ମଣିଷ ମାରିବା ପରେ ବଳଦ ଶିକାର କଲା ‘ସୁନ୍ଦରୀ’। ଲୋକଙ୍କ ଏକା ଜିଦ୍ ବିଦା ହେଉ ବାଘ, ସ୍ୱର ମିଳାଇଲେ ଆଠମଲ୍ଲିକ ବିଧାୟକ । ବାଘୁଣୀକୁ ଧରିବା ପାଇଁ ବନ୍ଧୁକ ସଜ କଲା ବନ ବିଭାଗ

73

କନକ ବ୍ୟୁରୋ: କାବୁ ହେବ ସାତକୋଶିଆରେ ଉତ୍ପାତ କରୁଥିବା ସୁନ୍ଦରୀ । ରକ୍ତମୁଖା ବାଘକୁ ବେଶିଦିନ ବାହାରେ ରଖିଲେ ମୁସ୍କିଲ । ତେଣୁ ଟ୍ରାଙ୍କୁଲାଇଜ କରି ଏନକ୍ଲୋଜରକୁ ନେବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା । ସେପଟେ ଦୁଇ ଦୁଇଟି ହତ୍ୟା ପରେ ଗାଁ ଲୋକଙ୍କ ଏକା ଜିଦ୍- ବାଘକୁ ବିଦା କର । ହେଲେ ପିସିସିଏଫ ବାଘୁଣୀକୁ ନରଖାଦକ ଘୋଷଣା କରିବା ପାଇଁ ମନା କରିଦେଇଛନ୍ତି । କାରଣ, ବାଘୁଣୀ ମଣିଷ ମାରିଥିବା ନେଇ ପ୍ରମାଣ ନାହିଁ ।

ସଫା ହେଉଛି ବନ୍ଧୁକ । ଏହି ବନ୍ଧୁକରେ ନିସ୍ତେଜକ ଦେଇ ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରିବା ପରେ କାବୁୁ କରି ଏନକ୍ଲୋଜରକୁ ନିଆଯିବ । ସାତକୋଶିଆରେ ଉତ୍ପାତ କରୁଥିବା ସୁନ୍ଦରୀକୁ ଧରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଏଥିପାଇଁ ଓୟୁଏଟି, ନନ୍ଦନକାନନର ପଶୁ ବିଶେଷଜ୍ଞ ଏବଂ ଗନ୍ ଆସିଷ୍ଟାଂଟ ଗତକାଲିଠାରୁ ଅନୁଗୁଳରେ ପହଂଚି ସାରିଛନ୍ତି । ଶିମିଳିପାଳରୁ ମଧ୍ୟ ଏକ ଟ୍ରାଙ୍କୁଲାଇଜ ଟିମ୍ ସାତକୋଶିଆରେ ପହଂଚିଛନ୍ତି । ଡେରାଡୁନରୁ ବନ୍ୟଜନ୍ତୁ ବିଶେଷଜ୍ଞ ବି ଆସିଛନ୍ତି ।

ରବିବାର ଅନୁଗୁଳ ପୁରୁଣାକୋର୍ଟ ଥାନା ଟାଇଁସି ଗାଁରେ ମଣିଶ ମାରିବା ପରେ ସୋମବାର କୁମୁରିରେ ବଳଦ ଶିକାର କରିଛି ସୁନ୍ଦରୀ । ଏପରିକି ବାଘୁଣୀ ଗାଁ ପାଖରେ ବୁଲୁଥିବା ଗ୍ରାମବାସୀ କହିଛନ୍ତି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଭୟ ବଢ଼ିବାରେ ଲାଗିଛି । ଦେଢମାସ ତଳେ ହାତୀବାରିରେ ଜଣେ ବୃଦ୍ଧାଙ୍କୁ ହତ୍ୟା କରିବା ପରେ ପୁଣି ଟାଇଁସିରେ ଜଣେ ବୃଦ୍ଧଙ୍କୁ ମାରିପକାଇଛି ସୁନ୍ଦରୀ । ହେଲେ ପିସିସିଏଫ କହିଛନ୍ତି, ବାଘୁଣୀକୁ ନରଖାଦକ ଘୋଷଣା କରାଯିବ ନାହିଁ । କାରଣ ଦୁଇଟିଯାକ ଘଟଣାରେ ବାଘ ଆକ୍ରମଣ କଥା କୁହାଯାଉଥିଲେ ବି ଏପର୍ଯ୍ୟନ୍ତ ପ୍ରମାଣ ମିଳିନାହିଁ ।

ଦିନକୁ ଦିନ ହିଂସ୍ର ହେଉଛି ଜଙ୍ଗଲି ଜନ୍ତୁ । ଯାହାକୁ ନେଇ ହିଂସା ବଢିବାରେ ଲାଗିଛି । ଆଉ ଲୋକଙ୍କ ଏକା ଜିଦ୍- ବିଦା ହେଉ ବାଘୁଣୀ । ଲୋକଙ୍କ ଭିତରେ ବଢୁଥିବା ଆକ୍ରୋଶକୁ ଦେଖି ଆଠମଲ୍ଲିକ ବିଧାୟକ ସଂଜୀବ ସାହୁ କହିଛନ୍ତି ତୁରନ୍ତ ସୁନ୍ଦରୀକୁ ସାତକୋଶିଆରୁ ସ୍ଥାନାନ୍ତର କରାଯାଉ ।

ବାଘ ବଂଶ ବିସ୍ତାର ପାଇଁ ମଧ୍ୟପ୍ରଦେଶରୁ ଆସିଥିବା ବାଘୁଣୀ ସାତକୋଶିଆର କୋର ଏରିଆ ଛାଡି ଆଖପାଖ ଜନବସତିରେ ଚଳପ୍ରଚଳ କରୁଛି । ଦୁଇ ଦୁଇଟି ସ୍ଥାନରେ ମଣିଶ ଶିକାର ନେଇ ଖବର ପରେ ଉତ୍ତେଜନା ବଢିବାରେ ଲାଗିଛି । ଆନ୍ଦୋଳନ, ଲାଠିଚାର୍ଜ, ପୋଲିସ ଭ୍ୟାନ ପୋଡି ଓ ଢେଲାମାଡ ଭିତରେ ଆଇନ ଶୃଙ୍ଖଳା ପରିସ୍ଥିତି ଜଟିଳ ହୋଇଛି । ଯେଉଁଥିପାଇଁ ଅନୁଗୁଳରେ ୧୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବା ସହ ସମ୍ବଲପୁର ଓ ଢେଙ୍କାନାଳରୁ ସ୍ପେଶାଲ ଫୋର୍ସ ମଧ୍ୟ ମଗାଯାଇଛି । ଆଉ ଏହାରି ଭିତରେ ନଜର ରହିଛି ଡବ୍ଲୁଆଇଆଇ ଓ ଏନଟିସିଏର ପରାମର୍ଶରେ ବନ ବିଭାଗ ବାଘୁଣୀକୁ ନେଇ ଆଗକୁ କି ପଦକ୍ଷେପ ନେଉଛି ।