ହଜିଯାଉଛି ଉତ୍କଳ ବିଶ୍ୱବିଦ୍ୟାଳୟରେ ବିକାଶର ଚିତ୍ର ! ଭୂତ କୋଠି ପାଲଟିଲାଣି ୩ଟି କୋଠା ।

46

୨୦୧୫ ଫେବୃଆରି ୨୦। ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ପାଦ ଥାପିଥିଲେ। ଛାତ୍ର ସଂସଦ ବାର୍ଷିକ ଉତ୍ସବରେ ଯୋଗଦେଇ ଶହେ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଥିଲେ। କ୍ୟାମ୍ପସର ଭିତ୍ତିଭୂମି ବିକାଶ ସାଙ୍ଗକୁ ଗୁଣାତ୍ମକ ଶିକ୍ଷା ପ୍ରଦାନ, ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ଆଦି ବିଷୟ ପ୍ରତି ଗୁରୁତ୍ବ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଲାଙ୍ଗୁଏଜ୍ ବ୍ଲକ୍, ଡିଜିଟାଲ ଲାଇବ୍ରେରି, ସୋସିଆଲ୍ ସାଇନ୍ସ ବ୍ଲକ ପରି ଏକାଧିକ ପ୍ରକଳ୍ପର ମୂଳଦୁଆ ପଡ଼ିଥିଲା। ଏହାର ଦୁଇ ବର୍ଷ ପରେ ଅର୍ଥାତ୍ ୨୦୧୭ ଏପ୍ରିଲ ମାସରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପୁଣିଥରେ ବିଶ୍ବବିଦ୍ୟାଳୟ ଛାତ୍ର ସଂସଦର ବାର୍ଷିକ ଉତ୍ସବରେ ଯୋଗଦେଇ ଲାଙ୍ଗୁଏଜ୍ ବ୍ଲକର ଉଦଘାଟନ କରିଥିଲେ। ଇତି ମଧ୍ୟରେ ଉଦଘାଟନକୁ ୨୦ ମାସ ବିତିଯାଇଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନି ଲାଙ୍ଗୁଏଜ୍ ବ୍ଲକ। ଏଥିସହ ଡିଜିଟାଲ ଲାଇବ୍ରେରି, ସୋସିଆଲ୍ ସାଇନ୍ସ ବ୍ଲକ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଉଦଘାଟନ ହୋଇପାରିନି। ଯେଉଁଥିପାଇଁ ଅଧାରେ ଅଟକି ରହିଛି ବିଶ୍ବବିଦ୍ୟାଳୟର ବିକାଶ। ୨୦ କୋଟିରୁ ଅଧିକ ଟଙ୍କାର କାମ ଶେଷ ହୋଇ ପଡ଼ିରହିଛି। କେବେ କାର୍ଯ୍ୟକ୍ଷମ ହେବ, ତାହାର ଉତ୍ତର କାହା ପାଖରେ ବି ନାହିଁ। ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର୍ ସୌମେନ୍ଦ୍ର ମୋହନ ପଟ୍ଟନାୟକ ଓ କୁଳସଚିବ ଦୟାନିଧି ନାୟକ କୌଣସି ଉତ୍ତର ଦେଇ ନଥିବା ବେଳେ ପିଜି କାଉନସିଲ୍ ଅଧ୍ୟକ୍ଷ ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀ ଏ ବିଷୟରେ କିଛି କହିବାକୁ ରୋକଠୋକ ମନା କରି ଦେଇଛନ୍ତି।

ଲାଙ୍ଗୁଏଜ୍ ବ୍ଲକକୁ ଯାଉନି ଭାଷା ବିଭାଗ :

ଇଂରାଜୀ, ଓଡ଼ିଆ ଓ ସଂସ୍କୃତ ପିଜି ବିଭାଗ ଗୋଟିଏ ବିଲଡିଂରେ କାର୍ଯ୍ୟକ୍ଷମ ହେବାକୁ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ୩.୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ଲାଙ୍ଗୁଏଜ୍ ବ୍ଲକ। ୨୦୧୫ ମସିହାରେ ମୁଖ୍ୟମନ୍ତ୍ରୀ ଏହି ବିଲଡିଂର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଲକ୍ଷ୍ୟ ଥିଲା ୨୦୧୭-୧୮ ଶିକ୍ଷାବର୍ଷରୁ ଉପରୋକ୍ତ ୩ଟି ବିଭାଗ ଏହି ବିଲଡିଂରେ କାର୍ଯ୍ୟକ୍ଷମ ହେବ। ୨୦୧୭ ଏପ୍ରିଲ ମାସରେ ବିଲ୍ଡିଂ କାମ ଶେଷ ହୋଇଥିଲା ଓ ମୁଖ୍ୟମନ୍ତ୍ରୀ ଏହାକୁ ଉଦଘାଟନ କରିଥିଲେ। ଲାଗୁଥିଲା ନୂଆ ଶିକ୍ଷା ବର୍ଷରେ ତିନୋଟି ଭାଷା ବିଭାଗର ପାଠପଢ଼ା ନୂଆ ବିଲଡିଂରେ ହେବ। କିନ୍ତୁ ଦୁଇଟି ଶିକ୍ଷାବର୍ଷ ଗଲାଣି। ତଥାପି କାର୍ଯ୍ୟକ୍ଷମ ହୋଇପାରିନି ଏହି ବିଲଡିଂ। ‘ଓଡ଼ିଆ’ ବିଭାଗ ନୂଆ ବିଲଡିଂକୁ ଯିବାକୁ ଅରାଜି ଥିବା ବେଳେ ଇଂରାଜୀ ବିଭାଗ କହୁଛି ଭିତ୍ତିଭୂମି ପାଇଁ ଅର୍ଥ ଦେଲେ ଆମେ ଯିବୁ। କୋଠାଟି ଦୁଇ ତାଲା ବିଶିଷ୍ଟ ହୋଇଥିବାରୁ ସଂସ୍କୃତ ବିଭାଗର ପାଠପଢ଼ା କେଉଁଠି ହେବ ବୋଲି ବିଭାଗୀୟ ପ୍ରଫେସର ମାନେ ପ୍ରଶ୍ନ କରିଛନ୍ତି। ସବୁଠାରୁ ବଡ଼ କଥା ହେଲା ଯେ ବିଭାଗ ଗୁଡ଼ିକୁ ଯିବାକୁ କୁହାଯାଉଥିଲେ ମଧ୍ୟ ସ୍ଥାନାନ୍ତର ପାଇଁ ଅର୍ଥ ଦେବାକୁ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ କୁନ୍ଥକୁନ୍ଥ ହେଉଛନ୍ତି। ଯେଉଁଥି ପାଇଁ ଗତ ୨୦ ମାସ ହେଲା ବିଭାଗ ଗୁଡ଼ିକ ଯାଉ ନଥିବା ଜଣାପଡ଼ିଛି।

ସୋସିଆଲ ସାଇନ୍ସ ବିଲ୍ଡିଂ ତାଲା ଖୋଲୁନି :

୬.୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ସୋସିଆଲ୍ ସାଇନ୍ସ ବିଲଡିଂ। ବିଶ୍ବବିଦ୍ୟାଳୟରେ ପିଜି ବିଭାଗ ସଂଖ୍ୟା ବଢ଼ୁଥିବାରୁ ସାମାଜିକ ବିଜ୍ଞାନ ସହ ଜଡ଼ିତ ଥିବା ୪ଟି ପିଜି ବିଭାଗକୁ ଗୋଟିଏ ବିଲଡିଂରେ କାର୍ଯ୍ୟକ୍ଷମ କରିବାକୁ ସ୍ଥିର ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ୨୦୧୫ରେ ଏହି ବିଲଡିଂର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ବର୍ଷେ ହେଲା ବିଲଡିଂ କାର‌୍ୟ୍ୟ ଶେଷ ହେଲାଣି। ସବୁ ବିଭାଗ ପାଇଁ ଅଲଗା ଅଲଗା ବ୍ୟବସ୍ଥା ହୋଇଛି। ପ୍ରାୟ ଏକ ଏକର ପରିମିତ ଜମିରେ ଏହି ବିଲଡିଂ ଛିଡ଼ା ହୋଇଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରୁନି। ବିଲଡିଂର ଫାଟକରେ ସେମିତି ତାଲା ପଡ଼ିଛି। ୪ଟି ବିଭାଗ ନୂତନ ବିଲଡିଂକୁ ଯିବା ପାଇଁ ଆଦୌ ଆଗ୍ରହ ଦେଖାଉ ନଥିବା ବେଳେ କର୍ତୃପକ୍ଷଙ୍କ ନିରବତା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୂର୍ବତନ କୁଳପତି ପ୍ରଫେସର ଅଶୋକ ଦାସଙ୍କ ସମୟରେ ଏହି ବିଲଡିଂ ନିର୍ମାଣ ହୋଇଥିବା ବେଳେ ବର୍ତମାନର କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ତାହାର କାର୍ଯ୍ୟକ୍ଷମ ଉପରେ ଗୁରୁତ୍ବ ଦେଉ ନଥିବା ଅଭିଯୋଗ ହୋଇଛି।

କେବେ ହେବ ଡିଜିଟାଲ ଲାଇବ୍ରେରି ?

ବୈଷୟିକ ଜ୍ଞାନ କୌଶଳ ସହ ଛାତ୍ରଛାତ୍ରୀଙ୍କୁ ଯୋଡ଼ିବା ପାଇଁ ଉତ୍କଳ ବିଶ୍ବବିଦ୍ୟାଳୟରେ ଡିଜିଟାଲ ଲାଇବ୍ରେରିର ପରିକଳ୍ପନା କରାଯାଇଥିଲା। ରାଜ୍ୟର ପ୍ରମୁଖ ତଥା ପୁରାତନ ଲାଇବ୍ରେରି ‘ପରିଜା ପାଠାଗାର’ ଏଠାରେ ରହିଛି। ସେଠାରେ ଥିବା ପୁରାତନ ପାଠ୍ୟପୁସ୍ତକ ଗୁଡ଼ିକୁ ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚାଇବା ଲାଗି ଯୋଜନା ପ୍ରସ୍ତୁତ ହୋଇଥିଲା। ୨୦୧୫ରେ ଡିଜିଟାଲ ଲାଇବ୍ରେରିର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ। ଲକ୍ଷ୍ୟ ଥିଲା ୨୦୧୮ ଶିକ୍ଷାବର୍ଷରୁ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ପାଠାଗାରର ସୁବିଧା ଯୋଗାଇଦେବା। ସମସ୍ତ ପୁସ୍ତକକୁ ସ୍କାନିଂ କରି ଶତାଧିକ କମ୍ପ୍ୟୁଟରରେ ଉପଲବ୍ଧ କରାଇବାକୁ ସ୍ଥିର ହୋଇଥିଲା। ଇତି ମଧ୍ୟରେ ୨୦୧୮ ସରିବାକୁ ବସିଲାଣି। ବର୍ଷେ ହେଲା ଡିଜିଟାଲ ଲାଇବ୍ରେରିର କାର୍ଯ୍ୟ ଶେଷ ହେଲାଣି। କିନ୍ତୁ ଆଜି ପର‌୍ୟ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରୁନି ଏହି ବିଲଡିଂ। ୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ବିଲଡିଂର କାର‌୍ୟ୍ୟ ସିପିଡବ୍ଲୁଡି କରୁଥିଲା। କାମ ଶେଷ କରି ଚାବି ଦେବାକୁ ସମ୍ପୃକ୍ତ ସଂସ୍ଥା ରାଜି ଥିବା ବେଳେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଚାବି ଧରିବାକୁ ଅମଙ୍ଗ ହେଉଛନ୍ତି। ଯେଉଁଥିପାଇଁ ନୂଆ କରି ପ୍ରତିଷ୍ଠା ହୋଇଥିବା ଡିଜିଟାଲ ଲାଇବ୍ରେରି ବିଲଡିଂ ପରିସର ଏବେ ଅନାବନା ଗଛରେ ପରିପୂର୍ଣ୍ଣ ହେଲାଣି। କାର୍ଯ୍ୟକ୍ଷମ ହେବା ପୂର୍ବରୁ ଭୂତକୋଠି ପାଲଟିଯାଇଛି ଏହି ବିଲଡିଂ।

Comments are closed.