ବଞ୍ଚିବାର ଆଶା ଆଉ ଭୋକିଲା ପେଟକୁ ଗଣ୍ଡେ ଦାନା ପାଇଁ ନାଟ । ଭିକ ମାଗୁନି ବରଂ କଳା ଦେଖାଇ ପୋଷୁଛି ପରିବାରର ପେଟ ।

79

କନକ ବ୍ୟୁରୋ: ‘ପଇସା ଟିଏ ଦିଅ ହେ ବାବୁ ଭୋକିଲା ପେଟ ପାଇଁ କି’ । ଏହି ଓଡ଼ିଆ ଗୀତ ପୁରୁଣା ହେଲେ ମଧ୍ୟ ଆଜି ବି ଶୁଣିଲେ ଆଖି ଲୁହ ଛଳ ଛଳ ହୋଇ ପଡିବ ସୁନିଶ୍ଚିତ । କାରଣ ୨ ଦଶନ୍ଧି ତଳର ଫିଲ୍ମରେ ଯାହା ଦେଖି ଆପଣଙ୍କ ମନ ଭାବ ବିହ୍ୱଳ ହୋଇପଡିଥିଲା । ତାହା ଆଜି ବାସ୍ତବରେ ମଧ୍ୟ ଘଟୁଛି । ଗତକାଲିର ଏକ ଘଟଣା ଦେଖି ହୁଏତ ସଭ୍ୟ ସମାଜର ଲୋକମାନେ କରତାଳି ଦେଲେ କିନ୍ତୁ ବାସ୍ତବିକ ଘଟଣା ଏପରି ଥିଲା ଯେ ଯାହା ଜାଣିଲେ ଆପଣଙ୍କ ହୃଦୟ କୋହଭରା ହୋଇପଡିବ ।

ସମୟ ମଧ୍ୟାହ୍ନ ୨ଟାରୁ ୩ଟା ଆଉ ତା ଉପରେ ଅସହ୍ୟ ରୌଦ୍ର ତାପ । ଭୋକରେ ପେଟ ଆଉଟୁ ଆଉଟୁ ପାଉଟୁ ହେଲେ ମଧ୍ୟ ପାଖରେ କିଛି ଖାଇବା ପାଇଁ ନାହିଁ । କିନ୍ତୁ ଖାଇବା ପାଇଁ ଭିକ ମାଗିନଥିଲା ସେହି କୁନି ହାତ । କାରଣ ତା’ ପାଖରେ ଥିଲା ଏମିତି ଏକ କଳା ଯାହାକୁ ଦେଖି ଲୋକମାନେ ଆପେ ଆପେ ପଇସା ଦେଇ ଦେବେ ତା’ ପେଟ ପୋଷିବା ପାଇଁ । ଆଉ ସେଭଳି କିଛି କଳା କର୍ତୁତକୁ ଦେଖାଇବାକୁ ଲାଗିଲା ଲୋକମାନଙ୍କ ସମ୍ମୁଖରେ । ଯାହାର ନାଁ ଥିଲା ‘ବାଉଁଶରାଣୀ ଖେଳ’ । ବଞ୍ଚିବାକୁ ହେଲେ ଖାଇବା ନିହାତି ଜରୁରୀ । ଆଉ ସେଥିପାଇଁ ପିଲାଟି ଠିକ୍ ଖାଇବା ସମୟ ଅର୍ଥାତ୍ ମଧ୍ୟାହ୍ନରେ ରାସ୍ତା କଡ଼ରେ ଥିବା କିଛି ହୋଟେଲ୍ ପାଖରେ ଲାଗିପଡିଲା ତା’ର କଳାକାରନାମା ଦେଖାଇବା ପାଇଁ । ସାଙ୍ଗରେ ଥିଲା ତା ମା’ ଯିଏ କି ବାଉଁଶରେ ଗୁଡ଼ିକୁ ସୁରକ୍ଷିତ ଭାବେ ମାଟିରେ ପୋତି ଦେଇଥିଲା । କାରଣ ନିଜ ପିଲାର ସର୍କସ ଦେଖି କିଛି ପଇସା ପାଇଲେ ଦୁହେଁ ଗଣ୍ଡାଏ କିଛି ଖାଇବେ । ବିପଦ ସଙ୍କୁଳ ଅବସ୍ଥାରେ ବିଭିନ୍ନ ପ୍ରକାର ଖେଳ ଦେଖାଇ ଲୋକଙ୍କୁ ଖୁସି କରାଇବା ଏମାନଙ୍କ ନିତି ଦିନିଆ ରୁଟିନ୍ ରେ ପରିଣତ ହୋଇଯାଇଛି ।

ଯାଯାବର ଭାବେ ଜୀବନ ବିତାଉଥିବା ଏହି ପରିବାର କାହାଣୀ ଅତନ୍ତ୍ୟ ଦୁଃଖଦାୟକ । ଦୁନିଆ ବିଷୟରେ କିଛି ଜାଣିବା ପୂର୍ବରୁ ପଡ଼ିଗଲା ବଞ୍ଚିବା ପାଇଁ ତା’ ଉପରେ ବୋଝ । କାରଣ ବାପାଙ୍କ ସ୍ୱାସ୍ଥ୍ୟବସ୍ଥା ଅତି ସଙ୍କଟାପନ୍ନରେ ଗତି କରୁଛି । ନିଜ ମା’ ସହିତ ବୁଲି ବୁଲି ଯେଉଁଠି କିଛି ଲୋକ ଗହଳି ଦେଖୁଛି ସେଠି ଲାଗିପଡୁଛି ନିଜର କଳା ଦେଖାଇବା ପାଇଁ । ବୟସ ୯ ବର୍ଷ ହୋଇଥିଲେ ମଧ୍ୟ ବାଉଁଶରାଣୀ ଖେଳରେ ଦୀର୍ଘଦୀନର ଅଭିଜ୍ଞତା ରଖି ନିଜ ପରିବାରର ପେଟ ପୋସୁଛି ଏହି କୁନି ଝିଅ । ପଚାରିବାରୁ କହିଲା ଯେ, “ପ୍ରଥମେ ପ୍ରଥମେ ଡର ଲାଗୁଥିଲା ହେଲେ ଏବେ ଅଭ୍ୟାସରେ ପରିଣତ ହୋଇଗଲାଣି“ । ତେଣୁ ଭିକ କାଇଁ ମାଗିବି ମୋ ସର୍କସରେ ଲୋକମାନେ ଖୁସି ହୋଇ ତାଳିମାରି ସ୍ୱଳ୍ପ ଅର୍ଥ ଯାହା କିଛି ଦିଅନ୍ତୁ ତାକୁ ନେଇ ପରିବାର ଚଳଣି ହେଉଛି” ।

ସମୟ ବଦଳିଛି, ସମାଜ ବଦଳିଛି ହେଲେ ବଦଳି ନାହିଁ ଦାରିଦ୍ର‌୍ୟତାର କରୁଣ ଚିତ୍ର । ମଣିଷ ତା’ ପରିବାରକୁ ଖୁସି ରଖିବା ପାଇଁ କେତେ କ’ଣ ନ କରୁଛି । ହେଲେ ଏହି କୁନି ଝିଅର ବଞ୍ଚିବାର ନିଷ୍ଠାପରତା ସମାଜର ଅନେକ ଲୋକମାନଙ୍କ ମଧ୍ୟରେ ବାର୍ତ୍ତା ଦେଉଛି । ଅନ୍ୟପଟେ ରାଜଧାନୀ ହେଉକି ଅନ୍ୟ କେଉଁ ସ୍ଥାନ ସରକାରୀ ଯୋଜନା କାର‌୍ୟ୍ୟକାରୀରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଅବହେଳା ଯେ ଶିଶୁମାନଙ୍କୁ ଏଭଳି ବିପଦ ସଂକୁଳ ଖେଳ ପ୍ରଦର୍ଶନ ପାଇଁ ବାଧ୍ୟ କରିଛି ତାହାକୁ କେବେ ଅସ୍ୱୀକାର କରାଯାଇ ନପାରେ ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଛି ।