ଭିନ୍ନକ୍ଷମ ସାନ ଭଉଣୀର ଆଶାବାଡି ସାଜିଛି ବଡ ଭଉଣୀ । ପାଠ ପଢି ପରିବାର ପାଇଁ ପାଲଟିବ ଆଶାର କିରଣ ।

59

ଗୀତା ରାଣୀ ଗୌଡ । ଜନ୍ମରୁ ପୋଲିଓରେ ଆକ୍ରାନ୍ତ ଯୋଗୁଁ ଭିନ୍ନକ୍ଷମ ପାଲଟିଛନ୍ତି । ତଥାପି ତାଙ୍କର ପାଠ ପଢା ପ୍ରତି ପ୍ରବଳ ଆଗ୍ରହ ରହିଛି । ପାଠ ପଢ଼ି ସ୍ୱାଭିମାନର ସହ ନିଜ ଗୋଡରେ ଠିଆ ହେବା ସହ ଶିକ୍ଷକତା କରିବାକୁ ରଖିଛନ୍ତି ସ୍ୱପ୍ନ । ତେଣୁ ସାନ ଭଉଣୀର ଇଛାଶକ୍ତି ଆଗରେ ହାର ମାନିଛି ବଡ ଭଉଣୀ । ସାନ ଭଉଣୀର ଇଛାଶକ୍ତିକୁ ନିରାଶ ନକରି ବଡ ଭଉଣୀ ଉତ୍ସର୍ଗୀକୃତ ଭାବେ କାନ୍ଧରେ ବୁହାଇ କଲେଜକୁ ନେବା ଆଣିବା କରୁଛନ୍ତି ।

ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକର ଛତିଶଗଡ ସୀମାନ୍ତ ସନ୍ତୋଷପୁର ପଞ୍ଚାୟତ ଅନ୍ତର୍ଗତ ଘୋଢ଼ାଦାନୁଆ ଗ୍ରାମର ଗୀତାରାଣୀ ଗୌଡ ଜନ୍ମରୁ ପୋଲିଓ । ସେ ପିଲାରୁ ଚାଲି ପାରୁନାହାନ୍ତି । ଗୀତାଙ୍କୁ ମିଶାଇ ତାଙ୍କ ପରିବାରର ୪ ଭଉଣୀ ରହିଥିବା ବେଳେ ସେ ସବୁଠାରୁ ସାନ। କେହି ହେଲେ କଲେଜ ବାରଣ୍ଡା ମାଡିନାହାନ୍ତି । ତେଣୁ ଗୀତା ଉଚ୍ଚ ଶିକ୍ଷିତା ହୋଇ ଚାକିରି କରିବାକୁ ଲକ୍ଷ୍ୟ ରଖିଛନ୍ତି । ସେ ଚଳିତ ବର୍ଷ ଟେମରା ହାଇସ୍କୁଲରେ ୬୦ ପ୍ରତିଶତ ରଖି ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ । ଗୀତାଙ୍କ ଉଚ୍ଚ ଶିକ୍ଷାର ମନୋବଳ ଦେଖି ପରିବାର ଲୋକେ ବି ସହଯୋଗ କରିବା ପାଇଁ ହାତ ବଢ଼େଇଲେ । ଗୀତା ନବରଙ୍ଗପୁର ମହିଳା ମହାବିଦ୍ୟାଳୟରେ ଯୁକ୍ତ ୨ ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ଆବେଦନ କରିଥିଲେ ।

ଗୀତା ଭିନ୍ନକ୍ଷମ ଯୋଗୁଁ କଲେଜ କର୍ତ୍ତୃପକ୍ଷ ତାଙ୍କୁ ସହାୟତାର ହାତ ବଢ଼େଇଲେ । ତାଙ୍କ ପାଠ ପଢ଼ା ପାଇଁ ସମସ୍ତ ଫିଜ୍ ଛାଡ କରିଥିଲେ । ଘୋଡାଦାନୁଆ ଗ୍ରାମ ଠାରୁ ନବରଙ୍ଗପୁର ୫୦ କିମି ହୋଇଥିବାରୁ ସେ ନବରଙ୍ଗପୁର ଗାନ୍ଧୀ ନଗର ଠାରେ ବଡ ଭଉଣୀ ଭୁବନେଶ୍ୱରୀ ସହ ଏକ ଘର ଭଡା ନେଇ ରହୁଛନ୍ତି । ଗୀତା ଚଲାବୁଲା କରିପାରୁ ନଥିବାରୁ ବଡ ଭଉଣୀ ଭୁବନେଶ୍ୱରୀ ଗାନ୍ଧୀନଗର ଠାରୁ କଲେଜକୁ ପ୍ରାୟ ୧ କିମି କାନ୍ଧେଇ ନେବା ଆଣିବା କରୁଛନ୍ତି । ଭୁବନେଶ୍ୱରୀ ବି ଗତ ୫ ବର୍ଷ ପୂର୍ବେ ଦଶମ ଶ୍ରେଣୀ ପାସ କରିଥିଲେ । କିନ୍ତୁ ନିକଟରେ କଲେଜ ନଥିବା ଏବଂ ଆର୍ଥିକ ସମସ୍ୟା ଯୋଗୁଁ କଲେଜ ବାରଣ୍ଡା ମାଡିନଥିଲେ । ତେବେ ସାନ ଭଉଣୀର ପାଠ ପଢ଼ା ପ୍ରତି ଇଛାଶକ୍ତି ଦେଖି ସେ ବି ଯୁକ୍ତ ୨ରେ ନାମଲେଖା ପାଇଁ ଆବେଦନ କରିଥିଲେ । କିନ୍ତୁ ତାଙ୍କର ମାଟ୍ରିକରେ କମ୍ ନମ୍ବର ଯୋଗୁଁ କଲେଜରେ ସିଟ୍ ମିଳିନଥିଲା । ଗୀତାରାଣୀଙ୍କ ପରିବାର କହିଲେ ତାଙ୍କ ବାପା ବିଶ୍ୱନାଥ ଗୌଡ ଜଣେ ଗ୍ରାମ ପୋଷ୍ଟ ମାଷ୍ଟର। ମା ଗୃହିଣୀ । ତାଙ୍କ ୪ ଭଉଣୀ ମଧ୍ୟରୁ ବଡ ଭଉଣୀ ବିବାହ କରିସାରିଛନ୍ତି । ଏବେ ୩ ଭଉଣୀଙ୍କ ସହ ପରିବାରର ଆର୍ଥିକ ବୋଝ। ବାପାଙ୍କ ଚାକିରି ନିୟମିତ ହୋଇନାହିଁ । କେବଳ ମାସିକ ୮ହଜାର ଟଙ୍କା ଦରମା ମିଳୁଛି । ସ୍ୱଳ୍ପ ଦରମାରେ ପରିବାରକୁ ଚଳାଇବା ଓ ଝିଅ ମାନଙ୍କ ସମସ୍ତ ଦାୟିତ୍ଵ ନେବା କଷ୍ଟକର ।

 

ଗୀତାରାଣୀ ଗ୍ରାମରେ ୮ମ ଶ୍ରେଣୀ ପର୍ୟ୍ୟନ୍ତ ପାଠ ପଢ଼ିବା ଗ୍ରାମ ଠାରୁ ୫ କିମି ଦୂର ତେମରା ଉଚ୍ଚ ବିଦ୍ୟାଳୟରେ ନାମ ଲେଖାଇଲେ । ସେ ପ୍ରତି ଦିନ ତାଙ୍କ ସହପାଠୀ ମଂଶିରା ଭତ୍ରାଙ୍କ ସାଇକେଲରେ ସ୍କୁଲକୁ ଯିବା ଆସିବା କରୁଥିଲେ । ସେ ୬ଷ୍ଠ ଶ୍ରେଣୀରେ ପାଠ ପଢ଼ିବା ସମୟରେ ସର୍ବଶିକ୍ଷା ଅଭିଯାନ ପକ୍ଷରୁ ତାଙ୍କ ଗୋଡର ଅସ୍ତ୍ରୋପଚାର କରାଯାଇଥିଲା । ତଥାପି ସେ ଚାଲିବାରେ ସକ୍ଷମ ହୋଇପାରିନଥିଲେ। ତାଙ୍କୁ ମାସିକ ୫ଶହ ଟଙ୍କା ଭିନ୍ନକ୍ଷମ ଭତ୍ତା ମିଳୁଛି । ଖାଦ୍ୟ ସୁରକ୍ଷା ଯୋଜନାରେ ମାସିକ ଚାଉଳ ୧୦ କେଜି ମିଳୁଥିଲା, କିନ୍ତୁ କିଛି ବର୍ଷ ହେଲା ମିଳୁନାହିଁ ବୋଲି ସେ କହିଛନ୍ତି । ଗୀତାରାଣୀଙ୍କ ପାଠପଢ଼ା ପାଇଁ ମନୋବଳ ରହିଥିବାରୁ ତାଙ୍କୁ ଉଚ୍ଚ ଶିକ୍ଷା ପାଇଁ ସରକାରଙ୍କ ପକ୍ଷରୁ ସହାୟତା ପ୍ରଦାନ କରାଯିବାକୁ ତାଙ୍କ ସହପାଠୀ ମାନେ ଦାବି କରିଛନ୍ତି ।