“ବାପା ମଦ ଛାଡିଲେ ମୋ ଆତ୍ମା ଶାନ୍ତି ପାଇବ” : ବାପା ମଦ ପିଉଥିଲେ ବୋଲି ଆତ୍ମାହତ୍ୟା କଲେ ମେଧାବୀ ଛାତ୍ର

114

ମଦୁଆ ବାପାର ବ୍ୟବହାରରେ ଅତିଷ୍ଠ ହୋଇ ଶେଷରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛି ଜଣେ ମେଧାବୀ ବାଳକ । ଆଉ ମଲା ପରେ ସେ ଲେଖିଯାଇଥିବା ସୁଇସାଇଡ ନୋଟ୍ ଅନ୍ୟଙ୍କ ପାଇଁ ପାଲଟି ଯାଇଛି ଏକ ବହୁତ ବଡ ବାର୍ତ୍ତା । ଏହି ଘଟଣାଟି ଘଟିଛି ତାମିଲନାଡୁର ତିରୁନେଲଭେଲିର ଅଂଚଳରେ । ଏହି ଅଂଚଳରେ ଥିବା ଏକ ପୋଲରୁ ପୁଲିସ ଜଣେ ବାଳକର ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିଲା । ଏଥିସହିତ ମୃତ ଦେହ ନିକଟକୁ ଏକ ସୁଇସାଇଡ ନୋଟ୍ ମଧ୍ୟ ପୁଲିସ ଜବତ କରିଥିଲା । ପିଲାଟିର ସୁଇସାଇଡ୍ ନୋଟଟିକୁ ପଢିବା ପରେ ପୁଲିସ ହତବାକ୍ ହୋଇପଡିଥିଲା । କାରଣ ପିଲାଟିର ମୃତ୍ୟୁର କାରଣ ଅନ୍ୟ କୌଣସି ମାମଲା ନଥିଲା ବରଂ ପିଲାଟି ନିଜର ମଦ୍ୟପ ବାପାର ବ୍ୟବହାରରେ ଅତିଷ୍ଟ ହୋଇ ଏଭଳି ଏକ ଚରମ ନିଷ୍ପତି ନେଇଥିଲା ।

ପିଲାଟିର ମୃତଦେହ ନିକଟରୁ ଜବତ ହୋଇଥିବା ସୁଇସାଇଡ୍ ନୋଟରେ ଲେଖାଥିଲା କି, “ବାପା, ମୁଁ ଦିନେସ ଏହି ଚିଠିଟିକୁ ଲେଖୁଛି । ମୁଁ ମରିବା ପରେ ତୁମେ ମୋ ଚିତାରେ ମୁଖାଗ୍ନି ଦେବନାହିଁ । କାରଣ ତୁମେ ସବୁବେଳେ ମଦ ପିଉଛ । ତୁମେ ମୋ ପାଇଁ ନଣ୍ଡା ମଧ୍ୟ ହେବନି , ମୋର କ୍ରିୟାକର୍ମରେ ବି କରିବନି । କାରଣ ଏହା ମୋର ଶେଷ ଇଚ୍ଛା । ତୁମେ ମଦ ପିଇବା ବନ୍ଦ କଲେ ଯାଇ ମୋ ଆତ୍ମାକୁ ଶାନ୍ତି ମିଳିବ । ଏବେ ଦେଖିବା ସରକାର ମଦ କାରବାର ଉପରେ ରୋକ ଲଗାଉଛନ୍ତି କି ନାହିଁ । ଯଦି ସରକାର ଏପରି ନକରନ୍ତି ତେବେ ମୋର ଆତ୍ମା ବାରମ୍ବାର ଆସି ଏଭଳି କହୁଥିବ ।”

ଏଠାରେ ଆମେ କହି ରଖୁଛୁ କି, ଦିନେସ ଜଣେ ମେଧାବୀ ଛାତ୍ର । ଦଶମ ଶ୍ରେଣୀ ପାସ୍ କରିବା ପରେ ସେ ନିଟ୍ ପାଇଁ ପ୍ରସ୍ତୁତ ହେଉଥିଲେ । ଦିନେସଙ୍କ ମାଆଙ୍କର ୯ ବର୍ଷ ପୂର୍ବରୁ ହିଁ କୌଣସି କାରଣରୁ ମୃତ୍ୟୁ ହୋଇଯାଇଥିଲା । ଯାହା ପରେ ଦିନେସଙ୍କ ବାପା ଦ୍ୱିତୀୟ ବିବାହ କରିଥିଲେ । ତେବେ ପ୍ରତିଦିନ ଦିନେସଙ୍କ ବାପା ମଦ୍ୟପାନ କରି ଘରକୁ ଫେରିଥିଲେ । ଯାହାକୁ ସେ ବାରମ୍ବାର ବିରୋଧ କରୁଥିଲେ । ଏପରିକି ଏଥିପାଇଁ ଦିନେସଙ୍କୁ ବାପାଙ୍କଠାରୁ ମାଡ ମଧ୍ୟ ଖାଇବାକୁ ପଡିଥିଲା । ତେଣୁ ପ୍ରତିଦିନର ଏହି ସତ୍ୟକୁ ସାମ୍ନା କରିବା ଅପେକ୍ଷା ଦିନେସ୍ ଆତ୍ମହତ୍ୟା ଭଳି କଠୋର ନିଷ୍ପତି ନେବାକୁ ବାଧ୍ୟ ହୋଇଥିଲେ ।