ଶୀଘ୍ର ଆସିବ ୨୦୦ ଟଙ୍କିଆ ନୋଟ୍‌: ୨୦୦୦ ଟଙ୍କିଆ ବନ୍ଦ ହେବନି !

39

୨୦୦ ଟଙ୍କିଆ ନୋଟ୍ ଛପା ହେଉଥିବା କଥାକୁ ସ୍ୱୀକାର କରିଛନ୍ତି କରି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗଓ୍ଵାର୍। ଖୁବଶୀଘ୍ର ବଜାରକୁ ଏହି ନୋଟ୍ ଆସିବ ବୋଲି ସେ କହିଛନ୍ତି । ତେବେ କେଉଁ ମାସରେ ଏହା ବଜରାକୁ ଆସିବ ତାହା କିନ୍ତୁ ଜଣାଇ ନାହାନ୍ତି । ମାତ୍ର ଗଣମାଧ୍ୟମରେ ଯେଉଁ ରିପୋର୍ଟ ସବୁ ପ୍ରକାଶ ପାଇଥିଲା ସେଥିରେ କୁହାଯାଇଛି ଯେ ଅଗଷ୍ଟରେ ନୂଆ ୨୦୦ ଟଙ୍କିଆ ନୋଟ୍ ବଜାରକୁ ଆସିବ । ଏହି ନୋଟ୍ ଆସିଲେ ଛୋଟ ଏବଂ ଖୁଚୁରା ନୋଟର ଯେଉଁ ଅଭାବ ରହିଛି ତାହା ଦୂର ହୋଇଯିବ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ଦୁଇ ହଜାର ଟଙ୍କିଆ ପ୍ରତ୍ୟାହାର ଯୋଜନା ସମ୍ପର୍କରେ ତାଙ୍କ ପାଖରେ କିଛି ତଥ୍ୟ ନାହିଁ ବୋଲି ଶ୍ରୀ ଗଙ୍ଗଓ୍ଵାର କହିଛନ୍ତି । ଦୁଇ ହଜାର ଟଙ୍କିଆ ବନ୍ଦ ହୋଇଯିବ ବୋଲି ଗଣମାଧ୍ୟମରେ ଯେଉଁ ଖବର ସବୁ ପ୍ରକାଶ ପାଇଛି ତାହା ଉପରେ ପ୍ରତିକ୍ରିୟା ରଖି ସେ ଏହା କହିଛନ୍ତି । ତେବେ କେଉଁ କାରଣ ଯୋଗୁଁ ୨୦୦୦ ଟଙ୍କିଆ ନୋଟ୍ ଛପାଇବା ପରିମାଣ କମ୍ କରାଯାଇଛି ତାହା ସେ କହିପାରିବେ ନାହିଁ ମଧ୍ୟ ବୋଲି କହିଛନ୍ତି । ଏହା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର କାମ । ତେଣୁ ଆରବିଆଇ ଏ ବିଷୟରେ ଠିକ୍ କଥା କହିପାରିବ ବୋଲି ଶ୍ରୀ ଗଙ୍ଗଓ୍ଵାର କହିଛନ୍ତି ।

ତେବେ କିଛି ଦିନ ତଳେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରେ ମଧ୍ୟ କୁହାଯାଇଥିଲା ଯେ ବଜାରରେ ବଡ଼ ଏବଂ ଛୋଟ ନୋଟ୍ ଭିତରେ ଯେଉଁ ଫାଙ୍କା ସ୍ଥାନ ରହିଛି ତାହାକୁ ୨୦୦ ଟଙ୍କିଆ ନୋଟ୍ ପୂରଣ କରିପାରିବ । କର୍ଣ୍ଣାଟକ, ପଶ୍ଚିମ ବଙ୍ଗ, ମହାରାଷ୍ଟ୍ର ଏବଂ ମଧ୍ୟ ପ୍ରଦେଶଠାରେ ଥିବା ନୋଟ୍ ଛାପାଖାନାରେ ୨୦୦ ଟଙ୍କିଆ ନୋଟ୍ ଛପା ହେଉଛି । ତେବେ ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି ଯେ ସରକାର କେବଳ ୨୦୦୦ ଟଙ୍କିଆ ନୋଟ୍ ସଂଖ୍ୟା କମ କରିବା ଉପରେ ଜୋର ଦେବେ । ତାହାକୁ ବଜାରରୁ ପ୍ରତ୍ୟାହାର କରିବେ ନାହିଁ ।

ଗତବର୍ଷ ବିମୁଦ୍ରାକରଣ ଘୋଷଣା ହେବା ପରେ ନୂଆ ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନ କରାଯାଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ କେବଳ ୨୦୦୦ ଟଙ୍କିଆ ନୋଟ୍ ଅଧିକ ଆସିଲା । ଫଳରେ ବଜାରରେ ଉପଲବ୍ଧ ଥିବା ୧୦୦ ଟଙ୍କିଆ ଏବଂ ୨୦୦୦ ଟଙ୍କିଆ ନୋଟ୍ ଭିତରେ ଏକ ବଡ଼ ଧରଣର ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଥିଲା । ଲୋକମାନେ ୨ ହଜାର ଟଙ୍କିଆକୁ ନେଇ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ତେବେ ବଜାରରେ ନୂଆ ୫୦୦ ଟଙ୍କିଆ ନୋଟ୍ ଉପଲବ୍ଧ ହେବା ପରେ ସ୍ଥିତି ସ୍ୱାଭାବିକ ହୋଇଛି । ଏହା ସତ୍ୱେ ନୋଟକୁ ନେଇ ଯେଉଁ ଶୂନ୍ୟ ସ୍ଥାନ ରହିଛି ତାହାକୁ ୨୦୦ ଟଙ୍କିଆ ପୂରଣ କରିପାରିବ ବୋଲି ଅନୁମାନ କରାଯାଉଛି ।