ଦିନ ମଜୁରୀଆରୁ ବାହୁବଳୀ ! ମାତ୍ର ୫ ଟଙ୍କାରେ କାମ କରି ଏବେ ୯୬ କୋଟି ଟଙ୍କା ସଂପତିର ମାଲିକ ଗ୍ରେଟ୍ ଖଲି

89

କୁହାଯାଏ ମଣିଷ ତାର ପରିଶ୍ରମବଳରେ ସବୁକିଛି ହାସଲ କରିପାରେ । ଏହାକୁ କାମରେ କରି ଦେଖାଇଛନ୍ତି ଗ୍ରେଟ୍ ଖଲି ଓରଫ୍ ଦିଲ୍ଲୀପ ସିଂହ ରାଣା । ତେବେ ଆଜିକା ଦିନରେ ଖଲି କେବଳ ଭାରତରେ ନୁହେଁ ବରଂ ବିଦେଶରେ ମଧ୍ୟ ସୃଷ୍ଟି କରିପାରିଛନ୍ତି ନିଜର ଏକ ସ୍ୱତନ୍ତ୍ର ପରିଚୟ । ଖଲି ଜଣେ ଭାରତର ପ୍ରଥମ ନାଗରିକ ହିସାବରେ ‘ଡବ୍ଲୁଡବ୍ଲୁଇ’ରେ ସ୍ଥାନ ପାଇଛନ୍ତି । ତେବେ ଖଲିଙ୍କ ଜୀବନଧାରା ଉପରେ ଆଧାରିତ ପୁସ୍ତକ ‘ଦ ମେନ୍ ହୁ ବିକେମ ଖଲି’ରେ ତାଙ୍କ ଜୀବନରେ ଘଟିଥିବା ପ୍ରତିଟି ଘଟଣାକୁ ଉଲ୍ଲେଖ କରାଯାଇଛି ।

ଖଲିଙ୍କ ଆର୍ଥିକ ଅବସ୍ଥା ବହୁତ ଖରାପ ଥିଲା । ଖଲି ଯେତେବେଳେ ପାଠ ପଢୁଥିଲେ, ସେତେବେଳେ ସ୍କୁଲର ଫିସ୍ ଦେବାପାଇଁ ତାଙ୍କ ପରିବାର ଲୋକଙ୍କ ପାଖରେ ଟଙ୍କା ନଥିଲା । ଖଲି ତାଙ୍କ ପୁସ୍ତକରେ କହିଥିଲେ କି, ୧୯୭୯ରେ ଗ୍ରୀଷ୍ମଋତୁ ସମୟରେ ଖଲିଙ୍କୁ ସ୍କୁଲରୁ ବାହର କରିଦିଆଯାଇଥିଲା । କାରଣ ମରୁଡି କାରଣରୁ ତାଙ୍କର ଫସଲ ନଷ୍ଟ ହୋଇଯିବା ଫଳରେ ଘର ଲୋକଙ୍କ ପାଖରେ ତାଙ୍କ ଫିସ୍ ଦେବାକୁ ଟଙ୍କା ନଥିଲା । ଶିକ୍ଷକ ଯେତେବେଳେ ଖଲିଙ୍କୁ ପିଲାଙ୍କ ସାମ୍ନାରେ ଅପମାନିତ କରିଥିଲେ । ସେତେବେଳେ ତାଙ୍କୁ ବହୁତ ଖରାପ ଲାଗିଥିଲା । ଆଉ ସେ ସ୍କୁଲ ଯିବା ବନ୍ଦ କରିଦେଇ ବାପାଙ୍କ ସହ ମିଶି କାମ କରିଥିଲେ । । ସେତେବେଳେ ତାଙ୍କୁ ମାତ୍ର ୮ବର୍ଷ ବୟସ ହୋଇଥିଲା ଆଉ ଏଥି ବୟସରେ ସେ ବାପାଙ୍କ ସହିତ ଗାଁରେ ଦିନ ମଜୁରିଆ କାମ କରିଥିଲେ । ଆପଣ ଜାଣିଲେ ଚକିତ ହେବେ ଏଥିପାଇଁ ତାଙ୍କୁ ପାରିଶ୍ରମିକ ମିଳୁଥିଲା ମାତ୍ର ୫ ଟଙ୍କା । ଯାହା ତାଙ୍କ ପାଇଁ ବହୁତ ମୂଲ୍ୟବାନ ଥିଲା । କାରଣ ତାଙ୍କୁ ମାତ୍ର ଅଢେଇ ଟଙ୍କା ପାଇଁ ସ୍କୁଲରୁ ବାହାର କରିଦିଆଯାଇଥିଲା ।

ତେବେ, ଖଲି ପଞ୍ଜାବ ପୁଲିସରେ ଥିବାବେଳେ ବଡିବିଲଡିଂ କରିବା ଆରମ୍ଭ କରିଥିଲେ । ୧୯୯୭ ଏବଂ ୧୯୯୮ରେ ‘ମିଷ୍ଟର ଇଣ୍ଡିଆ’ ମଧ୍ୟ ରହି ଆସିଛନ୍ତି ଖଲି । ଦ ଗ୍ରେଟ୍ ଖଲିଙ୍କ ପ୍ରତିଭାରେ ଭାରତର ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ଅବଦୁଲ୍ କଲାମ ଅତି ମାତ୍ରାରେ ପ୍ରଭାବିତ ହୋଇଥିଲେ । ସ୍ୱର୍ଗତ କଲାମ ୨୦୦୫ରେ ଖଲିଙ୍କୁ ଡାକି ତାଙ୍କୁ ଭେଟିଥିଲେ । ଖଲି ନିଜ କଠିନ ପରିଶ୍ରମବଳରେ ଆଜି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ବର୍ତ୍ତମାନ ଖଲିଙ୍କ ପାଖରେ ନିଜର ଦାମୀ ଘର ରହିଛି । ଏଥିସହ ୯୬ କୋଟି ଟଙ୍କା ସଂପତିର ମଧ୍ୟ ମାଲିକ ହୋଇପାରିଛନ୍ତି ।