ପୁଣି ଚର୍ଚ୍ଚାରେ ହୀରା ବ୍ୟବସାୟୀ ସାବଜୀ ଢ଼ୋଲାକିଆ ! ଦୀପାବଳି ଅବସରରେ ନିଜ ୬ଶହ କର୍ମଚାରୀଙ୍କୁ ଉପହାର କରିବେ କାର

44

ଆସନ୍ତା ଦୀପାବଳି ଅବସରରେ ଦେଶର ଜଣାଶୁଣା ହୀରା ବ୍ୟବସାୟୀ ସାବଜୀ ଢ଼ୋଲକିଆ ତାଙ୍କର ୬ଶହ ଜଣ କର୍ମଚାରୀଙ୍କୁ ଗୋଟିଏ ଲେଖାଏଁ କାର ଉପହାର ଦେବେ। ନିଜ କର୍ମଚାରୀଙ୍କୁ ଦୀପାବଳୀ ସମୟରେ ଉପହାର ଆକାରରେ ଘର, କାର, ଅଳଙ୍କାର ଓ ବିଦେଶ ଭ୍ରମଣ ପରି ଉପହାର ଦେଇ ଚର୍ଚ୍ଚାରେ ଥିବା ହୀରା ବ୍ୟବସାୟୀ ଶ୍ରୀ ଢ଼ୋଲକିଆ ଗତ ଅଗଷ୍ଟ ମାସରେ ତାଙ୍କ କମ୍ପାନୀର ୨୫ ବର୍ଷ ହେବ କାର‌୍ୟ୍ୟ କରୁଥିବା ୩ ଜଣ କର୍ମଚାରୀଙ୍କୁ ୩ କୋଟି ଟଙ୍କା ବ୍ୟୟରେ ୩ଟି ମର୍ସିଡେଜ୍ ବେଞ୍ଜ କାର ଉପହାର ଦେଇ ଚର୍ଚ୍ଚାରେ ରହିଥିଲେ।

ହରେକୃଷ୍ଣ ଏକ୍ସପୋର୍ଟ କମ୍ପାନିର ମାଲିକ ଶ୍ରୀ ଢ଼ୋଲକିଆ ଦାମୀ ଦୀପାବଳି ଉପହାର ଓ ବୋନସ ଦେଇ ଚର୍ଚ୍ଚାରେ ରହି ଆସିଛନ୍ତି।ଏହା କମ୍ପାନିର ଏକ ବାର୍ଷିକ ପରମ୍ପରାରେ ପରିଣତ ହୋଇଛି। ନିଜର ଜଣେ ସମ୍ପର୍କୀୟଙ୍କ ଠାରୁ କିଛି ଟଙ୍କା ଋଣ ଆକାରରେ ଆଣି ବ୍ୟବସାୟ ଆରମ୍ଭ କରିଥିବା ଶ୍ରୀ ଢ଼ୋଳକିଆ ନିଜର ଉଦ୍ୟମ ସହିତ କର୍ମଚାରୀମାନଙ୍କ ପରିଶ୍ରମ ଯୋଗୁଁ ସଫଳ ହୋଇପାରିଛନ୍ତି ବୋଲି କୁହନ୍ତି।

ସେହିପରି ସାବଜୀ ଢ଼ୋଲାକିଆ ଦେଶରେ ଜଣାଶୁଣା ହୀରା ବ୍ୟବସାୟୀଙ୍କ ମଧ୍ୟରେ ଅନ୍ୟତମ । ୬ ହଜାର କୋଟି ଟଙ୍କାର ମାଲିକ, ୭୧ ଟି ଦେଶରେ ତାଙ୍କ କାରବାର ଚାଲିଛି । ହେଲେ ଜୀବନର ମୁଲ୍ୟ ବୁଝିବାକୁ ନିଜ ପୁଅକୁ ଦୁଇ ବର୍ଷ ତଳେ ସଂଘର୍ଷ କରିବାକୁ ଛାଡ଼ି ଦେଇଥିଲେ ଢୋଲାକିଆ । ଆମେରିକାରେ ଏମବିଏ ପଢୁଥିବା ଦ୍ରଭ୍ୟ ଛୁଟିରେ ଭାରତ ଆସିଥିଲେ । ଗରିବ ଲୋକମାନେ କେମିତି ଜୀବନ ଅତିବାହିତ କରୁଛନ୍ତି, ଚାକିରି ପାଇଁ କେମିତି ଯୁବକମାନେ ସଂଘର୍ଷ କରୁଛନ୍ତି ସେହି କଥା ବୁଝିବା ପାଇଁ ସାବଜୀ ଢ଼ୋଲାକିଆ ତାଙ୍କୁ ଏହି ଚ୍ୟାଲେଂଜ୍ ଦେଇଥିଲେ । ଆଉ ଏଥିରେ ରାଜି ହୋଇ ଦ୍ରଭ୍ୟ କେରଳର କୋଚିକୁ ଚାଲିଯାଇଥିଲେ । ଯେଉଁଠାରେ ଲୋକ ହିନ୍ଦୀ ଠିକରେ ବୁଝି ପାରନ୍ତି ଓ ଦ୍ରଭ୍ୟ ମାଲାୟଲମ୍ ବୁଝିପାରନ୍ତି ନାହିଁ । ସେହି ସ୍ଥାନରେ ହିଁ କାମ କରିବା ପାଇଁ ନିଷ୍ପତି ନେଇଥିଲେ ।

ସେଠାରେ ପହଂଚିବା ପରେ ଗରିବ ଘରର ୧୦ ପାସ୍ କରିଥିବା ଏକ ଯୁବକର ପରିଚୟ ଦେଇ ଚାକିରି ଖୋଜିବାର ଅଭିଯାନ ଆରମ୍ଭ କରିଥିଲେ । ଦୀର୍ଘ ୫ ଦିନ ଯାଏଁ କିଛି ବି କାମ ନ ପାଇବା ପରେ ନିରାଶ ହୋଇଯାଇଥିଲେ । ପରେ ଏକ ହୋଟେଲରେ ଟେବୁଲ ସଫା କରିବାର କାମ ମିଳିଥିଲା । ଯିବା ବେଳେ ବାପା ସାବଜୀ ଢ଼ୋଲାକିଆ ତାଙ୍କୁ ୭ ହଜାର ଟଙ୍କା ଏବଂ ଗୋଟିଏ ମୋବାଇଲ ଫୋନ୍ ଦେଇଥିଲେ । ତେବେ ଅତି ଜରୁରୀ ନହେଲେ ଏହା ବ୍ୟବହାର କରିବାକୁ ମନା କରିଥିଲେ। ଆଉ ସର୍ତ ରଖିଥିଲେ ଯେମିତି ଗୋଟିଏ କାମ ୭ ଦିନରୁ ଅଧିକ ନକରିବେ । ଫଳରେ କେତେବେଳେ ଜୋତା ଦୋକାନରେ ତ ଆଉ କେତେ ବେଳେ ହୋଟେଲରେ କାମ କରିଥିଲେ।