ପୂଜାପାଠ ପରେ ପାଦ ପଡିବ ! ଗୃହପ୍ରବେଶ ଆଗରୁ ଶୁଦ୍ଧୀକରଣ

84

ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ, ସରକାର ଗଠନ କଲେ, ନୂଆ ରୋଡମ୍ୟାପ ଘୋଷଣା କଲେ । ପାଂଚ କାଳିଦାସ ମାର୍ଗରେ ଥିବା ମୁଖ୍ୟମନ୍ତ୍ରୀଙ୍କ ସରକାରୀ ଆବାସରେ ନାମଫକଳ ବଦଳିଗଲା । ହେଲେ ଏଯାଏଁ ଗୃହପ୍ରବେଶ କରିନାହାନ୍ତି ଆଦିତ୍ୟନାଥ । ଶୁଦ୍ଧୀକରଣ ଆଉ ପୂଜାପାଠ ପରେ ସରକାରୀ ଆବାସକୁ ଆସିବେ ।

ରୁଦ୍ରାଭିଷେକ ପାଇଁ ଗୋରଖପୁରରୁ ସାତ ଜଣ ସ୍ୱତନ୍ତ୍ର ପୁରୋହିତ ଆସିଛନ୍ତି । ସକାଳ ପାଖାପାଖି ସାଢେ ୯ଟାରେ ପୁରୋହିତ ଦଳ ପହଂଚିବା ପରେ ଆରମ୍ଭ ହୋଇଯାଇଛି ପୂଜାର୍ଚ୍ଚନା । ଆବାସ ଭିତରେ ସବୁ କୋଠରୀ ବୁଲି ଦେଖିବା ସହ ବାସ୍ତୁକୁ ଆଖି ଆଗରେ ରଖି ପୂଜା ପାଇଁ ଅଲଗା ସ୍ଥାନ ଚିହ୍ନଟ ହୋଇଛି । ଗଂଗାଜଳ, ଗୋମୂତ୍ର ଆଉ ତମାମ ପୂଜା ସାମଗ୍ରୀ ସହ ହୋମ ଆଉ ଶୁଦ୍ଧୀକରଣ କରାଯିବ ।

ସୂଚନା ଅନୁସାରେ, ପୂଜା ସାମଗ୍ରୀ ସବୁ ଗୋରଖପୁରରୁ ଆସିଛି । ଯୋଗୀ ଆଦିତ୍ୟନାଥ ପୂଜା ସମୟରେ ସରକାରୀ ଆବାସ ପରିସରରେ ଉପସ୍ଥିତ ରହିବେ । ଏହାକୁ ଆଖି ଆଗରେ ରଖି ସୁରକ୍ଷା ବ୍ୟବସ୍ଥାକୁ ଯଥେଷ୍ଟ ବଢାଇ ଦିଆଯାଇଛି । ସରକାରୀ ଆବାସ ପରିସରରେ ଯୋଗୀ ଆଦିତ୍ୟନାଥ ଏକ ମନ୍ଦିର ପ୍ରତିଷ୍ଠା କରିବାକୁ ଲକ୍ଷ ରଖିଛନ୍ତି । ଏନେଇ ପୁରୋହିତ ଦଳ ପରାମର୍ଶ ଦେବେ ।

ଶୁଦ୍ଧୀକରଣର ତୁରନ୍ତ ପରେ ମଧ୍ୟ ଯୋଗୀ ଆଦିତ୍ୟନାଥ ସରକାରୀ ଆବାସରେ ରହିବେନି । ଗୋଟିଏ ଶୁଭଦିନ ଦେଖି ଗୃହ ପ୍ରବେଶ କରିବେ । ରବିବାର ଶପଥ ଗ୍ରହଣ କରିବା ପରେ ଭିଭିଆଇପି ଗେଷ୍ଟ ହାଉସରେ ଯୋଗୀ ଆଦିତ୍ୟନାଥ ରହୁଛନ୍ତି ।