ବାବା ବନାମ ବାବା: ଯୋଗଗୁରୁ ରାମଦେବଙ୍କୁ ଟକ୍କର ଦେବେ ବାବା ଶ୍ରୀ ଶ୍ରୀ ରବିଶଙ୍କର

55

ବାବା ରାମଦେବ ପତଞ୍ଜଳି ଆୟୁର୍ବେଦ ଜରିଆରେ ବଡ଼ ଧରଣର ବ୍ୟାବସାୟିକ ସଫଳତା ହାସଲ କରିବା ପରେ ପୁଣି ଜଣେ ବାବା ବ୍ୟବସାୟ କ୍ଷେତ୍ରରେ ପ୍ରବେଶ କରିବାକୁ ପ୍ରସ୍ତୁତ ହୋଇଛନ୍ତି । ସେ ହେଉଛନ୍ତି ଶ୍ରୀ ଶ୍ରୀ ରବିଶଙ୍କର। ରାମଦେବଙ୍କ ଭଳି ଶ୍ରୀ ଶ୍ରୀ ରବିଶଙ୍କରଙ୍କ କଂପାନି ମଧ୍ୟ ଆୟୁର୍ବେଦିକ ଉତ୍ପାଦ ବିକ୍ରି କରିବ।

ଶ୍ରୀ ଶ୍ରୀ ରବିଶଙ୍କର ୧୦୦୦ ଷ୍ଟୋର୍ ଜରିଆରେ ନିଜ କାରବାରକୁ ଆରମ୍ଭ କରିବାକୁ ଯୋଜନା ରଖିଛନ୍ତି । ତାଙ୍କ କଂପାନି ନାମ ହେଉଛି ‘ଶ୍ରୀ ଶ୍ରୀ ଆୟୁର୍ବେଦ ଟ୍ରଷ୍ଟ’। ତାଙ୍କର ଷ୍ଟୋର ନାମ ରହିବ ‘ଶ୍ରୀ ଶ୍ରୀ ତତ୍ତ୍ୱ’। ସେ ଆୟୁର୍ବେଦିକ ଟୁଥପେଷ୍ଟ୍, ସାବୁନ୍ ଭଳି ଏଫଏମସିଜି ସାମଗ୍ରୀ ବିକ୍ରି କରିବେ। କଂପାନିର ସିଇଓ ତେଜ୍ କଟପିଟିଆ କହିଛନ୍ତି ଯେ, ‘ଲୋକମାନେ ଦୈନନ୍ଦିନ ଜୀବନରେ ଆୟୁର୍ବେଦିକ ସାମଗ୍ରୀକୁ ଗ୍ରହଣ କରିଛନ୍ତି । ଆମେ ଟୁଥପେଷ୍ଟ୍, ଡିଟରଜେଣ୍ଟ୍, ଘିଅ ଏବଂ କୁକିଜରୁ କାରବାର ଆରମ୍ଭ କରିବୁ’ । ଏହି ବ୍ୟବସାୟରେ ରହିଥିବା ଅନ୍ୟ ସଂସ୍ଥାଗୁଡ଼ିକର ଉତ୍ପାଦ ତୁଳନାରେ ଆମ ଉତ୍ପାଦ ଭିନ୍ନ ଏବଂ ସ୍ୱତନ୍ତ୍ର ରହିବ ବୋଲି ସେ କହିଛନ୍ତି ।

ଶ୍ରୀ ଶ୍ରୀ ରବିଶଙ୍କରଙ୍କ କଂପାନି ସ୍ୱାସ୍ଥ୍ୟ ପାନୀୟ, ସାବୁନ୍, ସୁଗନ୍ଧ ଏବଂ ମସଲା ଆଦି ସାମଗ୍ରୀ ୨୦୦୩ ପରଠାରୁ ବିକ୍ରି କରୁଛି । ଆଗାମୀ ଦିନରେ କଂପାନି ଏହାର ଉତ୍ପାଦ ସଂଖ୍ୟା ୩୦୦ରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି । ଖାଦ୍ୟ ଏବଂ ଗୃହ ଉପକରଣ ସାମଗ୍ରୀ ବିକ୍ରି କରିବାକୁ କଂପାନି ପ୍ରସ୍ତୁତ ହେଉଛି । ଦେଶ ଭିତରେ ଶ୍ରୀ ଶ୍ରୀ ରବିଶଙ୍କରଙ୍କ କଂପାନିର ତିନିଟି କାରଖାନା ବେଙ୍ଗାଲୁରୁ, ହାଇଦ୍ରାବାଦ ଏବଂ ଉତ୍ତରାଖଣ୍ଡରେ ରହିଛି । ସମସ୍ତ ଉତ୍ପାଦ ସେହି ସବୁ କାରଖାନାରେ ଉତ୍ପାଦନ କରାଯିବ।

ଯେଉଁ ସମସ୍ତ ସ୍ଥାନଗୁଡ଼ିକରେ ପତଞ୍ଜଳି ଷ୍ଟୋର ରହିଛି ଶ୍ରୀ ଶ୍ରୀ ଆୟୁର୍ବେଦ ଏହାର ଷ୍ଟୋର୍ଗୁଡ଼ିକ ସେହି ପାଖାପାଖି ଅଞ୍ଚଳରେ ଖୋଲିପାରେ। ଆସନ୍ତା ମାସରେ କଂପାନି ଏହାର ପ୍ରଥମ ଷ୍ଟୋର ଖୋଲିବ। ନଭେମ୍ବର ସୁଦ୍ଧା ଷ୍ଟୋର ସଂଖ୍ୟା ୫୦ରେ ପହଞ୍ଚିବ। ଆଗାମୀ କିଛି ବର୍ଷ ଭିତରେ କଂପାନି ୧୦୦ କୋଟି ଡଲାର କାରବାର କରିବାକୁ ଲକ୍ଷ୍ୟ ରଖିଛି।

ଉଲ୍ଲେଖଯୋଗ୍ୟ ଯେ, ବାବା ରାମଦେବଙ୍କ କଂପାନି ପତଞ୍ଜଳି ଆୟୁର୍ବେଦ ଗୋଟିଏ ଦଶନ୍ଧିରୁ କମ୍ ବର୍ଷ ଭିତରେ ୧୦,୦୦୦ କୋଟି ଟଙ୍କାର କାରବାର ମାଇଲଖୁଣ୍ଟ ହାସଲ କରିଛି । ପତଞ୍ଜଳି ଯୋଗୁଁ ଅନେକ ବହୁଦେଶୀୟ କଂପାନି ବ୍ୟବସାୟ ହରାଇବା ସହିତ ସେମାନଙ୍କ ଉତ୍ପାଦ ବର୍ଗରେ ଆୟୁର୍ବେଦ ଉତ୍ପାଦ ସାମିଲ କରିବାକୁ ବାଧ୍ୟ ହୋଇଛନ୍ତି। ହିନ୍ଦୁସ୍ତାନ ୟୁନିଲିଭର ଆୟୁଷ ନାମରେ ଆୟୁର୍ବେଦିକ ଉତ୍ପାଦ ବଜାରକୁ ଆଣିଛି। ଲା’ ଓରିଅଲ୍ ପକ୍ଷରୁ ମଧ୍ୟ ଆୟୁର୍ବେଦ ଉତ୍ପାଦ ବିକ୍ରି ଆରମ୍ଭ କରାଯାଇଛି। ଡାବର ପକ୍ଷରୁ ଆୟୁର୍ବେଦିକ ଜେଲ୍ ଟୁଥପେଷ୍ଟ୍ ବିକ୍ରି ଆରମ୍ଭ କରାଯାଇଛି ।

ତେବେ ବାବା ରାମଦେବ ଏବଂ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ବ୍ୟତୀତ ଅନ୍ୟ ଜଣେ ବାବା ମଧ୍ୟ ବ୍ୟବସାୟ କ୍ଷେତ୍ରରେ ପ୍ରବେଶ କରି ସଫଳତା ହାସଲ କରିଛନ୍ତି । ସେ ହେଉଛନ୍ତି ହରିୟାନାର ବିବାଦୀୟ ବାବା ଗୁରମିତ୍ ରାମରହିମ୍ । ସେ ଏମଏସଜି ବ୍ରାଣ୍ଡ୍ ନାମରେ ୧୫୦ରୁ ଅଧିକ ସାମଗ୍ରୀ ବିକ୍ରି କରୁଛନ୍ତି । ରାମଦେବଙ୍କ ଭଳି ଅବଶ୍ୟ ସେ ଜାତୀୟ ସ୍ତରରେ ଆଶାତୀତ ସଫଳତା ପାଇନାହାନ୍ତି। ସେ ଅର୍ଗାନିକ୍ ଏବଂ ସ୍ୱଦେଶୀ ସାମଗ୍ରୀ ବିକ୍ରି କରୁଛନ୍ତି । ସେ ସାମ୍ପୁଠାରୁ ଅଟା ପର୍ଯ୍ୟନ୍ତ ବହୁତ କିଛି ବିକ୍ରି କରୁଛନ୍ତି । ବାବା ଗୁରମିତ୍ ରାମରହିମ୍ ବଲିଉଡ୍ ସିନେମା ବ୍ୟବସାୟ କ୍ଷେତ୍ରରେ ମଧ୍ୟ ପ୍ରବେଶ କରିଛନ୍ତି । ସେ ରକ୍ ଷ୍ଠାର୍ ବାବା ଭାବେ ସାରା ଦେଶରେ ବେଶ୍ ପରିଚିତ ।