କାହିଁକି ଆସିଲା ୨୦୦ ଟଙ୍କିଆ ନୋଟ୍ ? ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

41

ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏବେ ୨୦୦ ଟଙ୍କିଆ ନୋଟ୍ ଅଣାଯାଇଛି । ୧୦୦ ଟଙ୍କିଆ ଉପରେ ପଡ଼ୁଥିବା ଚାପକୁ ଏହା ହ୍ରାସ କରିବ ବୋଲି କୁହାଯାଉଛି । କିନ୍ତୁ ୨୦୦ ଟଙ୍କିଆ ନୋଟ୍ ଆଣିବା ପଛରେ ଆଉ ଏକ କାରଣ ମଧ୍ୟ ରହିଛି । ତାହା ହେଲା ଛପା ଯାଉଥିବା ବିଭିନ୍ନ ମୂଲ୍ୟର ନୋଟଗୁଡ଼ିକ ଏକ ନିର୍ଦ୍ଧାରିତ ନିୟମ ଅନୁଯାୟୀ ହିଁ ସ୍ଥିର ହୋଇଥାଏ । ସେହି କ୍ରମରେ ଖାଲି ଥିବା ସ୍ଥାନକୁ ୨୦୦ ଟଙ୍କିଆ ନୋଟ୍ ପୂରଣ କରିଛି ।

ଫ୍ରାନ୍ସ ସେନାର ଜଣେ ଇଞ୍ଜିନିୟର ବିକାଶ କରିଥିବା ଏକ ସିରିଜ୍ ବା କ୍ରମ ଅନୁଯାୟୀ ଭାରତ ସମେତ କେତେକ ଦେଶରେ ନୋଟ୍ ଛପା ଯାଇଥାଏ । ସେହି ଇଞ୍ଜିନିୟରଙ୍କ ନାମ ହେଉଛି ଚାର୍ଲସ ରେନାର୍ଡ । ତଦନୁଯାୟୀ ଏହି ସଂଖ୍ୟାକ୍ରମର ନାମ ରେନାର୍ଡ ସିରିଜ୍ ରଖାଯାଇଛି । ରେନାର୍ଡ ସିରିଜର ସଂଖ୍ୟା ଗୁଡ଼ିକ ହେଉଛି ୧-୨-୫ । ଉପରୋକ୍ତ ସିରିଜର ପ୍ରଥମ ସଂଖ୍ୟାଟି ହେଲା ୧, ଦ୍ୱିତୀୟ ସଂଖ୍ୟାଟି ୨ ଏବଂ ତୃତୀୟ ସଂଖ୍ୟାଟି ୫ । ଏହାକୁ ପରିବର୍ଦ୍ଧିତ କରାଗଲେ ସେହି କ୍ରମ ଗୁଡ଼ିକ ହେଉଛି ୧,୨,୫, ୧୦,୨୦, ୫୦, ୧୦୦, ୨୦୦, ୫୦୦, ୧୦୦୦,୨୦୦୦, ୫୦୦୦ ଇତ୍ୟାଦି ।

ଅର୍ଥ ନେଣଦେଣକୁ ସହଜ କରିବା ଲାଗି ୧-୨-୫ ସିରିଜରେ ନୋଟ୍ ଆସିଥାଏ । ଧରନ୍ତୁ ଜଣେ ବ୍ୟକ୍ତିଙ୍କ ନିକଟରେ ୧୦ ଟଙ୍କା ରହିଛି । ସେ ୩ ଟଙ୍କା ଦେଇ କିଛି ଜିନିଷ କିଣିବାକୁ ଆଗ୍ରହ ପ୍ରକାଶ କରିଲେ । ୩ ଟଙ୍କାର ଜିନିଷ କିଣି ସାରିଲେ ତାଙ୍କୁ ଦୋକାନୀ ଗୋଟିଏ ୫ ଟଙ୍କିଆ ଏବଂ ଗୋଟିଏ ୨ ଟଙ୍କିଆ ନୋଟ୍ ଫେରାଇବ । ଯଦି ରେନାର୍ଡ ସିରିଜ୍ ଅନୁଯାୟୀ ନୋଟ୍ ନଥା’ନ୍ତା ତା’ହେଲେ ଦୋକାନୀ ତାଙ୍କୁ ହୁଏତଃ ୭ଟି ଟଙ୍କିକିଆ କିମ୍ବା ଗୋଟିଏ ଟଙ୍କିକିଆ ନୋଟ୍ ସହିତ ତିନୋଟି ୨ ଟଙ୍କିଆ ନୋଟ୍ ଫେରାଇଥାନ୍ତା ।

ଭାରତରେ ପୂର୍ବରୁ ୧ ଟଙ୍କିଆ, ୨ ଟଙ୍କିଆ, ୫ ଟଙ୍କିଆ, ୧୦ ଟଙ୍କିଆ, ୨୦ ଟଙ୍କିଆ, ୫୦ ଟଙ୍କିଆ, ୧୦୦ ଟଙ୍କିଆ, ଏବଂ ୫୦୦ ଟଙ୍କିଆ ନୋଟ୍ ପ୍ରଚଳିତ ହେଉଥିଲାବେଳେ ୨୦୦ ଟଙ୍କିଆ ନୋଟ୍ ନଥିଲା । ତେଣୁ ୧୦୦-୨୦୦-୫୦୦ ସିରିଜ୍ ବା କ୍ରମକୁ ସମ୍ପୂର୍ଣ୍ଣ କରିବା ପାଇଁ ୨୦୦ ଟଙ୍କିଆ ନୋଟ୍ ଅଣାଯାଇଛି । ଉଲ୍ଲେଖଯୋଗ୍ୟ ଯେ, କେବଳ ଭାରତରେ ନୁହେଁ, ୟୁରୋ ଏବଂ ବ୍ରିଟିସ୍ ପାଉଣ୍ଡ କ୍ଷେତ୍ରରେ ମଧ୍ୟ ଏହି ସିରିଜ୍ ଅନୁଯାୟୀ ନୋଟ୍ ଛପାଯାଇଥାଏ ।

୧୦୦୦ ଟଙ୍କିଆ ଖବର ଭୁଲ: ସରକାର

ପୁଣି ଥରେ ୧୦୦୦ ଟଙ୍କିଆ ପ୍ରଚଳନ କରାଯିବ ବୋଲି ଗଣମାଧ୍ୟମଗୁଡ଼ିକରେ ପ୍ରକାଶ ପାଇଥିବା ଖବର ଭୁଲ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଅର୍ଥନୈତିକ ବ୍ୟାପାର ସଚିବ ସୁବାଷ ଚନ୍ଦ୍ର ଗର୍ଗ ଟ୍ଵିଟର୍ ଜରିଆରେ ଏ ବିଷୟରେ ସୂଚନା ପ୍ରଦାନ କରିଛନ୍ତି । ସେ ଲେଖିଛନ୍ତି ଯେ, ୧୦୦୦ ଟଙ୍କିଆ ପୁନଃ ପ୍ରଚଳନ କରିବାର କୌଣସି ଯୋଜନା ନାହିଁ । ତେବେ ନିକଟରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ, ୧୦୦୦ ଟଙ୍କିଆ ନୂଆ ରୂପରେ ବଜାରକୁ ଫେରିବ । ଏହାର ଡିଜାଇନ୍ ଏବଂ ଛପା କାମ ଜୋରସୋରରେ ଚାଲିଛି । ଡିସେମ୍ବର ସୁଦ୍ଧା ତାହା ବଜାରକୁ ଆସିବ ବୋଲି ଖବର ପ୍ରକାଶ ପାଇଥିଲା ।