ବିଶ୍ୱକପକୁ ଆଉ ୧୩ ଦିନ । କ୍ରିକେଟ୍ ମହାକୁମ୍ଭରେ କପିଲ୍ କମାଲ । ୧୯୮୩, ଭାରତ ହୋଇଥିଲା ନୂଆ ବିଜେତା ।

123

କନକ ବ୍ୟୁରୋ : ୧୯୮୩ ମସିହାରେ ଲଗାତର ତୃତୀୟ ଥର ପାଇଁ ଇଂଲଣ୍ଡରେ ଆୟୋଜିତ ହୋଇଥିଲା କ୍ରିକେଟ୍‍ ବିଶ୍ୱକପ୍‍ର ତୃତୀୟ ସଂସ୍କରଣ । ଦୁର୍ଦ୍ଦଶ ୱେଷ୍ଟଇଣ୍ଡିଜ୍‍ ଏଥିରେ ବାଜି ମାରି ନେବାର ସମ୍ଭାବନା ଅଧିକ ଥିଲା । କାରଣ ୧୯୭୫ ଓ ୧୯୭୯ର ପ୍ରଥମ ଦୁଇ ବିଶ୍ୱ ଲଢ଼େଇରେ ୱେଷ୍ଟଇଣ୍ଡିଜ୍ ସହଜରେ ଅନ୍ୟମାନଙ୍କୁ ପଛରେ ପକାଇ ବିଶ୍ୱ ବିଜେତା ହେବାର ସୌଭାଗ୍ୟ ଲାଭ କରିଥିଲା । ସେଥିପାଇଁ କ୍ରିକେଟ୍‍ ପଣ୍ଡିତଙ୍କଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତେ ଇଣ୍ଡିଜ୍ ୧୯୮୩ରେ ହ୍ୟାଟ୍ରିକ୍‍ କରିବ ବୋଲି ଭବିଷ୍ୟବାଣୀ କରିଥିଲେ । ହେଲେ କପିଳ ଦେବଙ୍କ ନେତୃତ୍ୱରେ ଇଂଲଣ୍ଡ ଯାଇଥିବା ସ୍ୱଳ୍ପ ପରିଚିତ ଭାରତୀୟ ଦଳ ଭିନ୍ନ ଯୋଜନା ନେଇ ପଡ଼ିଆକୁ ଓହ୍ଲାଇଥିଲା । ସମସ୍ତଙ୍କୁ ଚକିତ କରି ପ୍ରତିଯୋଗିତାର ଅନ୍ୟତମ ଦୁର୍ବଳ ଦଳ ଭାରତ ଫାଇନାଲରେ ଶକ୍ତିଶାଳୀ ୱେଷ୍ଟଇଣ୍ଡିଜ୍‍କୁ ହରାଇ ଇଂଲଣ୍ଡ ମାଟିରେ ବିଜୟ ବାନା ଉଡ଼ାଇ ଥିଲା । ତା ସହିତ କ୍ରିକେଟ୍‍ ଦୁନିଆରେ ଏକ ନୂଆ ଶକ୍ତିର ଅଭ୍ୟୁଦୟ ହୋଇଥିଲା ।

୧୯୮୩ ମସିହା ଜୁନ୍‍ ୯ରୁ ୨୫ ତାରିଖ ପର୍ଯ୍ୟନ୍ତ ଖେଳା ଯାଇଥିବା ତୃତୀୟ ବିଶ୍ୱକପ୍‍ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବେଶ୍‍ ଉତ୍କଣ୍ଠାପୂର୍ଣ୍ଣ ରହିଥିଲା । ଅନେକ ନାଟକୀୟ ଫଳାଫଳ ମଧ୍ୟ ମିଳିଥିଲା । ହେଲେ ବିଶ୍ୱକପ୍‌ର ନାଁ ପୂର୍ବଭଳି ପ୍ରୁଡେନ୍‍ସିଆଲ କପ୍‍ ରହିଥିଲା । ପାରମ୍ପରିକ ଭାବେ ୮ଟି ଦେଶକୁ ନେଇ ଆୟୋଜିତ ହୋଇଥିବା ଏହି ପ୍ରତିଯୋଗିତାରେ ଭାରତ ଓ ଜିମ୍ୱାୱେ ଭଳି ଦୁର୍ବଳ ଦଳ ୱେଷ୍ଟଇଣ୍ଡିଜ୍ ଓ ଅଷ୍ଟ୍ରେଲିଆ ଭଳି ଶକ୍ତିଶାଳୀ ଦେଶକୁ ହରାଇ କ୍ରିକେଟ୍‍ ଜଗତରେ ହଇଚଇ ସୃଷ୍ଟି କରିଥିଲେ । ବିଶେଷ କରି ଭାରତ ତାର ଯୁବ ଅଧିନାୟକ କପିଳ ଦେବ ଓ ଅଲରାଉଣ୍ଡର ମହିନ୍ଦର ଅମରନାଥଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଅନେକ ହାରିବା ମ୍ୟାଚ୍‍କୁ ଜିତି ସମସ୍ତଙ୍କୁ ଚକିତ କରି ଦେଇଥିଲା । ଗ୍ରୁପ୍‍-ବି’ରେ ସ୍ଥାନ ପାଇଥିବା ଭାରତ ମାତ୍ର ୧୭ ରନ୍‌ରେ ୫ ୱିକେଟ୍‍ ହରାଇ ସଙ୍କଟରେ ପଡ଼ିଥିଲା ବେଳେ କପିଳ (୧୭୫ ରନ୍, ୧୩୮ ବଲ୍‍, ୧୬ ଚୌକା, ୬ ଛକା)ଙ୍କ ବିସ୍ଫୋରକ ଶତକ ବଳରେ ଜିମ୍ୱାୱେକୁ ହରାଇ ୱେଷ୍ଟଇଣ୍ଡିଜ ପଛକୁ ଗ୍ରୁପ୍‍ ବି’ର ଦ୍ୱିତୀୟ ଶ୍ରେଷ୍ଠ ଦଳ ଭାବେ ସେମିଫାଇନାଲ୍‌ ପ୍ରବେଶ କରିଥିଲା । ସେହିଭଳି ଗୁପ୍‍ ଏ’ରୁ ଇଂଲଣ୍ଡ ଓ ପାକିସ୍ତାନ ଏହି ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ । ଓଲ୍‍ଡ ଟ୍ରାଫର୍ଡଠାରେ ଖେଳା ଯାଇଥିବା ପ୍ରଥମ ସେମିଫାଇନାଲରେ ଭାରତ ଆୟୋଜକ ଇଂଲଣ୍ଡକୁ ଭେଟିଥିଲା । ୬୦ ଓଭର ବିଶିଷ୍ଟ ଏହି ମ୍ୟାଚ୍‌ରେ କପିଳ (୩ ୱିକେଟ୍‍), ଅମରନାଥ (୨ ୱିକେଟ୍‍) ଓ ରୋଜର ବିନ୍ନି (୨ ୱିକେଟ୍‍)ଙ୍କ ମାପଚୁପ ବୋଲିଂ ବଳରେ ଇଂଲଣ୍ଡକୁ ମାତ୍ର ୨୧୩ ରନ୍‌ରେ ଭାରତ ସୀମିତ ରଖି ପାରିଥିଲା । ପରେ ଯଶପାଲ ଶର୍ମା (୬୧ ରନ୍‍) ଓ ସନ୍ଦୀପ ପାଟିଲ (୫୧)ଙ୍କ ଅର୍ଧଶତକ ବଳରେ ମାତ୍ର ୪ ୱିକେଟ୍‌ରେ ୨୧୪ ରନ୍‌ର ବିଜୟ ଲକ୍ଷ୍ୟକୁ ହାସଲ କରି ପ୍ରଥମ ଥର ପାଇଁ ଫାଇନାଲ୍‌ରେ ପ୍ରବେଶ କରିଥିଲା ।

ଦି ଓଭାଲ୍‌ରେ ଖେଳା ଯାଇଥିବା ଦ୍ୱିତୀୟ ସେମିଫାଇନାଲରେ ପାକିସ୍ତାନ ଧାର୍ଯ୍ୟ କରିଥିବା ୧୮୫ ରନ୍‍ର ବିଜୟ ଲକ୍ଷ୍ୟକୁ ସହଜରେ ହାସଲ କରିନେଇ ୱେଷ୍ଟଇଣ୍ଡିଜ୍‍ ଦ୍ୱିତୀୟ ଦଳ ଭାବେ ଓ ଲଗାତାର ତୃତୀୟ ଥର ପାଇଁ ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରି ନେଇଥିଲା । ଫାଇନାଲରେ ମାଲକମ୍‍ ମାର୍ସାଲ, ଜୋଏଲ ଗାର୍ନର, ମାଇକେଲ ହୋଲ୍‍ଡିଂ ଓ ଆଣ୍ଡି ରବର୍ଟସଙ୍କୁ ନେଇ ଗଠିତ ୱେଷ୍ଟଇଣ୍ଡିଜ୍‍ ଦ୍ରୁତ ବୋଲିଂ ବାହିନୀ ଭାରତୀୟ ଶୀର୍ଷକ୍ରମକୁ ଜଣକ ପରେ ଜଣେ ଧରାଶାୟୀ କରିଥିଲେ । ତେବେ ନିମ୍ନକ୍ରମ ଖେଳାଳିଙ୍କ ଉପଯୋଗୀ ବ୍ୟାଟିଂ ପାଇଁ ଭାରତ ୧୮୩ (୫୪.୪ ଓଭର) ରନ୍‍ର ସମ୍ମାନଜନକ ସ୍କୋର କରି ନେଇଥିଲା । କୃଷ୍ଣମଚାରି ଶ୍ରୀକାନ୍ତ ସର୍ବାଧିକ ୩୮ ରନ୍‍ କରିଥିଲା ବେଳେ ସନ୍ଦୀପ ପାଟିଲ ୨୭ ଓ ଅମରନାଥ ୨୬ ରନ୍‍ କରିଥିଲେ । ତାରକା ଖଚିତ ୱେଷ୍ଟଇଣ୍ଡିଜ୍‍ ବ୍ୟାଟିଂକ୍ରମ ପାଇଁ ଏହି ଲକ୍ଷ୍ୟ ଅତ୍ୟନ୍ତ ଛୋଟିଆ ବୋଲି କୁହାଯାଉଥିଲା । ତେବେ ଇଣ୍ଡିଜ୍‍ ବ୍ୟାଟିଂ କରିବାକୁ ଆସିଲା ବେଳେ ଭାରତୀୟ ବୋଲର ନିଜ ଯାଦୁ ଦେଖାଇଥିଲେ । ପାଗ ଓ ପିଚ୍‍ର ଭରପୁର ଫାଇଦା ଉଠାଇ ଦୁର୍ଦ୍ଧର୍ଷ ୱେଷ୍ଟଇଣ୍ଡିଜ୍‍କୁ ମାତ୍ର ୧୪୦ ରନ୍‌ରେ ସୀମିତ ରଖି ଭାରତ ପ୍ରଥମ ଥର ପାଇଁ ବିଶ୍ୱକପ୍‍ ଜିତିବାର ଗୌରବ ଅର୍ଜନ କରିଥିଲା । ୨୫ ଗଜ ଦୂରରୁ ଦୌଡ଼ି କପିଳ ଭିଭିଆନ୍‍ ରିଚାର୍ଡସଙ୍କ କ୍ୟାଚ୍‍ ନେବା ମ୍ୟାଚ୍‍ର ମୋଡ଼ ବଦଳାଇ ଦେଇଥିଲା । ସେହି କ୍ୟାଚ୍‍ ଆଜି ବି କ୍ରିକେଟ୍‍ ଇତିହାସର ଅନ୍ୟତମ ଶ୍ରେଷ୍ଠ କ୍ୟାଚ୍‍ ଭାବେ ପରିଗଣିତ ହେଉଛି । ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ଅମରନାଥ ସେମିଫାଇନାଲ୍‍ ଭଳି ଫାଇନାଲରେ ମଧ୍ୟ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ । ଇଂଲଣ୍ଡର ଡେଭିଡ୍‍ ଗାୱାର (୩୮୪) ପ୍ରତିଯୋଗିତାରେ ସର୍ବାଧିକ ରନ୍‍ ଓ ଭାରତର ରୋଜର ବିନ୍ନି (୧୮) ସର୍ବାଧିକ ୱିକେଟ୍‍ ନେଇଥିଲେ । ଲର୍ଡସ ବାଲକୋନିରେ କପିଳ ଯେତେବେଳେ ବିଶ୍ୱକପ୍‍ ଧରି ପ୍ରଶଂସକଙ୍କ ଅଭିବାଦନ ଗ୍ରହଣ କରିଥିଲେ ସେତେବେଳେ ସବୁ ଭାରତୀୟଙ୍କ ଛାତି ଗର୍ବରେ ଫୁଲି ଉଠିଥିଲା ।