ଏମାନଙ୍କ ପାଇଁ ଦଶହରା ଖୁସି , ସତେ ଯେମିତି ସାତ ସପନ…

46

କନକ ବ୍ୟୁରୋ: ପୂଜା ବଜାରରେ କିଏ ବା ନଚାହେଁ ଟିକେ ହସଖୁସି କରି, ମଉଜ ମଜଲିସ୍ କରିବ । ହେଲେ ଜନଗହଳି ପୂର୍ଣ୍ଣ ପଣ୍ଡାଲ ଠାରୁ ପଣ୍ଡାଲ ଓ ପୂଜା ବଜାରରେ ଏମିତି କିଛି ଚେହେରା ଦେଖିବାକୁ ମିଳିଥିଲା ଯାହାଙ୍କ ପାଇଁ ଖୁସି ମନେଇବାର ଇଚ୍ଛା ସତେ ଯେମିତି ସାତ ସପନ ଭଳି ଲାଗୁଥିଲା । ସେମାନେ ଆଉ କେହି ନୁହଁନ୍ତି ନୀରିହ ନିଷ୍ପାପ ଶିଶୁ ଶ୍ରମିକ । ଆଉ ସେମାନଙ୍କ ଆଖି ଆପଣଙ୍କ ଭଳି ଖୁସି ମନାଉଥିବା ଲୋକଙ୍କୁ ଦେଖି ହୁଏତ କିଛି କହିପାରେନା କିନ୍ତୁ ମନରେ ଚାପି ରଖନ୍ତି ଅସୁମାରି ସ୍ୱପ୍ନ ଆଉ ଟିକିଏ ଖୁସିର କ୍ଷୁଧା ।

ସବୁଠି ଏବେ ଦୁର୍ଗାପୂଜାର ମାହୋଲ । ଆଉ ତାକୁ ମନଭରି ଉପଭୋଗ କରୁଛନ୍ତି ସଭିଏଁ । ହେଲେ ନବରଙ୍ଗପୁର ଜିଲ୍ଲାରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ଯାହାକୁ ହୁଏତ ବ୍ୟସ୍ତବହୁଳ ସମୟ ଭିତରେ ଆପଣ ଏତେ ଧ୍ୟାନ ଦେଇନଥିବେ । କିନ୍ତୁ ଥରେ ଏମାନଙ୍କୁ ମନଦେଇ ଦେଖିଲେ ଆପଣଙ୍କ ଆଖିରେ ନିଶ୍ଚିତ କୋହଭରା ଲୁହ ଆସିଯିବ । ଖେଳ କୁଦ ଜୀବନରେ ଏମାନଙ୍କ ପାଇଁ ପେଟ ପୋଷିବା ହେଉଛି ମୁଳ ଲକ୍ଷ୍ୟ । ସେଥିପାଇଁ କିଏ ମଣ୍ଡପ ପାଖରେ ଭିକ ମାଗୁଛି ତ ଆଉ ଖେଳନା ବିକି ଦି ପଇସା ରୋଜଗାର କରୁଛି । ହେଲେ ନା ସେମାନଙ୍କ ଉପରେ କୌଣସି ସରକାରୀ ବାବୁଙ୍କ ଆଖି ପଡୁଛି ନା କୌଣସି ସ୍ୱେଚ୍ଛାସେବୀ ସଂଗଠନର । ୧୪ ବର୍ଷରୁ କମ୍ ଶିଶୁମାନେ ଏମିତି କାହିଁକି କରୁଛନ୍ତି ପଚାରିବାରୁ କହିଲେ, ଗରିବି ଅବସ୍ଥା ଆମକୁ ଏମିତି କରିବାକୁ ବାଧ୍ୟ କରୁଛି । ଆମର ବି ଇଚ୍ଛା ହେଉଛି ସମସ୍ତଙ୍କ ଭଳି ଖୁସି ମନେଇବାକୁ ହେଲେ, ତାହା ସପନ ଭଳି ଲାଗୁଛି ।

ଅନ୍ୟପଟେ ବୁଦ୍ଧିଜୀବିମାନେ ଏନେଇ କ୍ଷୋଭ ପ୍ରକାଶ କରିଛନ୍ତି । ଅନେକ ଲୋକଙ୍କ କହିବା କଥା ହେଲା, ପର୍ବପର୍ବାଣୀ ହେଉ କିମ୍ବା ଅନ୍ୟ କେଉଁ କାରଣ ଭିକମାଗିବା ଏବଂ ଶିଶୁ ଶ୍ରମିକ ଭଳି ଘଟଣା ଉପରେ ସରକାର ଧ୍ୟାନ ଦେବା ଆବଶ୍ୟକ । ଉପାନ୍ତ ଅଞ୍ଚଳରେ ସରକାରଙ୍କ ଅନେକ ସହାୟତା ପହଁଚିଥିଲେ ମଧ୍ୟ ଏଭଳି ଘଟଣା ରୋକିବାକୁ ତୁରନ୍ତ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି  । କାରଣ ଏମାନେ ଆମ ଆଗାମୀ ଭବିଷ୍ୟତ ।