ଯାଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ଦିର । ତେବେ ଏହି ମନ୍ଦିରଟି ମେରଠର ସରଧନାଠାରେ ତିଆରି କରାଯିବା ନେଇ ପ୍ରସ୍ତାବ ରହିଛି । ଏଥିପାଇଁ ପାଂଚ ଏକର ଜମି ମଧ୍ୟ ଚୟନ କରାଯାଇଛି । ଯେଉଁଥିରେ ମୋଦିଙ୍କର ୧୦୦ ଫୁଟ ଉଚ୍ଚର ଏକ ପ୍ରତିମୂର୍ତ୍ତୀ ସ୍ଥାପନ କରାଯିବାର ଯୋଜନା ରହିଛି ।

ପ୍ରଧାନମନ୍ତ୍ରୀ ମୋଦିଙ୍କର ଏହି ମନ୍ଦିର ନିର୍ମାଣ କରିବା ନେଇ ଜଣେ ଅବସର ପ୍ରାପ୍ତ ଇଂଜିନିୟର ଘୋଷଣା କରିଛନ୍ତି । ତାଙ୍କର କହିବା ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରସିଦ୍ଧି ତଥା ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ସେ ଏହି ମନ୍ଦିରଟିକୁ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଖାଲି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ଦିର ତିଆରି ହେବାକୁ ନେଇ ଖବର ସାମ୍ନାକୁ ଆସିଛି ତାହା ନୁହେଁ ବରଂ ଦେଶରେ ଏଭଳି ଅନେକ ରାଜନେତା ରହିଛନ୍ତି ଯାହାଙ୍କର ମନ୍ଦିର ତିଆରି କରାଯାଇ ପୂଜାର୍ଚ୍ଚନା କରାଯାଉଛି । ତେବେ ଆସନ୍ତୁ ଜାଣିବା ସେମାନଙ୍କ ସଂପର୍କରେ ।

ସୋନିଆ ଗାନ୍ଧି

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କର ମଧ୍ୟ ମନ୍ଦିର ନିର୍ମାଣ କରାଯାଇସାରିଛି । ସୋନିଆ ଗାନ୍ଧିଙ୍କର ଏହି ମନ୍ଦିରଟି ମଲ୍ଲିଅଲ, ତେଲଙ୍ଗାନାଠାରେ ଅବସ୍ଥାପିତ । ଏହି ମନ୍ଦିରରେ ରଖାଯାଇଛି ପିତଳରେ ତିଆରି ସୋନିଆଙ୍କର ଏକ ପ୍ରତିମା ଏବଂ ଏଥିସହିତ ସୋନିଆ ଗାନ୍ଧିଙ୍କ ପରିବାରର ବାକି ସଦସ୍ୟ ତଥା ରାଜିବ ଗାନ୍ଧି, ରାହୁଲ ଗାନ୍ଧି ଏବଂ ଇନ୍ଦିରା ଗାନ୍ଧିଙ୍କର ଚିତ୍ର ମଧ୍ୟ ସେଠାରେ ସ୍ଥାନ ପାଇଛି ।

ଏମ.ଜି.ରାମଚନ୍ଦ୍ରନ

ତାମିଲନାଡୁର ମୁଖ୍ୟମନ୍ତ୍ରୀ ରହିସାରିଥିବା ସ୍ୱର୍ଗତ ଏମ.ଜି. ରାମଚନ୍ଦ୍ରନଙ୍କ ମଧ୍ୟ ଏକ ମନ୍ଦିର ରହିଛି । ତେବେ ଏହି ମନ୍ଦିରର ନିର୍ମାଣ ୨୦୧୧ରେ ତାମିଲନାଡୁର ତିରୁନିନରାବୁର ଜିଲ୍ଲାରେ କରାଯାଇଥିଲା । ଯେଉଁଠାରେ ଏମ.ଜି ଆରଙ୍କ ପ୍ରସଂଶକଙ୍କର ସବୁବେଳେ ଭିଡ ଲାଗିରହିଥାଏ ।

ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ଦିର, ମେରଠରେ ନିର୍ମାଣ କରାଯିବାକୁ ନେଇ ପ୍ରସ୍ତାବ ଦିଆଯାଇଛି । ହେଲେ ଏହା ପୂର୍ବରୁ ମଧ୍ୟ ମୋଦିଙ୍କର ଏକ ମନ୍ଦିର ନିର୍ମାଣ ହୋଇସାରିଛି । ଯାହାକି ଏହା ୨୦୧୫ରେ ଗୁଜରାଟର ରାଜକୋଟଠାରେ ତିଆରି କରାଯାଇଛି । ତେବେ ଏହି ମନ୍ଦିରରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଏକ ମୂର୍ତ୍ତି ବି ସ୍ଥାପନା କରାଯାଇଛି ଏବଂ ଯାହାର ଦେଖାରଖା ଏକ ଟ୍ରଷ୍ଟକୁ ଦିଆଯାଇଛି ।

 

ସୌଜନ୍ୟ: ଜନସତ୍ତା