ନାରୀ ସଂଘର୍ଷର ନିଆରା କାହାଣୀ, ଚର୍ଚ୍ଚାରେ ରାଜଧାନୀର ରାଧେ ମା ! ଗଳିକନ୍ଦିରେ ଅଟୋ ଚଳାଇ ପେଟ ପୋଶୁଛନ୍ତି କେନ୍ଦୁଝରର ଝିଅ ।
କନକ ବ୍ୟୁରୋ : ଚର୍ଚ୍ଚାରେ ରାଜଧାନୀର ରାଧେ ମା । ଜଣେ ଝିଅ ହୋଇ ବି ଜୀବନ ସଂଘର୍ଷରେ ହାରି ନାହାନ୍ତି ରାଧେ ମା ଓରଫ ସନ୍ତୋଷୀ ଦେଓ । ଭୁବନେଶ୍ୱରର ଗଳିକନ୍ଦିରେ ଅଟୋ ଚଳାଇ ପେଟ ପୋଷନ୍ତି । ତେବେ ଏଥିପାଇଁ ତାଙ୍କ ରାସ୍ତାରେ ଅନେକ ପ୍ରତିବନ୍ଧକ । ହେଲେ ଏହାକୁ ଖାତିର ନକରି ଆଗକୁ ଆଗକୁ ମାଡି ଚାଲିଛନ୍ତି ରାଧେ ମା । ଆସନ୍ତୁ ଜାଣିବା, କେମିତି ରହିଛି ରାଧେ ମାଙ୍କ କେନ୍ଦୁଝରରୁ ଭୁବନେଶ୍ୱରର ଯାତ୍ରା ।
Kanak News is now on WhatsApp
Join and get latest news updates delivered to you via WhatsApp
ରାଜଧାନୀରେ ରାଧେ ମାଆ । ଆଖିରେ ଆଖିଏ ସ୍ୱପ୍ନ । ଗୋଟିଏ ଲକ୍ଷ୍ୟ, ଝିଅ ମଣିଷ ହେବ କେମିତି । ଇଏ ହେଉଛି ରାଧେ ମାଙ୍କ ସତ କାହାଣୀ । ଏକ ଏମିତି କାହାଣୀ ଯାହା ଶୁଣିଲେ ଆପଣ ବି କହିବେ ସାବାସ ରାଧେ ମା । ରୋଷେଇ ଘରର ଚାରିକାନ୍ଥ ଭିତରେ ନୁହେଁ, ଏଠି ସଂଘର୍ଷ ଚାଲିଛି ରାଜରାସ୍ତାରେ । ଜୀବନ ସଂଘର୍ଷର ନିଚ୍ଛକ ବାସ୍ତବତା । କେନ୍ଦୁଝରର ରାଧେ ମା ଓରଫ ସନ୍ତୋଷୀ ଦେଓ ଏବେ ରାଜଧାନୀରେ ଅଟୋ ଚଲାଇ ପରିବାର ଚଳାଉଛନ୍ତି । ଝିଅ ଅଟୋ ଚଲାଉଥିବାରୁ ଛାତି କୁଣ୍ଡେମୋଟ । କାହିଁକି ନା ସେ ହାରି ମାନିନାହାନ୍ତି ।
ଆଖିର ଲୁହକୁ ଓଠରେ ପିଇ ସବୁଦିନ ସକାଳୁ ଆରମ୍ଭ ହୋଇଯାଏ ଏହି ସଂଘର୍ଷ । ବିଭିନ୍ନ ସ୍ଥାନରୁ ଲୋକଙ୍କୁ ଉଠାଇ ତାଙ୍କ ଗନ୍ତବ୍ୟ ସ୍ଥଳରେ ଛାଡି ଦିଅନ୍ତି । ଯାହା ଦି ପଇସା ରୋଜଗାର ହୁଏ ସେଥିରେ ଦେଖନ୍ତି ଅସୁମାରି ସ୍ୱପ୍ନ । ସ୍ୱପ୍ନ ଝିଅକୁ ମଣିଷ ପରି ମଣିଷ ଟିଏ କରି ଗଢିବା ପାଇଁ । ହେଲେ ସଂଘର୍ଷର ଏହି ରାସ୍ତା ବେଶ ଅଙ୍କାବଙ୍କା । ଅନେକ ଟାହିଟାପରା ଶୁଣିବାକୁ ପଡିଥାଏ ଆଉ ସହିବାକୁ ବି ପଡିଥାଏ । ବେଳେ ବେଳେ ବିଭିନ୍ନ ଷ୍ଟାଣ୍ଡରେ ଅନ୍ୟ ଅଟୋ ଚାଳକମାନେ ହଇରାଣ ମଧ୍ୟ କରନ୍ତି । କିନ୍ତୁ ସେ ସବୁକୁ ଖାତିର ନଥାଏ ରାଧେ ମାଙ୍କର ।
କେନ୍ଦୁଝରରେ ଅଟୋ ଚଲାଉଥିବା ସମୟରେ ଏଥିରେ ବସିଥିଲେ ଜିଲ୍ଲାପାଳ ଏବଂ ଓଡିଶା ଦକ୍ଷତା ବିକାଶ ପ୍ରାଧିକାରଣ ଅଧ୍ୟକ୍ଷ ସୁବ୍ରତ ବାଗଚି । ବେଶ ଖୁସି ହୋଇଯାଇଥିଲେ ରାଧେ ମା । କାହିଁକି ନା ଆଗକୁ ବଢିବା ପାଇଁ ସାହସ ମିଳିଯାଇଥିଲା । ରାଧେ ମା ଏବେ ଅପେକ୍ଷା କରିଛନ୍ତି କିଛି ସରକାରୀ ସହାୟତାକୁ । ସ୍ୱାମୀ ପର କରିଦେବା ପରେ କେନ୍ଦୁଝରରୁ ଆସି ରାଜଧାନୀରେ କାରଗିଲ ବସ୍ତିରେ ରହୁଛନ୍ତି ରାଧେ ମା । ଏହିପରି ଅଟୋ ଚଳାଇ ସାରା ଦୁନିଆ ଆଗରେ ଏକ ଏମିତି ଉଦାହରଣ ସୃଷ୍ଟି କରିଛନ୍ତି ଯାହା ପ୍ରମାଣ କରୁଛି, ନାରି ଅବଳା କି ଦୁର୍ବଳ ନୁହେଁ ସେ ବି ସକ୍ଷମ ।