ଆଜି ବିଶ୍ୱ ହସ୍ତୀ ଦିବସ : ବଢ଼ୁଛି ସଂଖ୍ୟା ତଥାପି ଅସୁରକ୍ଷିତ ଗଜରାଜ

83

କନକ ବ୍ୟୁରୋ- ଆଜି ପୁରା ବିଶ୍ୱ ପାଳୁଛି ବିଶ୍ୱ ହସ୍ତୀ ଦିବସ । ସୁସଜ୍ଜିତ ହୋଇଛନ୍ତି ଗଜରାଜ । ହାତୀମାନଙ୍କର ସଂରକ୍ଷଣ ଓ ସୁରକ୍ଷା ଉପଲକ୍ଷେ ଏହି ଦିବସ ପାଳନ ହେଉଛି । ତେବେ ନଜର ପକାନ୍ତୁ ଓଡିଶାରେ କେତେ ସୁରକ୍ଷିତ ଗଜରାଜ ।

ପ୍ରତିବର୍ଷ ଅଗଷ୍ଟ ୧୨ରେ ହାତୀମାନଙ୍କ ପାଇଁ ପାଳନ ହେଉଛି ବିଶ୍ୱ ହସ୍ତୀ ଦିବସ । ହାତୀମାନଙ୍କ ଉଦ୍ଦେଶ୍ୟରେ ଏହି ଦିନକୁ ପାଳନ କରିବା ପାଇଁ କାନାଡାର ଫିଲ୍ମ ନିର୍ମାତା ପାଟ୍ରିସିଆ ସିମ୍ସ ଓ ମାଇକେଲ କ୍ଲାର୍କଙ୍କ ପରାମର୍ଶ କ୍ରମେ ୨୦୧୨ ଅଗଷ୍ଟ ୧୨ ଠାରୁ ପ୍ରତିବର୍ଷ ଏହି ଦିବସ ପାଳନ ହେଉଛି । ପ୍ରାୟ ୬୫ଟି ବନ୍ୟପ୍ରାଣୀ ସଂଗଠନଙ୍କ ଦ୍ୱାରା ଏହି ଦିବସକୁ ପାଳନ କରାଯାଉଛି । ତେବେ ଗତ କିଛି ବର୍ଷର ରେକର୍ଡକୁ ଅନୁଧ୍ୟାନ କଲେ ସାରା ବିଶ୍ୱରେ ହାତୀମାନେ ଅସୁରକ୍ଷିତ ଥିବା ଜଣାଯାଏ । ଗ୍ରେଟ ଏଲିଫ୍ୟାଣ୍ଟ ସେନସସ୍ ପକ୍ଷରୁ କରାଯାଇଥିବା ସର୍ଭେ ରିପୋର୍ଟରେ ୨୦୦୭ରୁ ୨୦୧୪ ମସିହା ମଧ୍ୟରେ ଆଫ୍ରିକୀୟ ହାତୀଙ୍କ ସଂଖ୍ୟା ପ୍ରାୟ ୩୦ ପ୍ରତିଶତ କମିଥିବା ଦର୍ଶାଯାଇଛି । ଯାହା ଏକ ଚିନ୍ତାଜନକ ବିଷୟ । ବିଭିନ୍ନ ପଦକ୍ଷେପ ସତ୍ୱେ ବି ଜଙ୍ଗଲୀ ହାତୀଙ୍କୁ ଟାର୍ଗେଟ କରୁଛନ୍ତି ଶିକାରୀ ।

ସାରା ଦେଶରେ ଅନେକ ସ୍ଥାନରେ ଗଜରାଜ ଅସୁରକ୍ଷିତ ଥିବାର ରିପୋର୍ଟ ପ୍ରକାଶ କରିଛି କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ । ଅଧିକାଂଶ ସମୟରେ ହାତୀ ମଣିଷ ଲଢ଼େଇ ଫଳରେ ଅନେକ ଧନଜୀବନ ନଷ୍ଟ ହୋଇଛି । କେବେ ଟ୍ରେନ ଲାଇନରେ କଟି ତ କେବେ ବିଦ୍ୟୁତ ଆଘାତରେ ଆସି ପ୍ରାଣ ଜୀବନ ଯାଇଛି ହାତୀର । ପୁଣି କେବେ ଶିକାରୀ ହାତରେ ଯାଇଛି ଗଜରାଜଙ୍କ ଜୀବନ ।

କେରଳ, କର୍ଣ୍ଣାଟକ ଓ ତାମିଲ ନାଡୁରେ ହାତୀମଣିଷ ଲଢ଼େଇ ସର୍ବାଧିକ ଥିବା ବେଳେ ଓଡିଶାରେ ୧୮୯ , ଝାରଖଣ୍ଡରେ ୧୬୧, ଛତିିଶଗଡରେ ୧୫୮ ଓ ଆସାମରେ ୧୫୪ ଜଣ ହାତୀ ଆକ୍ରମଣର ଶିକାର ହୋଇଛନ୍ତି । ଜଙ୍ଗଲ ହ୍ରାସ ଦ୍ୱାରା ବନ୍ୟଜନ୍ତୁ ଜନବସତି ଆଡକୁ ମାଡି ଆସୁଥିବା ବେଳେ ଏହି କ୍ରମରେ ପଛରେ ପଡିନି ହାତୀ । ଖାଦ୍ୟ ଅନ୍ୱେଷଣରେ ବିଭିନ୍ନ ଗାଁ ଭିତରକୁ ପଶିଆସିବା ଦ୍ୱାରା ଧନଜୀବନ ନଷ୍ଟ ହେଉଛି । ମୋଟାମୋଟି ଭାବେ ଧାନ, ମକା ଓ ବାଜରା ଭଳି କ୍ଷେତଥିବା ଅଞ୍ଚଳକୁ ଖାଦ୍ୟ ଅନ୍ୱେଷଣରେ ଆସିଥାନ୍ତି ଜଙ୍ଗଲୀ ହାତୀ । ଫଳରେ ହାତୀ ଓ ମଣିଷ ମଧ୍ୟରେ ଅଧିକାଂଶ ସମୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଥାଏ । ତେବେ ଓଡିଶାରେ ବିଗତ ଦୁଇବର୍ଷ ମଧ୍ୟରେ ପ୍ରାୟ ୧୫୬ ହାତୀଙ୍କର ମୃତ୍ୟୁ ହୋଇଥିବା କହିଛି ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ । ଯାହାକି ପ୍ରମାଣ କରୁଛି ଓଡିଶାରେ ବି ସୁରକ୍ଷିତ ନୁହଁନ୍ତି ହାତୀ ।

ରାଜ୍ୟରେ ବର୍ଷକୁ ପ୍ରାୟ ୬୩ଟି ହାତୀମୃତ୍ୟୁ ହେଉଥିବା ବେଳେ ହାତୀ ଆକ୍ରମଣରେ ୬୧ ଲୋକଙ୍କର ମୃତ୍ୟୁ ହେଉଥିବା ରେକର୍ଡ କରାଯାଇଛି । ୨୦୦୬-୦୭ରୁ ୨୦୧୬-୧୭ ମଧ୍ୟରେ ପ୍ରାୟ ୬୯୯ ହାତୀଙ୍କର ଜୀବନ ଯାଇଛି ରାଜ୍ୟରେ । ଢ଼େଙ୍କାନାଳ ଡିଭିଜନରେ ସର୍ବାଧିକ ୮୮ ହାତୀ ମୃତ୍ୟୁ ରେକର୍ଡ ହୋଇଥିବା ବେଳେ ଆଠଗଡ ଡିଭିଜନରେ ୭୨, ସିମିଳିପାଳ ଡିଭିଜନରେ ୬୦ ଓ କେନ୍ଦୁଝର ଡିଭିଜନରେ ୫୮ ହାତୀମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଛି । ସେହିଭଳି ବିଗତ ୧୧ବର୍ଷରେ ୬୭୦ ଜଣ ଲୋକଙ୍କ ପ୍ରାଣହାନୀ ଘଟିଛି ହାତୀ ଆକ୍ରମଣରେ । ଢ଼େଙ୍କାନାଳ ଡିଭିଜନରେ ୯୮, କେନ୍ଦୁଝର ଡିଭିଜନରେ ୯୩, ଅନୁଗୁଳ ଡିଭିଜନରେ ୪୮, ରାଉରକେଲା ଡିଭିଜନରେ ୫୩ ଓ ସୁନ୍ଦରଗଡ ଡିଭିଜନରେ ୫୭ଜଣଙ୍କ ଜୀବନ ଯାଇଛି ।

ଅନ୍ୟପଟେ ଓଡିଶାର ପରିବେଶବିତଙ୍କ ପାଇଁ ଏକ ଖୁସିର କଥା ହେଉଛି, ହାତୀମୃତ୍ୟୁ ସତ୍ୱେ ବି ହାତୀ ସଂଖ୍ୟା ବୃଦ୍ଧି ପାଇଛି ରାଜ୍ୟରେ । ୨୦୧୨ରେ ରାଜ୍ୟରେ ହାତୀ ସଂଖ୍ୟା ୧୯୩୦ ଥିବା ବେଳେ ୨୦୧୫ ଏହି ସଂଖ୍ୟା ବୃଦ୍ଧି ପାଇ ୧୯୫୪ରେ ପହଞ୍ଚିଥିଲା । ତେବେ ୨୦୧୭ ହାତୀଗଣନା ରିପୋର୍ଟ ଅନୁସାରେ ଏହି ସଂଖ୍ୟା ୧୯୭୬ରେ ପହଞ୍ଚିଛି । ଅର୍ଥାତ ବିଗତ ଦୁଇବର୍ଷରେ ଓଡିଶାରେ ୨୨ଟି ହାତୀ ଅଧିକ ଥିବା ରେକର୍ଡ ହୋଇଛି ।

ସିମିଳିପାଳ ଡିଭିଜନରେ ସର୍ବାଧିକ ୩୩୦ ହାତୀ ଥିବା ବେଳେ ଢ଼େଙ୍କାନାଳ ଡିଭିଜନରେ ୧୬୯ ହାତୀ ଥିବା ରେକର୍ଡ ହୋଇଛି । କିନ୍ତୁ ସୁନାବେଡା, ପୁରୀ, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ଖରିଆର ଓ ଜୟପୁର ଭଳି ଡିଭିଜନରେ ହାତୀମାନଙ୍କ ସଂଖ୍ୟା କମ ରହିଥିବା ରିପୋର୍ଟରେ ଦର୍ଶାଯାଇଛି । ତେବେ ହାତୀମୃତ୍ୟୁ ରୋକିବା ଦିଗରେ ସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ ଏନେଇ ଜନସଚେତନତାର ଆବଶ୍ୟକତା ରହିଛି ।