ତାଳଧ୍ୱଜର ବଡ଼ଠାକୁର : ହାତ ପାପୁଲିରେ ଜ୍ଞାନର ଦର୍ପଣ

74

ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥର ଧ୍ୱଜାରେ ତାଳଚିହ୍ନ ରହେ ବୋଲି କେତେକ ଆଲୋଚକଙ୍କ ଲେଖାରୁ ଜଣାଯାଏ । ୧୯୬୯ ମସିହାର ନବକଳେବର ଅବସରରେ ପ୍ରକାଶିତ ‘ଶ୍ରୀଜଗନ୍ନାଥ ଓ ନବକଳେବର’ ପୁସ୍ତକରେ ମଧ୍ୟ ଡକ୍ଟର କାହ୍ନୁ ଚରଣ ମିଶ୍ର ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥର ଧ୍ୱଜାରେ ଦର୍ପଣ ଚିହ୍ନ ରହେ ବୋଲି ଲେଖିଛନ୍ତି। କିନ୍ତୁ କେବଳ ଶ୍ରୀବଳଭଦ୍ରଙ୍କ ରଥରେ କାହିଁକି, ଶ୍ରୀଜଗନ୍ନାଥ କି ଦେବୀ ସୁଭଦ୍ରାଙ୍କ ରଥର ଧ୍ୱଜାରେ କୌଣସି ଚିହ୍ନ ରହେନାହିଁ ବୋଲି ଜଣାଯାଏ। ‘ସ୍କନ୍ଦପୁରାଣ-ଶ୍ରୀପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ’ ଗ୍ରନ୍ଥରେ ଶ୍ରୀବଳଭଦ୍ରଙ୍କ ରଥ କାହିଁକି ତାଳଧ୍ୱଜ, ସେ ସଂପର୍କରେ ଗୋଟିଏ ତାତ୍ତ୍ଵିକ ପ୍ରସଙ୍ଗ ଅଛି।

ପଞ୍ଚବିଂଶ ଅଧ୍ୟାୟର ୧୩, ୧୪ ଓ ୧୫ ଶ୍ଳୋକରେ ‘ତାଳଧ୍ୱଜ’ର ‘ତାଳ’କୁ ଦର୍ପଣ ସହିତ ଯୋଡ଼ାଯାଇଛି। ୧୩ ଶ୍ଲୋକରେ କୁହାଯାଇଛି- ଶ୍ରୀବଳଭଦ୍ର ସୁନିର୍ମଳ ଜ୍ଞାନରୂପ ଆଦର୍ଶ ବା ଦର୍ପଣ ଦ୍ୱାରା ସମସ୍ତ ଚରାଚରଙ୍କୁ ଦର୍ଶନ କରୁଅଛନ୍ତି। ତାହାଙ୍କ କରତଳ (ପାପୁଲି)ରେ ସଦାସର୍ବଦା ନିର୍ମଳ ଦର୍ପଣ ଅବସ୍ଥାନ କରୁଅଛି। ଡକ୍ଟର କାହ୍ନୁ ଚରଣ ମିଶ୍ର ପୁସ୍ତକରେ, ମହୀମୋହନ ତ୍ରିପାଠୀ ‘ପ୍ରବନ୍ଧେ ପୁରୁଷୋତ୍ତମ’ର ‘ତାଳଧ୍ୱଜ ରଥ’ ପ୍ରବନ୍ଧରେ ଏବଂ ଡକ୍ଟର ସିଦ୍ଧେଶ୍ୱର ମହାପାତ୍ର ‘ପୁରୀ ବୋଲି’ ପୁସ୍ତକରେ ଏହାର ଆଲୋଚନା କରିଛନ୍ତି। ପରବର୍ତ୍ତୀ ଦୁଇ ଶ୍ଳୋକ (୧୪-୧୫)ର ଅନୁବାଦ କରି ବାବା ଚୈତନ୍ୟ ଚରଣ ଦାସ କହିଛନ୍ତି- ଅତଏବ ବଳଭଦ୍ର ଅବତାର ଅନନ୍ତ ଦେବଙ୍କ ହସ୍ତତଳସ୍ଥିତ ହେତୁ ଏହାର ନାମ ତାଳ ଏବଂ ପ୍ରଭୁ ସର୍ବଦା ଏହି ତାଳ ଚିହ୍ନରେ ଚିହ୍ନିତ।

ଅଥବା ରଥର ଧ୍ୱଜରେ ସୁନିର୍ମଳ ହଳ ଅର୍ଥାତ୍ ଲଙ୍ଗଳ ଚିହ୍ନ ଯୁକ୍ତ ଥିବାରୁ ଏହି ରଥର ନାମ ‘ତାଳଧ୍ୱଜ’। କିନ୍ତୁ ମହୀମୋହନ ତ୍ରିପାଠୀ ଉପର ସୂଚିତ ପ୍ରବନ୍ଧରେ ଏହାର ଏକ ଭିନ୍ନ ଆଲୋଚନା କରିଛନ୍ତି। ସେ ଲେଖିଛନ୍ତି- ‘‘ପୌରାଣିକ ବୀରପୁରୁଷମାନଙ୍କର ରଥମାନଙ୍କରେ ଧ୍ୱଜା ଶୋଭା ପାଉଥିଲା। ତାହା ଥିଲା ବିଭିନ୍ନ ରଙ୍ଗର ଓ ବିଭିନ୍ନ ସଙ୍କେତଯୁକ୍ତ। ମହାବୀର ଭୀଷ୍ମଙ୍କ ଧ୍ୱଜା ବା ପତାକାରେ ପାଞ୍ଚଟି ତାରକା ସହିତ ତାଳବୃକ୍ଷ ଚିହ୍ନ ଥିଲା। ବଳରାମଙ୍କ ରଥର ଧ୍ୱଜାରେ ମଧ୍ୟ ତାଳବୃକ୍ଷ ଚିହ୍ନ ଥିଲା। ହୁଏତ ସେଥିପାଇଁ ବଳରାମଙ୍କ ରଥକୁ ‘ତାଳଧ୍ୱଜ’ କୁହାଯାଇଛି।’’ ‘ଯୁଗ ଶକ୍ତି ଗାୟତ୍ରୀ’ରେ ପ୍ରକାଶିତ ଏକ ଲେଖା (ଅଗଷ୍ଟ ୨୦୦୬) ଆଧାରରେ ସେ ଏହା କହିଛନ୍ତି।

ଏହି ପ୍ରସଙ୍ଗରେ ସେ ଜନ୍ ଡାଉସନ୍ଙ୍କ ଅଭିଧାନ (ଏ କ୍ଲାସିକାଲ ଡିକ୍ସନାରୀ ଅଫ୍ ହିନ୍ଦୁ ମାଇଥୋଲଜି ଆଣ୍ଡ୍ ରିଲିଜିଅନ୍)କୁ ମଧ୍ୟ ଉଦ୍ଧାର କରି ଲେଖିଛନ୍ତି, ‘ଡାଉସନଙ୍କ ଅନୁସାରେ- ବଳରାମଙ୍କ ରଥରେ ଥିବା ପତାକା ବା ଧ୍ୱଜାରେ ତାଳ ଚିହ୍ନ ଥିବାରୁ ତାଙ୍କର ନାମ ବା ଉପାଧି ଥିଲା ତାଳଧ୍ୱଜ। ଭୀଷ୍ମଙ୍କ ପତାକା, ନାମ ବା ଉପାଧି ସହିତ ‘ତାଳ’ କାହିଁକି ସଂଯୁକ୍ତ ହେଲା ତାହାର କାରଣ ଜଣାପଡୁନାହିଁ ।’ କିନ୍ତୁ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ରଥ କିମ୍ବା ଶ୍ରୀଜଗନ୍ନଥ ଓ ଦେବୀ ସୁଭଦ୍ରାଙ୍କ ରଥର ଧ୍ୱଜାରେ କୌଣସି ଚିହ୍ନ ନଥିବାରୁ, ‘ସ୍କନ୍ଦପୁରାଣ’ର ତାତ୍ତ୍ଵିକ ଅର୍ଥଟି ହିଁ ‘ତାଳଧ୍ୱଜ’ କ୍ଷେତ୍ରରେ ଅଧିକ ପ୍ରାସଙ୍ଗିକ ମନେହୁଏ ।