ଆଇଏମଇଆଇ ନମ୍ବର ବିକୃତ କଲେ ୩ ବର୍ଷ ଜେଲ୍‌

46

ମୋବାଇଲ ଫୋନରେ ରହିଥିବା ଆଇଏମଇଆଇ ( ଅନ୍ତର୍ଜାତୀୟ ମୋବାଇଲ ଉପକରଣ ନମ୍ବର) ସଂଖ୍ୟାକୁ ବିକୃତ କରିଲେ ଏହାକୁ ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରାଯିବ । ଏଥିପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଭୋଗିବା ସହିତ ଜରିମାନା ମଧ୍ୟ ଦେବାକୁ ପଡ଼ିପାରେ । ଟେଲିକମ୍ ବିଭାଗ ପକ୍ଷରୁ ଏ ନେଇ ଗତମାସ ୨୫ ତାରିଖରେ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଦେଶରେ ମୋବାଇଲ ଚୋରିକୁ ରୋକିବା ପାଇଁ ଏହି ନିୟମ ପ୍ରସ୍ତୁତ କରାଯାଇଛି । ଏଥିସହିତ ନକଲି ଆଇଏମ୍ଇଆଇ ନମ୍ବରକୁ ରୋକାଯିବା ସହିତ ହଜିଯାଇଥିବା ମୋବାଇଲ ଫୋନକୁ ଟ୍ରାକ୍ କରିବା ମଧ୍ୟ ତଦନ୍ତକାରୀ ସଂସ୍ଥା ପାଇଁ ସହଜ ହେବ ।

ମୋବାଇଲ ନିର୍ମାତା ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତି ଯଦି ଜାଣିଶୁଣି ଆଇଏମଇଆଇ ନମ୍ବରକୁ ବିକୃତ କରନ୍ତି, ବଦଳାନ୍ତି, ନଷ୍ଟ କରନ୍ତି ତାହାକୁ ବେଆଇନ କାର୍ଯ୍ୟ ଭାବେ ବିବେଚନା କରାଯିବ । ଏହି ନିୟମର ନାମ ‘ଦି ପ୍ରିଭେନସନ୍ ଅଫ୍ ଟେମ୍ପରିଂ ଅଫ୍ ଦି ମୋବାଇଲ ଡିଭାଇସ୍ ଇକ୍ୱିପମେଣ୍ଟ ଆଇଡେଣ୍ଟିଫିକେସନ୍ ନମ୍ବର, ରୁଲ୍ସ,୨୦୧୭’ ରଖାଯାଇଛି । ଏପରିକି ଆଇଏମଇଆଇ ନମ୍ବରକୁ ବେଆଇନ ଭାବେ ବିକୃତ କରାଯାଇଥିବା ଜାଣିଥିଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସେହି ମୋବାଇଲ ଫୋନ୍ ବ୍ୟବହାରରୁ ବାରଣ କରାଯାଇଛି ।

ଆଇଏମଇଆଇ ହେଉଛି ମୋବାଇଲ ଫୋନର ଏକ ସ୍ୱତନ୍ତ୍ର ୧୫ ଅଙ୍କ ବିଶିଷ୍ଟ ସଂଖ୍ୟା । ଯେତେବେଳେ ଜଣେ ବ୍ୟକ୍ତି ଗୋଟିଏ ମୋବାଇଲ ଫୋନରୁ କଲ୍ କରନ୍ତି ସେତେବେଳେ କଲ୍ ରେକର୍ଡରୁ ସେହି ମୋବାଇଲ ଫୋନର ସିମ୍ ନମ୍ବର ଏବଂ ଆଇଏମ ଇଆଇ ନମ୍ବର ଜଣାପଡ଼ିଥାଏ । ଜଣେ ସାଧାରଣ ବ୍ୟକ୍ତି ଗୋଟିଏ ହ୍ୟାଣ୍ଡସେଟରେ ଅନ୍ୟ ଏକ ସିମ୍ ପକାଇ କଲ୍ କରିପାରନ୍ତି । କିନ୍ତୁ ସେ ଜାଣିପାରନ୍ତି ନାହିଁ ଯେ କଲ୍ କରାଯାଉଥିବା ହ୍ୟାଣ୍ଡସେଟରୁ ମଧ୍ୟ ଚୋରି ହୋଇଥିବା ମୋବାଇଲ ଫୋନର ପତ୍ତା ମିଳିଯିବ । ତେବେ ଉଚ୍ଚ ବୈଷୟିକ ଜ୍ଞାନ ରଖିଥିବା ବ୍ୟକ୍ତି ହିଁ କେବଳ ସ୍ୱତନ୍ତ୍ର ଉପକରଣ ମାଧ୍ୟମରେ ଆଇଏମଇଆଇ ନମ୍ବରକୁ ବଦଳାଇବା କ୍ଷମତା ରଖିଥାନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଆଇଏମଇଆଇ ନମ୍ବରକୁ ଅନ୍ତର୍ଜାତୀୟସ୍ତରର ସଂସ୍ଥା ଜିଏସଏମଏ ଏବଂ ଏହାଦ୍ୱାରା ଅଧିସ୍ୱୀକୃତ ସଂସ୍ଥା ଗୁଡ଼ିକ ହିଁ ପ୍ରଦାନ କରିଥାନ୍ତି । ଯେତେବେଳେ ମୋବାଇଲ ଫୋନ୍ ଚୋରି ହୋଇଯାଏ ସେତେବେଳେ ହ୍ୟାଣ୍ଡସେଟ୍ ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ତଦନ୍ତକାରୀ ସଂସ୍ଥା ଏବଂ କମ୍ପାନିକୁ ଆଇଏମଇଆଇ ନମ୍ବର ପ୍ରଦାନ ଲାଗି କୁହାଯାଇଥାଏ ।

ଆଇଏମଇଆଇ ନମ୍ବରକୁ ବିକୃତ କରାଯିବା ଦ୍ୱାରା ତଦନ୍ତକାରୀ ସଂସ୍ଥା ଗୁଡ଼ିକୁ ମୋବାଇଲ ଫୋନକୁ ଟ୍ରାକ୍ କରିବା ଲାଗି ବହୁ ଅସୁବିଧା ସୃଷ୍ଟି ହେଉଥିଲା । ଫଳରେ ଏହି ନମ୍ବରକୁ ବିକୃତ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଗତ ଜୁନରେ ଟେଲିକମ୍ ବିଭାଗ ବିଚାରବିମର୍ଶ ଆରମ୍ଭ କରିଥିଲା ।

ନକଲି ଆଇଏମଇଆଇ ନମ୍ବର ଥିବା ହ୍ୟାଣ୍ଡସେଟ୍ ମାଧ୍ୟମରେ ମୋବାଇଲ ଫୋନ୍ ସେବା କମ୍ପାନି ଯୋଗାଇ ପାରିବେ ନାହିଁ ବୋଲି ଟେଲିକମ୍ ବିଭାଗ (ଡଟ୍) ୨୦୦୯ରୁ ନିୟମ କରିଛି । ଗୋଟିଏ ମୋବାଇଲ ଫୋନକୁ ଟେଲିକମ୍ ଏନଫୋର୍ସମେଣ୍ଟ ରିସୋର୍ସ ଆଣ୍ଡ ମନିଟରିଂ (ଟିଇଆରଏମ୍) ସେଲ୍ ଟ୍ରାକ୍ କରିବା ସମୟରେ ଜାଣିବାକୁ ପାଇଥିଲା ଯେ ୧୮ ହଜାର ହ୍ୟାଣ୍ଡସେଟରେ ଗୋଟିଏ ଆଇଏମଇଆଇ ନମ୍ବର ବ୍ୟବହାର ହେଉଛି । ଫଳରେ ନକଲି ଆଇଏମଇଆଇ ନମ୍ବର ଜାଣିବା ଟେଲିକମ୍ ସେବା ପ୍ରଦାନକାରୀ କମ୍ପାନିଙ୍କ ପାଇଁ କଷ୍ଟକର ହୋଇ ପଡ଼ିଛି । ଟେଲିକମ୍ ବିଭାଗ ପକ୍ଷରୁ ଭାରତୀୟ ଟେଲିଗ୍ରାଫ୍ ଆଇନର ଧାରା ୭ ଏବଂ ୨୫କୁ ଆଧାର କରି ନୂଆ ନିୟମ ପ୍ରସ୍ତୁତ ହୋଇଛି । ଏଥିରେ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ବା ଜରିମାନା ଏବଂ ଉଭୟର ବ୍ୟବସ୍ଥା ରହିଛି ।