ପରୀକ୍ଷା ନୁହେଁ ସଫଳତାର ମାପକାଠି ! ଜାଣନ୍ତୁ ଆମ ରାଜ୍ୟର କିଛି ଏଭଳି ବ୍ୟକ୍ତିତ୍ୱଙ୍କ ସଂପର୍କରେ

140

ଆସନ୍ତାକାଲି ପ୍ରକାଶ ପାଇବାକୁ ଯାଉଛି ମାଟ୍ରିକ ପରୀକ୍ଷାର ଫଳାଫଳ । ଏଥିପାଇଁ ବିଦ୍ୟାର୍ଥୀଙ୍କଠାରୁ ଆରମ୍ଭକରି ଅଭିଭାବକଙ୍କ ମନରେ ଭରି ରହିଛି ଗଭୀର ଉକ୍ରଣ୍ଠା । ତେବେ ଏହି ଅବସରରେ ଗୋଟିଏ ଜିନିଷ ଉପରେ ନିଶ୍ଚୟ ଧ୍ୟାନ ଦେବା ସହ ଭାବିବା ଉଚିତ୍ ଏହା ଆପଣଙ୍କ ପାଇଁ କିମ୍ବା ଆପଣଙ୍କ ପିଲାଙ୍କ ପାଇଁ ଶେଷ ପରୀକ୍ଷା ନୁହେଁ । ଏହାପରେ ମଧ୍ୟ ଆପଣଙ୍କୁ ଅନେକ ପରୀକ୍ଷାର ସାମ୍ନା କରିବାକୁ ପଡିପାରେ । ଯଦି ଆପଣ ଏହି ପରୀକ୍ଷାରେ ଅସଫଳ ହେଉଛନ୍ତି ତେବେ ଏଥିପାଇଁ ଚିନ୍ତିତ ହେବା ଆଦୌ ଉଚିତ୍ ନୁହେଁ କାରଣ ଯଦି ଆପଣଙ୍କ ପାଖରେ ସେଭଳି କିଛି ପ୍ରତିଭା ରହିଛି ତେବେ ତାହାରି ବଳରେ ହିଁ ଆପଣ ସଫଳତାର ପାହାଚ ନିଶ୍ଚୟ ଚଢିପାରିବେ । ତେବେ ଆଜି ଆମେ ଆପଣଙ୍କୁ ଆମ ରାଜ୍ୟର କିଛି ଏଭଳି ବ୍ୟକ୍ତିତ୍ୱଙ୍କ ସଂପର୍କରେ ଜଣାଇବୁ, ଯେଉଁମାନେ କି ଖୁବ୍ କମ୍ ପାଠ ପଢି ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ।

ସମ୍ବଲପୁରୀ ଲୋକଗୀତକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିବା ଏହି ଗାୟକ ହେଉଛନ୍ତି ଜୀତେନ୍ଦ୍ର ହରିପାଲ । ପଶ୍ଚିମ ଓଡିଶାରେ ଜନ୍ମ ଲାଭ କରିଥିବା ହରିପାଲ ପାଖାପାଖି ୧୦୦୦ରୁ ଅଧିକ ସଂଗୀତରେ କଣ୍ଠଦାନ କରି ନିଜ ପାଇଁ ସୃଷ୍ଟି କରିଛନ୍ତି ଏକ ସ୍ୱତନ୍ତ୍ର ପରିଚୟ । ଏକ ଗରିବ ତଥା ଦଳିତ ପରିବାରରୁ ଆସିଥିବା ହରିପାଲ କୌଣସି କାରଣରୁ ନିଜର ପାଠପଢାକୁ ବନ୍ଦ କରିବାକୁ ପଡିଥିଲା । ହେଲେ ଇଶ୍ୱରଙ୍କ କୃପା ଏବଂ ନିଜର ପ୍ରତିଭା ବଳରେ ସେ ୧୯୭୧ରେ ସମ୍ବଲପୁର ଅଲ୍ ଇଣ୍ଡିଆ ରେଡିଓରେ ଭାଷ୍ୟକାର ଓ ଗୀତ ପରିବେଷଣ କରିବା ଆରମ୍ଭ କରିଥିଲେ । ଏହା ପରେ ପରେ ସେ ସଫଳତାର ପାହାଚ ଚଢିବାକୁ ଲାଗିଥିଲେ । ଆପଣ ଜାଣିଲେ ଚକିତ ହେବେ କି ଏଥିପାଇଁ ସେ କୌଣସି ଅନୁଷ୍ଠାନରୁ ମଧ୍ୟ ଶିକ୍ଷା ଲାଭ କରିନଥିଲେ ।

ତେବେ ଖାଲିଯେ ସମ୍ବଲପୁରୀ ସଂଗୀତ ତାହା ନୁହେଁ ବରଂ ଓଡିଆ,ବଙ୍ଗଳା, ଭୋଜପୁରୀ, ଛତିଶଗଡି ଆଦି ଭାଷାର ସଂଗୀତରେ ହରିପାଲ କଣ୍ଠଦାନ କରିସାରିଛନ୍ତି । ଏହା ବ୍ୟତୀତ ହରିପାଲଙ୍କ ସଂଗୀତ ଜଗତରେ ଉଲ୍ଲେଖନୀୟ ଅବଦାନ କାରଣରୁ ତାଙ୍କୁ ୨୦୧୬ରେ ‘ପଦ୍ମଶ୍ରୀ’ ଉପାଧୀରେ ଭୂଷିତ କରାଯାଇଥିଲା ।

ହଳଧର ନାଗ: ଆଜିର ଓଡିଆ କାବ୍ୟ ଜଗତରେ ହଳଧର ନାଗ ହେଉଛନ୍ତି ଜଣେ ପ୍ରେରଣା ସ୍ୱରୂପ । ଓଡିଶା ପାଇଁ ଗର୍ବ,ହଳଧରଙ୍କ କାହାଣୀ ବର୍ତ୍ତମାନର ଯୁବପିଢୀଙ୍କ ପାଇଁ ପାଲଟିଛି ଏକ ଜ୍ୱଳନ୍ତ ଉଦାହରଣ ।

ତେବେ, ୧୦ ବର୍ଷ ବୟସରେ ତାଙ୍କ ବାପାଙ୍କ ମୃତ୍ୟୁ ହେବା କାରଣରୁ ହଳଧର ନିଜ ପାଠ ପଢାକୁ ଅଧାରୁ ତଥା ମାତ୍ର ୩ୟ ଶ୍ରେଣୀରୁ ବନ୍ଦ କରିବାକୁ ପଡିଥିଲା । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେକି ତାଙ୍କ ଦୃଢ ନିଷ୍ଠାପରତା ଏବଂ ପ୍ରତିଭା ଆଗରେ ହାର ମାନିଥିଲା ଶିକ୍ଷାଗତ ଯୋଗ୍ୟତା । ଅର୍ଥାତ୍ ତାଙ୍କ ରଚିତ କାବ୍ୟ ପୁସ୍ତକର ଇଂରାଜୀ ଅନୁବାଦ ‘କାବ୍ୟାଞ୍ଜଳୀ’ ଏବେ ଦେଶବିଦେଶରେ ବିଭିନ୍ନ କବି,ଲେଖକ ଓ ବୁଦ୍ଧିଜୀବୀଙ୍କ ନିକଟରେ ପୂଜନୀୟ ହୋଇଛି । ନିଜର କାବ୍ୟ ଦ୍ୱାରା ପଶ୍ଚିମ ଓଡିଶାରେ ‘ହଳଧର ଧାରା’ ନିର୍ମିତ ଏକ ‘କାବ୍ୟଧାରା’ ସୃଷ୍ଟି କରିଥିବା ହଳଧରଙ୍କୁ କେନ୍ଦ୍ର ସରକାର ୨୦୧୬ରେ ‘ପଦ୍ମଶ୍ରୀ’ ଉପାଧୀରେ ଭୁଷିତ କରିଛନ୍ତି ।

ତୁଳସୀ ମୁଣ୍ଡା: ଓଡିଶାରେ ଅବହେଳିତ ପଛୁଆ ବର୍ଗର ତଥା ନାରୀମାନଙ୍କ ପାଇଁ ପ୍ରେରଣା ହେଉଛନ୍ତି ତୁଳସୀ ମୁଣ୍ଡା । ସମାଜ ସେବାରେ ନିଜକୁ ନିୟୋଜିତ କରିଆସିଥିବା ତୁଳସୀ ମୁଣ୍ଡା ସଂମଗ୍ର ଓଡିଶାବାସୀଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ଗରୀବଙ୍କ ପାଇଁ ଜୀବନଶିଖା ସାଜି ସୁନ୍ଦରଗଡର ସରଣ୍ଡା ଅଂଚଳକୁ କରିଛନ୍ତି ଗୌରବାନ୍ୱିତ ।

ଏହାଛଡା ନିଜେ ପାଠ ନପଢି ପରିବା ଏବଂ ମୁଢି ବିକି ଗରୀବ ପିଲାଙ୍କୁ ପାଠପଢାଇ ସମସ୍ତଙ୍କ ପାଇଁ ଆଦରଣୀୟ ହୋଇଛନ୍ତି । ତେବେ ତାଙ୍କର ଏଭଳି ବ୍ୟକ୍ତିତ୍ୱ ପାଇଁ ତାଙ୍କୁ ୨୦୦୧ରେ ‘ପଦ୍ମଶ୍ରୀ’ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୧ରେ ‘ଜୀବନ୍ତ କିମ୍ବଦନ୍ତୀ’ ଭଳି ମାନ୍ୟତା ମିଳିଛି ।