ପୁଣି ମଣିଷ ମାରିଲା ମୋବାଇଲ ଫୋନ ! ପକେଟରେ ରଖି ଶୋଇଥିବା ବେଳେ ଫାଟିଲା ଫୋନ, ଜୀଅନ୍ତା ଜଳିଗଲେ ଯୁବକ

2,876

ପୁଣି କାଳ ସାଜିଲା ମୋବାଇଲ ଫୋନ । ମୋବାଇଲ ଫୋନ କାରଣରୁ ଜଣେ ଯୁବକଙ୍କର ଅକାଳରେ ମୃତ୍ୟୁ ହୋଇଛି । ଯୁବକ ଜଣକ ଫୋନକୁ ପକେଟ୍ ଭିତରେ ରଖି ଶୋଇଥିବା ବେଳେ ସେଥିରେ ବିସ୍ଫୋରଣ ଘଟି ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ତେବେ ଏଭଳି ଅଭାବନୀୟ ଘଟଣା ଘଟିଛି ରାଜସ୍ଥାନର ଉଦୟପୁରରେ ।

ସୂଚନା ମୁତାବକ, ରାଜସ୍ଥାନର ଉଦୟପୁରର ନଟବଲଗଡ ଗାଁରେ ୬୦ ବର୍ଷୀୟ କିଶୋର ସିଂହଙ୍କର ମୋବାଇଲରେ ବିସ୍ଫୋରଣ କାରଣରୁ ମୃତ୍ୟୁ ହୋଇଛି । କିଶୋର ସବୁବେଳେ ପକେଟ ଭିତରେ ମୋବାଇଲ ରଖୁଥିଲେ । ଦୁର୍ଘଟଣା ଘଟିଥିବା ଦିନ ରାତିରେ ସେ ପକେଟରୁ ମୋବାଇଲ କାଢିବାକୁ ଭୁଲି ଯାଇଥିଲେ , ଯେଉଁ କାରଣରୁ ଫୋନକୁ ପକେଟରେ ରଖି ଶୋଇଯାଇଥିଲେ । ତେବେ କିଶୋର ଶୋଇଥିବା ଅବସ୍ଥାରେ ପକେଟରେ ରଖିଥିବା ମୋବାଇଲ ଚାପିହୋଇ ଗରମ ହୋଇଯାଇଥିଲା । ବିଳମ୍ବିତ ରାତି ତଥା ପାଖାପାଖି ସାଢେ ୨ଟା ସମୟରେ ସେ ଯେତେବେଳେ ବାହାରକୁ ଉଠିଥିଲେ ଠିକ୍ ଏହି ସମୟରେ ହିଁ ମୋବାଇଲରେ ହଠାତ୍ ବିସ୍ଫୋରଣ ହୋଇଥିଲା । ଯେଉଁ କାରଣରୁ କିଶୋରଙ୍କ ଦେହରେ ନିଆଁ ଲାଗିଯାଇଥିଲା ।

କିଶୋରଙ୍କର ଚିକ୍ରାର ଶୁଣି ପାଖ ରୁମରେ ଶୋଇଥିବା ତାଙ୍କ ପୁଅ ବୋହୂ ଧାଇ ଆସିଥିଲେ । ହେଲେ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା । କେହି କିଛି ବୁଝିବା, କରିବା ପୂର୍ବରୁ ପୂରା ପରିବାର ଆଗରେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ୬୦ ବର୍ଷୀୟ କିଶୋର । ଏହାପରେ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।