ଆଜି ଆମେ ଆପଣଙ୍କୁ ଏଭଳି ଜଣେ ନେତାଙ୍କ ସଂପର୍କରେ ଜଣାଇବୁ , ଯିଏକି ଥରେ କିମ୍ବା ଦୁଇ ଥର ନୁହେଁ ବରଂ ସାତ ଥର ବିଧାୟକ ରହିଛନ୍ତି, କିନ୍ତୁ ନିଜ ପାଇଁ ଖଣ୍ଡିଏ ଘର ବି ନିର୍ମାଣ କରିପାରିଲେ ନାହିଁ । ଆଜି ବି ସେ ଭଡା ଘରେ ନିଜ ପରିବାର ଲୋକଙ୍କ ସହ ରହୁଛନ୍ତି । ଆମେ ଏଠାରେ ଆଲୋଚନା କରୁଛୁ ୟୁପି କାନପୁର ଜିଲ୍ଲାରେ ରହୁଥିବା ୯୭ ବର୍ଷୀୟ ଭଗବତୀ ସିଂହଙ୍କ ସଂପର୍କରେ ।
Kanak News is now on WhatsApp
Join and get latest news updates delivered to you via WhatsApp
୩୦ ସେପ୍ଟମ୍ବର ୧୯୨୧ରେ ଉନ୍ନାଓରେ ଜନ୍ମଲାଭ କରିଥିବା ଭଗବତୀ ଗାଁରେ ପଂଚମ ଶ୍ରେଣୀ ଯାଏଁ ପାଠ ପଢିଥିଲେ । ଏହା ପରେ ସେ ତାଙ୍କବାପାଙ୍କ ସହ କାନପୁରରେ ଆସି ରହିବାକୁ ଲାଗିଥିଲେ । ଯେଉଁଠୁ ସେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ଆଉ ଏଠାରେ ସେ ୭ ଥର ବିଧାୟକ ହୋଇଥିଲେ । ଭାଗବତୀଙ୍କର ୫ଟି ପୁଅ ଏବଂ ଗୋଟିଏ ଝିଅ । ଯେଉଁମାନଙ୍କ ଭିତରେ ଜଣଙ୍କର କୌଣସି କାରଣରୁ ମୃତ୍ୟୁ ହୋଇଯାଇଥିଲା । ବଡ ପୁଅ ରଘୁବୀର ସିଂହ ଏବେ ଜଣେ ଅବସରପ୍ରାପ୍ତ ଶିକ୍ଷକ, ଦ୍ୱିତୀୟ ପୁଅ ଦିନେଶ ସିଂହ ଏବେ ଅପସରପ୍ରାପ୍ତ ଏୟାର ଫୋର୍ସ,ନରେଶ ସିଂହ ଘରୋଇ କଂପାନୀରେ କାମ କରନ୍ତି, ରମେଶ ସିଂହ ଏକ ଟେଲିକମ କଂପାନୀରେ କାମ କରନ୍ତି । ଭଗବତୀଙ୍କ ଝିଅଙ୍କର ବର୍ତ୍ତମାନ ବିବାହ ହୋଇସାରିଛି । ତେବେ ସାତ ସାତ ଥର ବିଧାୟକ ବନିଥିବା ଭଗବତୀ ସିଂହ ବର୍ତ୍ତମାନ ସମୟରେ ସହରର ଧନକୁଟି ଅଂଚଳରେ ଏକ ଭଡା ଘରେ ନିଜର ଶେଷ ମୁହୂର୍ତ୍ତକୁ ବିତାଉଛନ୍ତି । ତାଙ୍କ ସହିତ କେବଳ ତାଙ୍କର ତୃତୀୟ ନମ୍ବରର ପୁଅ ନରେଶ ସିଂହ ନିଜ ପରିବାର ଧରି ରହୁଛନ୍ତି ।
ଭଗବତୀ ସିଂହ କୁହନ୍ତି କି, ‘ମୋ ନିକଟରେ ନିଜର ଖଣ୍ଡିଏ ଘର ନାହିଁ ଏବଂ ଏମଏଲଏ ରହିଥିବା ସମୟରେ କେବେବି ଏସଂପର୍କରେ ଭାବି ନଥିଲି । ମୋ ମତରେ ଯେଉଁ ନେତା ନିଜ ଘର କଥା ଭାବେ, ସେ ଅନ୍ୟମାନଙ୍କର କେବେବି ଭଲ ଚିନ୍ତା କରିପାରିବ ନାହିଁ । ମୁଁ ଯଦି ନିଜ ବିଷୟରେ ଚିନ୍ତା କରିଥାନ୍ତି ତେବେ ମୁଁ ସାତ ସାତ ଥର ବିଧାୟକ ବନିପାରିନଥାନ୍ତି । ଯଦିଓ ମୋର ଏହି ଚିନ୍ତାଧାରାକୁ ମୋର ପିଲାମାନେ ଗ୍ରହଣ କରିନପାରନ୍ତି,ଯେଉଁଥିପାଇଁ ସେମାନେ ମୋ ଠାରୁ ଅଲଗା ରହୁଛନ୍ତି । ଗୋଟିଏ ପୁଅ ଗୁଜୁରାଟରେ, ଆଉ ଗୋଟିଏ ପୁଅ ୟୁପିରେ ଏବଂ ଆଉ ଗୋଟିଏ ବାଙ୍ଗାଲୁରୁରେ ନିଜ ସଂସାର ଧରି ରହୁଛି । କେବଳ ଗୋଟିଏ ପୁଅ ମୋ ସାଥିରେ ଅଛି ।’
ଭଗବତୀ ସିଂହ ଆହୁରୀ ମଧ୍ୟ କୁହନ୍ତି କି, ‘ଉନ୍ନାଓରୁ କାନପୁର ଆସିବା ପରେ କଲେଜ ଲାଇଫରେ ଅନେକ କ୍ରାନ୍ତିକାରୀମାନଙ୍କ ସଂସ୍ପର୍ଶରେ ମୁଁ ଆସିଲୁ । ସେମାନଙ୍କୁ ଦେଖି ଲୋକଙ୍କର ସେବା କରିବାର ଭାବନା ମୋ ମନରେ ଜାଗିଉଠିଥିଲା । ସେ ସମୟରେ କଂଗ୍ରେସ ପାର୍ଟିର ବହୁତ ଦବଦବା ଥିଲା । ଆଉ ପାର୍ଟିର କ୍ରେଜ ଦେଖି ମୁଁ କଂଗ୍ରେସରେ ସାମିଲ ହୋଇଯାଇଥିଲି । ୧୧ ବର୍ଷ ବୟସରେ କାନପୁରରେ ଥିବା ଏକ ଲୁଗା ଦୋକାନରେ ମୁଁ କାମ କରୁଥିଲି । ଆଉ ଏହି ସମୟରେ କର୍ମଚାରୀମାନଙ୍କର ଏକ ସଂଗଠନ ତିଆରି କରିଥିଲି । ଏହାପରେ ସେମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ମୁଁ ଲଢିଥିଲି ଆଉ ସେଥିରେ ସଫଳ ବି ହୋଇଥିଲି । ଭଗବତୀ କହୁନ୍ତି କି, ୧୯୫୨ ବିଧାନସଭା ନିର୍ବାଚନରେ ପିଏସପି ପାର୍ଟି କାନପୁରର ଜନରଲଗଂଜ ସିଟରୁ ଟିକେଟ୍ ଦେଇଥିଲା । ପାର୍ଟିକୁ ଲିଡ କରୁଥିବା ଖୋଦ ଜୟ ପ୍ରକାଶ ନାରାୟଣ ମୋତେ ଦିଲ୍ଲୀ ଡାକି ଟିକେଟ୍ ଦେଇଥିଲେ ହେଲେ ମୁଁ ହାରି ଯାଇଥିଲି ।’
‘ଏହାପରେ ୧୯୫୭ରେ ବିସ ନିର୍ବାଚନରେ ପିଏସପି ପାର୍ଟି ପୁଣି ଥରେ ଉନ୍ନାଓର ବାରାସଗଓର ଆସନରୁ ନିର୍ବାଚନ ଲଢିଥିଲି ଏବଂ ଏଥିରେ ମୁଁ ଜିତି ଯାଇଥିଲି । ୧୯୬୨ ନିର୍ବାଚନରେ ବାରସଗଓର ଆସନରୁ କଂଗ୍ରେସ ପ୍ରାର୍ଥୀ ଦେବଦତ ମୋତେ ହରାଇଦେଇଥିଲେ । ୧୯୬୭ରେ ମୁଁ ପୁଣି ଜିତି ଥିଲି । ଏହାପରେ ୧୯୬୯ର ବିସ ନିର୍ବାଚନରେ ମୁଁ କଂଗ୍ରେସ ଟିକେଟରେ ଲଢିଥିଲି ଆଉ ଜିତିଯାଇଥିଲି । ଆଉ ଏଇଠୁ ହିଁ କଂଗ୍ରେସ ସହିତ ମୋର ଯାତ୍ରା ଆରମ୍ଭ ହୋଇଗଲା । ଜିତିବାର ପରମ୍ପରା ପାଖାପାଖି ୧୯୭୪ ଯାଏଁ ସେଇଭଳି ଜାରି ରହିଥିଲା ।’
‘୧୯୭୭ରେ ବିଜେଏସର ଦେବକୀ ନନ୍ଦନଙ୍କଠାରୁ ମୁଁ ହାରି ଯାଇଥିଲି ହେଲେ ୧୯୮୦ ଏବଂ ୧୯୮୫ର ନିର୍ବାଚନରେ ବିଜୟ ହାସଲ କରିଥିଲି । ୧୯୮୯ରେ ଦେବକୀ ନନ୍ଦନ ପୁଣି ଥରେ ମୋତେ ହରାଇଦେଇଥିଲେ । ୧୯୯୧ରେ ମୁଁ ମୋ ନିଜ ପାଇଁ ନିର୍ବାଚନରେ ଚୌଧରୀ ଦେବକୀ ନନ୍ଦନଙ୍କୁ ହରାଇ ସପ୍ତମ ଥର ପାଇଁ ବିଧାୟକ ଆସନ ଅଳଙ୍କୃତ କରିଥିଲି ।’
ତେବେ ଭଗବତୀ ସିଂହଙ୍କୁ ଜାଣିଥିବା ଲୋକଙ୍କର କହିବା କଥା ହେଲା କି, ଏମଏଲଏ ରହିଥିବା ସମୟରେ ଭଗବତୀ ଗାଁରେ ଲୋକମାନଙ୍କର ସମସ୍ୟା ଶୁଣିବା ସହିତ ତାର ସମାଧାନ ପାଇଁ କୌଣସି ବି ଅଧିକାରୀଙ୍କ ସହ ଲଢିଯାଉଥିଲେ । ନିଜର ୪-୫ ଜଣ କାର୍ଯ୍ୟକର୍ତାଙ୍କ ସହିତ ମିଶି ସେ ସାଇକେଲରେ ଗାଁ ବୁଲି ବାହାରି ପଡନ୍ତି । ଦୀର୍ଘ ଦିନ ଧରି ସେ ନିଜ ଘରକୁ ବି ଆସନ୍ତି ନାହିଁ । ଏପରିକି ନିଜ କର୍ମକର୍ତାଙ୍କ ଘରେ ସେ ରହିଯାଉଥିଲେ । ଘର ଘର ବୁଲି ଲୋକଙ୍କର ସମସ୍ୟା ବୁଝିବା ସହ ତାର ସମାଧାନ ପାଇଁ ବଡ ବଡ ଅଫିସରଙ୍କ ସହ ଲଢିଯାଉଥିଲେ ।