‘ମିଲ୍କ ମନ୍ତ୍ର’ରେ ଓଡିଶାର ଶ୍ରୀକୁମାର ! ପତ୍ନୀଙ୍କ ଅଳଙ୍କାର ବନ୍ଧକରେ ବ୍ୟବସାୟ କରି ଏବେ ସେ ୨୦୦ କୋଟିର ମାଲିକ

61

ଆଜି କାଲି ଯୁବପିଢୀ ନାମୀଦାମୀ ତଥା ଚକାଚକ ଚାକିରୀ ଓ ଉଚ୍ଚ ଦରମା ପଛରେ ଧାଉଁଛନ୍ତି ଏବଂ କୃଷି ଭଳି କାମକୁ ହୀନମନ୍ୟତା ଓ ତୁଚ୍ଛ ବୋଲି ଭାବୁଛନ୍ତି । ତେବେ ଆମ ଓଡିଶାରେ ଏମିତି ଜଣେ ଯୁବକ ଶିଳ୍ପପତି ଅଛନ୍ତି ଯିଏ କି ପ୍ରମାଣିତ କରି ଦେଖାଇ ପାରିଛନ୍ତି ଯେ ବିଶ୍ୱର କୃଷିଠାରୁ କୌଣସି ମହନୀୟ ଚାକିରୀ କିଛି ହୋଇ ନପାରେ । ତେବେ ଆସନ୍ତୁ ଜାଣିବା ।

କଟକ ଜିଲ୍ଲା ଶ୍ରୀକୁମାର ମିଶ୍ର, ଯେ କି ଟାଟା ଭଳି ନାମୀଦାମୀ କଂପାନୀକୁ ଛାଡି ଓଡିଶାରେ ଦୁଗ୍ଧ ଚାଷ କ୍ଷେତ୍ରରେ ଆଣିଛନ୍ତି ବୈପ୍ଳବିକ ପରିବର୍ତ୍ତନ । ଏକ ମଧ୍ୟବିତ ପରିବାରରୁ ଆସିଥିବା ଶ୍ରୀକୁମାର ଭୁବନେଶ୍ୱର ସ୍ଥିତ ଏକ୍ସଆଇଏମବିରୁ ଏମବିଏ ପାସ କରିବା ପରେ ଲଣ୍ଡନରେ ଟାଟାର ଏକ ବଡ କଂପାନୀରେ ଚାକିରୀ କରିଥିଲେ । କିନ୍ତୁ ନିଜ କାର୍ଯ୍ୟଦ୍ୱାରା ଲୋକଙ୍କ ପାଇଁ ଓ ତାଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ସଦାସର୍ବଦା ଭାବୁଥିବା ଶ୍ରୀକୁମାରଙ୍କ ଚାକିରୀରେ ଆତ୍ମସନ୍ତୋଷ ନମିଳିବାରୁ ସେ ଓଡିଶା ଫେରି ଆସି କିଛି ନୂଆ କରିବା ପାଇଁ ମନସ୍ତ କଲେ ।

ଓଡିଶାରେ ଦୁଗ୍ଧ ଚାଷ କ୍ଷେତ୍ରଟି ସ୍ୱଚ୍ଛଳ ନଥିବା ହୃଦବୋଧ କରିବା ପରେ ସେଥିରେ ସେ ଏହି ବେପାର କରିବା ପାଇଁ ନିଷ୍ପତି ନେଇଥିଲେ । ୨୦୦୯ରେ ଚାକିରୀ ଛାଡି ନିଜର କର୍ପୋରେଟ ଅଭିଜ୍ଞତା ପ୍ରୟୋଗ କରି ରାଜ୍ୟର ଗୋଦୁଗ୍ଧ ଚାଷୀଙ୍କଠାରୁ ସିଧାସଳଖ ଭାବେ କିଣି ‘ମିଲ୍କ ମନ୍ତ୍ର’ ନାମକ ଏକ କଂପାନୀ ପ୍ରତିଷ୍ଠା କରିଥିଲେ । ମାତ୍ର ଅର୍ଥାଭାବ କାରଣରୁ ବାଧ୍ୟ ହୋଇ ସେ ନିଜ ପତ୍ନୀଙ୍କ ଅଳଙ୍କାରକୁ ବନ୍ଧକ ଦେଇ ପୁଣି ଥରେ ନୁତନ ରୂପେ କଂପାନୀଟିକୁ ଗଢିଥିଲେ । ତେବେ ମାତ୍ର ୧୮ ମାସ କାଳ ସେ ବହୁ ବାଧାବିଘ୍ନ ସହି ନିଜ କଂପାନୀକୁ ବଢାଇଥିଲେ । ଆଜି ଏହି କଂପାନୀ ଓଡିଶା ସମେତ ଝାଡଖଣ୍ଡ,ଛତିଶଗଡ, ପଶ୍ଚିମ ବଙ୍ଗ ଭଳି ରାଜ୍ୟମାନଙ୍କରେ ପାଖାପାଖି ୪୦ ହଜାରରୁ ଅଧିକ ଚାଷୀଙ୍କ ସାହାର ପାଲଟିଛନ୍ତି । ତେବେ ଶ୍ରୀକୁମାରଙ୍କ କଂପାନୀ ପ୍ରଥମ ବର୍ଷ ଆଶ୍ଚର୍ଯ୍ୟଜନକ ଭାବେ ୧୮ କୋଟିର ଲାଭ ପାଇ ଆଜି ୨୦୦ କୋଟି ମୂଲ୍ୟର ଏକ ବଡ କଂପାନୀରେ ପରିଣତ ହୋଇଛି ।

ତେବେ ଶ୍ରୀକୁମାରଙ୍କ ଦୃଢ ନିଷ୍ପତି, ଅଦମ୍ୟ ସାହସ ଏବଂ ଲୋକଙ୍କ ପାଇଁ କିଛି କରିବାର ଇଚ୍ଛାଶକ୍ତି ଆଜି ଅନ୍ୟଙେକ ପାଇଁ ପାଲଟି ଯାଇଛି ଉଦାହରଣ । ତାହା ନ ହୋଇଥିଲେ ଆଜି କୋଟି କୋଟି ଭାରତୀୟଙ୍କ ପାଖକୁ ଦୁଗ୍ଧ ଜାତୀୟ ପଦାର୍ଥ ପହଂଚି ପାରି ନଥାନ୍ତା ।