ଏଣିକି ଆଧାରକାର୍ଡ ନଥିଲେ ହୋଇପାରିବନି ଅନ୍ତିମ ସଂସ୍କାର ? ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ।

225

କନକ ବ୍ୟୁରୋ : ଏଣିକି ଆଧାରକାର୍ଡ ନ ଥିଲେ ହୋଇପାରିବ ନାହିଁ ଅନ୍ତିମ ସଂସ୍କାର ? ଯେଉଁବ୍ୟକ୍ତିଙ୍କ ପାଖରେ ଆଧାରକାର୍ଡ ନାହିଁ କିମ୍ବା ଏଯାବତ ସେ ଆଧାରକାର୍ଡ କରି ନାହାନ୍ତି, ଆଉ ଏଭଳି ପରିସ୍ଥିତିରେ ଯଦି ତାଙ୍କର ମୃତ୍ୟୁ ହୋଇଯାଉଛି ତେବେ ଅନ୍ତିମ ସଂସ୍କାରରେ ବହୁତ ବାଧା ଆସିପାରେ । ଏମିତି ଏକ ଘଟଣା ବେଙ୍ଗାଲୁରୁରୁ ସାମ୍ନାକୁ ଆସିଛି । ଏହି ଘଟଣାରୁ ସ୍ପଷ୍ଟ ହେଉଛି କି, ଜୀବିତ ଅବସ୍ଥାରେ ହେଉ ଅବା ମୃତ୍ୟୁ ପରେ ଆଧାରକାର୍ଡ କେତେ ଆବଶ୍ୟକ ।

ସୂଚନାଯୋଗ୍ୟ, ଗତ ସପ୍ତାହରେ ବିଜୟନଗରରେ ବସବାସ କରୁଥିବା ୭୫ବର୍ଷୀୟ ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା । ଏହି ମହିଳାଙ୍କ ପରିବାର ଯେତେବେଳେ ଅନ୍ତିମ ସଂସ୍କାର ପାଇଁ ଆଉଟର ରିଙ୍ଗରୋଡସ୍ଥିତ ସୁମନହଲ୍ଲି ଶ୍ମଶାନ ଘାଟକୁ ଯାଇଥିଲେ ସେଠାରେ ଶ୍ମଶାନ କର୍ମଚାରୀମାନେ ମୃତ ମହିଳାଙ୍କ ଆଧାରକାର୍ଡ ଦାବି କରିଥିଲେ । କିନ୍ତୁ ମୃତ ମହିଳାଙ୍କ ଆଧାରକାର୍ଡ ହଜିଯିବା ସହିତ ତାଙ୍କ ପରିବାରବର୍ଗଙ୍କ ପାଖରେ ତାହାର କୌଣସି କପି ବି ନଥିଲା । ଏଥିପାଇଁ ସେମାନଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା । ଶେଷରେ କଳେବଳେ କୌଶଳେ ମୋବାଇଲ୍‌ ନମ୍ବର ଜରିଆରେ ଇ-ଆଧାର ପ୍ରାପ୍ତ କରିଥିଲେ । ଏହାପରେ ଯାଇ ବୃଦ୍ଧାଙ୍କ ଅନ୍ତିମ ସଂସ୍କାର ହୋଇ ପାରିଥିଲା ।

ସୁମନହଲ୍ଲି ଶ୍ମଶାନ କର୍ମଚାରୀଙ୍କ କହିବାନୁସାରେ, ଆଧାରକାର୍ଡ ବ୍ୟକ୍ତିଙ୍କର ସବୁଠାରୁ ବିଶ୍ୱାସନୀୟ ପ୍ରମାଣପତ୍ର ହୋଇଥାଏ । ଅନ୍ତିମ ସଂସ୍କାର ସମୟରେ ଅନ୍‌ଲାଇନ୍‌ ବୁକିଂ କିମ୍ବା ସ୍ଲଟ ବୁକ୍‌ କରିବା ପାଇଁ ଆଧାର ନମ୍ବର ସୁନିଶ୍ଚିତ କରାଯାଇଥାଏ । ସେଥିପାଇଁ ମୃତବ୍ୟକ୍ତିଙ୍କ ଅସଲି ଆଧାରକାର୍ଡ କିମ୍ବା ତାହାର ଫଟୋ କପି ମାଗା ଯାଇଥାଏ । ଯଦି କାହାରି ପାଖରେ ଆଧାର ନଥାଏ, ତେବେ ବାଧ୍ୟ ହୋଇ ଅନ୍ୟ ପରିଚୟ ପତ୍ରକୁ ସ୍ୱୀକାର କରାଯାଇଥାଏ ।