ଚୀନ୍-ଉତ୍ତର କୋରିଆ ସଂପର୍କ ପଛର ରହସ୍ୟ : ସତ୍ତା ପାଇଁ ପ୍ରୀତି !

50

କନକ ବ୍ୟୁରୋ: ମୁହାଁମୁହିଁ ସ୍ଥିତିରେ ଆମେରିକା ଓ ଉତ୍ତର କୋରିଆ । କେତେବେଳେ କିଛି ବି ହୋଇପାରେ । କିନ୍ତୁ ଏବେ ଚୀନ ଦେଖାଇଛି ଉତ୍ତର କୋରିଆ ପ୍ରୀତି । କିନ୍ତୁ କାହିଁକି ? ଜାଣିବା ପାଇଁ ପଢ଼ନ୍ତୁ ଏହି ରିପୋର୍ଟ ।

ଚୀନ ଓ ଉତ୍ତର କୋରିଆ ମଧ୍ୟରେ ଗଭୀର ସଂପର୍କ । ହେଲେ କାହିଁକି ? କଣ ପାଇଁ ଚୀନର ଉତ୍ତର କୋରିଆ ପ୍ରୀତି ? କୁହାଯାଉଛି ନିଜ ଦେଶରେ ରାଜନୈତିକ ସଙ୍କଟ ଏଡାଇବା ପାଇଁ ଚୀନ ଗଢ଼ିଛି ଏହି ପ୍ରେମ ସଂପର୍କ । ପୁଣି ଦକ୍ଷିଣ କୋରିଆ ପ୍ରତି ଆମେରିକାର ଦୃଢ଼ ସମର୍ଥନ ବି ଏହା ପଛରେ ଅନ୍ୟ ଏକ କାରଣ । କାରଣ ବିଶ୍ୱର ଦୁଇ ଶକ୍ତିଶାଳୀ ଦେଶ ଆମେରିକା ଓ ଚୀନ ପଛରେ କୋରିଆର ଏକ ଗୁରୁତ୍ୱପୂର୍ଣ୍ଣ ଭୁମିକା ରହିଛି । ଯଦି ଉତ୍ତର କୋରିଆକୁ ଚୀନ ସମର୍ଥନ ନ କରେ ତେବେ ନିଜ ଦେଶ ଭିତରେ ଏକ ଅଡୁଆ ପରିସ୍ଥିତିକୁ ସାମ୍ନା କରିବାକୁ ପଡିପାରେ । ଆଉ କୌଣସି ଦୋ କେବେ ଚାହିଁବ ନାହିଁ ଏଭଳି ପରିସ୍ଥିତିର ସାମ୍ନା କରିବା ପାଇଁ ।

୧୯୬୧ରେ ଚୀନ ଓ ଉତ୍ତର କୋରିଆ ମଧ୍ୟରେ ଏକ ପାରସ୍ପାରିକ ରାଜିନାମା ପତ୍ର ସ୍ୱାକ୍ଷରିତ ହୋଇଥିଲା । ଦୁଇ ଦେଶ ମଧ୍ୟରୁ ଯଦି କୌଣସି ଦେଶ ମଧ୍ୟରେ ଶତ୍ରୁ ଆକ୍ରମଣ କରେ ତେବେ ପରସ୍ପରକୁ ତୂରନ୍ତ ସାହାଯ୍ୟ କରିବା ପାଇଁ ଏହି ସନ୍ଧିରେ ଉଲ୍ଲେଖ କରାଯାଇଥିଲା । ଏହି ରାଜିନାମାରେ ଉଭୟ ଦେଶ ଶାନ୍ତି ଓ ସୁରକ୍ଷାକୁ ନେଇ ସତର୍କ ରହିବାକୁ ଯଦିଓ ପରାମର୍ଶ ଦିଆଯାଇଥିଲା କିନ୍ତୁ ଯୁଦ୍ଧ ସମୟରେ ପରସ୍ପରକୁ ସୈନ୍ୟ ସହଯୋଗ ଯୋଗାଇ ଦେବାକୁ ମଧ୍ୟ ସର୍ତ ରଖାଯାଇଥିଲା । ଅବଶ୍ୟ ଏବେ ଚୀନ ବିଶେଷଜ୍ଞଙ୍କ ମତରେ ପରମାଣୁ କ୍ଷେତ୍ରରେ ଉତ୍ତର କୋରିଆ ସହ ଚୀନ ନରହୁ କିନ୍ତୁ ଚୀନ ଏହାକୁ ମାନିବାକୁ ରାଜି ନୁହେଁ ।

ଅନ୍ୟପଟେ ଦକ୍ଷିଣ କୋରିଆ ସହ ଚୀନର ୨୫ବର୍ଷରୁ ଅଧିକ ଦିନର ରାଜେନ÷ତିକ ସଂପର୍କ ରହିଛି । କିନ୍ତୁ ପ୍ରତିରକ୍ଷା କ୍ଷେତ୍ରରେ ଘନିଷ୍ଠତା କେବେ ବି ଦୁଇଦେଶର ବର୍ଡର ଛୁଇଁନି । ଚୀନ ପୁରା ଏସିଆର ନେତୃତ୍ୱ ନେବାକୁ ଚାହୁଁଥିବାରୁ ଉତ୍ତରକୋରିଆକୁ ବେଲଗାମ ଛାଡିବାର ପ୍ରଶ୍ନ ଉଠୁନି । ଉତ୍ତର କୋରିଆ ଚାଇନା ଅସ୍ତ୍ରଶସ୍ତ୍ର ଉପରେ ନିର୍ଭରଶୀଳ ଥିବା ବେଳେ ଚୀନ ଚାହିଁଲେ ଏଦିଗରେ ପଦକ୍ଷେପ ନେଇପାରେ । ଏପରିକି ତୈଳ କାରବାର ଓ ବୈଦେଶୀକ ମୁଦ୍ରା ବୁଝାମଣାକୁ ମଧ୍ୟ ଚୀନ ରଦ୍ଦ କରିଦେଇପାରେ । କିନ୍ତୁ ଚୀନର ଏ ପଦକ୍ଷେପ ଦ୍ୱାରା ନିଜ ନିଜ ମଧ୍ୟରେ ରାଜନୈତିକ ସଙ୍କଟ ଦେଖାଦେଇପାରେ । ଯେଉଁଥିପାଇଁ କେବଳ ଶାନ୍ତି ଓ ସଂଯମତା ରକ୍ଷା କରିବା ପାଇଁ ଉତ୍ତର କୋରିଆକୁ ପରାମର୍ଶ ଦେଉଛି ଚୀନ ।

ଚୀନର ସରକାରୀ ଅଧିକାରୀଙ୍କ କହିବା କଥା, ଚୀନକୁ ଯଥା ସମ୍ଭବ ଉତ୍ତର କୋରିଆ ସହ ସୁସଂପର୍କ ରଖିବାକୁ ପଡିବ । କାରଣ ଯଦି କୀମ୍ ଜଙ୍ଗ୍ ଉନ୍ ଶାସନ ଗାଦିରୁ ଓହ୍ଲାଇ ଯାଆନ୍ତି ତେବେ ଲକ୍ଷଲକ୍ଷ ଉତ୍ତର କୋରିଆ ଅଧିବାସୀ ସୀମା ପାର କରି ଚୀନକୁ ପଳାଇ ଆସିବେ । ଯଦି ଏପରି ହୁଏ ତେବେ ଚୀନ ଉପରେ ଅତିରିକ୍ତ ଖର୍ଚ୍ଚ ବୋଝ ବଢ଼ିବା ସହ ବିଶୃଙ୍ଖଳା ମଧ୍ୟ ସୃଷ୍ଟି ହେବ । ଏମିତି ମଧ୍ୟ ହୋଇପାରେ ଉତ୍ତର କୋରିଆକୁ ଆମେରିକା ନିଜ ଅଧୀନକୁ ନେଇ ଯାଇ ଚୀନକୁ ଏକୁଟିଆ କରିଦେଇପାରେ ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଉତ୍ତର ଓ ଦକ୍ଷିଣ କୋରିଆ ଦୁଇଟି ଅଲଗା ରାଷ୍ଟ୍ର ଭାବେ ଉଭା ହୋଇଛନ୍ତିି । ସୋଭିଏତ ସେନାମାନେ ଉତ୍ତର କୋରିଆକୁ କବ୍ଚା କରିଥିଲା ବେଳେ ଦକ୍ଷିଣ କୋରିଆକୁ ଆମେରିକୀୟ ସୈନ୍ୟମାନେ ଦଖଲକୁ ନେଇଥିଲେ । ଏହି ବିଭାଜନ ପରେ ଦୁଇ ଦେଶ ଅଲଗା ଅଲଗା ରାସ୍ତା ବାଛିଥିଲେ । ଚୀନ ଓ ଋଷର ଘନିଷ୍ଠତା କାରଣରୁ ଉତ୍ତର କୋରିଆକୁ ସମର୍ଥନ କରିଥିଲା ଚୀନ । ଆଉ ଏହାପରେ ହିଁ ଦୁଇଦେଶ ମଧ୍ୟରେ ସାମ୍ୟବାଦ ଓ ଲୋକତନ୍ତ୍ରକୁ ନେଇ ସଂଘର୍ଷ ଆରମ୍ଭ ହୋଇଛି । ତେବେ ଆଗାମୀଦିନରେ ଏହି ଦୁଇ ଦେଶର ଭବିଷ୍ୟତ କେଉଁ ଆଡକୁ ଯିବ ତାହା ଆକଳନ କରିବା ମୁସ୍କିଲ ।