ଏଟିଏମ୍ ଲୁଟେରାଙ୍କ ଉପରେ ରହିବ କଡ଼ା ନଜର : ରାଜ୍ୟରେ ଗଠନ ହେବ ସ୍ୱତନ୍ତ୍ର ସ୍କ୍ୱାର୍ଡ଼

22

କନକ ବ୍ୟୁରୋ : ରାଜ୍ୟରେ ଏଟିଏମ ଲୁଟେରାଙ୍କ ଆତଙ୍କ ବଢ଼ିବାରେ ଲାଗିଛି । ପ୍ରତିଦିନ କୌଣସି ନା କୌଣସି ସ୍ଥାନରେ ଏଟିଏମ କାଟି ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଛନ୍ତି ଦୁର୍ବୃତ୍ତ । ତେଣୁ ଅନେକ କ୍ଷତି ସହିବା ପାଇଁ ପଡ଼ୁଛି । ତେବେ ଏଟିଏମ ଲୁଟେରାଙ୍କ ଉପରେକ କଡ଼ା ନଜର ରଖିବା ପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡ଼ ଗଠନ କରିବା ପାଇଁ ଯୋଜନା କରାଯାଉଛି ।

ରାଜ୍ୟରେ ଏଟିଏମ୍‌ ସିରିଜ୍‌ ଲୁଟକୁ ନେଇ ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ବିଶେଷକରି ଶନିବାର ରାତିରେ ବାରିପଦା ସହରର ୪ଟି ଏଟିଏମ୍‌ କାଟି ପାଖାପାଖି ୩୦ ଲକ୍ଷ ଟଙ୍କା ଲୁଟି ନେବା ଘଟଣା ପୁଲିସ ପାଇଁ ଚାଲେଞ୍ଜ ହୋଇଛି । ଘଟଣାର କ୍ରାଇମ୍‌ବ୍ରାଞ୍ଚ ତଦାରଖ କରିବାକୁ ଡିଜି ନିର୍ଦେଶ ଦେବା ପରେ କ୍ରାଇମ୍‌ବ୍ରାଞ୍ଚର ଏକ ଟିମ୍‌ ବାରିପଦା ଯାଇ ତଥ୍ୟ ସଂଗ୍ରହ କରିଛି । ଅନ୍ୟପକ୍ଷରେ ରାଜ୍ୟରେ ଏଟିଏମ୍‌ ଲୁଟ ରୋକିବା ଦିଗରେ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଆକ୍ସନପ୍ଲାନ୍‌ ପ୍ରସ୍ତୁତ ହୋଇଛି । ଏଟିଏମ୍‌ ଲୁଟ ରୋକିବା ପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡ଼ ଗଠନ କରିବା ନିମନ୍ତେ ଏସ୍‌ପିମାନଙ୍କୁ କୁହାଯାଇଛି ।

atm loot

କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଏଟିଏମ୍‌ ଲୁଟେରା ରାଜ୍ୟ ବାହାରର ହୋଇଥିବାରୁ ସେମାନଙ୍କୁ ଚିହ୍ନିବା କଷ୍ଟକର । ଏହାଛଡ଼ା ସେମାନେ ଯେଉଁଠି ଏଟିଏମ୍‌ରୁ ଲୁଟ୍‌ କରୁଛନ୍ତି, ସେଠାରେ ଲାଗିଥିବା ସିସି କ୍ୟାମେରାକୁ ନଷ୍ଟ କରିଦେବା ସହିତ ହାର୍ଡଡିସ୍କ ସାଙ୍ଗରେ ନେଇ ଯାଉଛନ୍ତି । ତେବେ ସେମାନଙ୍କୁ ଠାବ କରିବା ଲାଗି ସହରର ପ୍ରବେଶ ପଥ, ପ୍ରସ୍ଥାନ ପଥ ଓ ପଟ୍ରୋଲ ପମ୍ପରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରାଯାଉଛି । ଯାହା ଜଣାପଡ଼ିଛି ଏହି ଗ୍ୟାଙ୍ଗ୍‌ ଗୋଟିଏ ସହରରେ ଲୁଟ କରିବା ପରେ ପୁଣି ଥରେ ଏକ ମାସ ପରେ ଅନ୍ୟ ଏକ ସହରକୁ ଟାର୍ଗେଟ କରୁଛନ୍ତି । ତେଣୁ ସେମାନେ ସେହି ସହରର କୌଣସି ହୋଟେଲ କିମ୍ବା ଲଜ୍‌ରେ ରହୁଛନ୍ତି । ତେଣୁ ଜିଲ୍ଲା ପୁଲିସ ସେମାନଙ୍କ ସହରରେ ଥିବା ହୋଟେଲ ଓ ଲଜ୍‌ରେ ରହୁଥିବା ଅତିଥିମାନଙ୍କ ନାଁ, ଗାଁ, ଠିକଣା, ମୋବାଇଲ୍‌ ନମ୍ବର ଆଦି ସଂଗ୍ରହ କରିବାକୁ କ୍ରାଇମ୍‌ବାଞ୍ଚ ପକ୍ଷରୁ କୁହାଯାଇଛି ।

atm loot

 

ପ୍ରକାଶଥାଉକି, ଗତ ୭ ମାସ ମଧ୍ୟରେ ଏଟିଏମ୍‌ ଲୁଟେରା ପାଖାପାଖି ୨ କୋଟି ଟଙ୍କା ଗାଏବ କରି ସାରିଲେଣି । ଏହି ଗ୍ୟାଙ୍ଗ୍‌ ଭଦ୍ରକ, ବାଲେଶ୍ୱର, ଗଞ୍ଜାମ, ରାଉରକେଲା, କଟକ ଓ ବାରିପଦାରେ ଏଭଳି ସିରିଜ୍‌ ଲୁଟ୍‌ କରି ପୁଲିସକୁ ଚକ୍‌ମା ଦେଇ ଚାଲିଛନ୍ତି ।