ଆଶ୍ଚର୍ଯ୍ୟ ଲାଗିଲେ ବି ସତ ! ବନ୍ଦ ଆଖିରେ ପାଠ ପଢୁଛନ୍ତି, ସାଇକେଲ ଚଲାଉଛନ୍ତି । ଆଖିରେ ପଟି ବାନ୍ଧି ଅସମ୍ଭବ କାମକୁ ସମ୍ଭବ କରିପାରୁଛନ୍ତି ବିସ୍ମୟୀ ବାଳିକା ସୋନାଲିସା ମହାନ୍ତ

180

କନକ ବ୍ୟୁରୋ: ବାଙ୍କିଆ ଗାଁର ବିସ୍ମୟୀ ବାଳିକା । ଆଖି ବନ୍ଦ କରି ସବୁ କହୁଛନ୍ତି । ହାତରେ ଛୁଉଁଛନ୍ତି, ସଠିକ କହୁଛନ୍ତି । ବନ୍ଦ ଆଖିରେ ଅସମ୍ଭବ କାମକୁ ସମ୍ଭବ କରି ଦେଖାଉଛନ୍ତି ଏହି ବିସ୍ମୟୀ ବାଳିକା । ଆଖିରେ ପଟି ବନ୍ଧା ଥିଲେ ବି ତାଙ୍କ ଚାରିପାଖର କଣ ଅଛି ଆଉ କିଏ ଅଛି ? ପ୍ରତିଟି ଜିନିଷକୁ ସ୍ପର୍ଶ କରି ସ୍ପଷ୍ଟ କହିପାରୁଛନ୍ତି କୁନି ଝିଅ ସୋନାଲିସା ମହାନ୍ତ । ସପ୍ତମରେ ପଢୁଥିବା କେନ୍ଦୁଝର ଚମ୍ପୁଆ ବ୍ଲକ ବାଙ୍କିଆ ଗାଁର ସୋନାଲିସାଙ୍କ ଏହି ପ୍ରତିଭା ପାଇଁ ସ୍ଥାନୀୟ ଅଞ୍ଚଳରେ ଏବେ ସେ ବିସ୍ମୟୀ ବାଳିକା ଭାବେ ପରିଚିତ ହେଉଛନ୍ତି ।

ପାଠପଢା ଠାରୁ ଆରମ୍ଭ କରି ରୋଷେଇ ପର୍ଯ୍ୟନ୍ତ ସବୁକିଛି ଆଖିବୁଜି କରୁଛନ୍ତି ସୋନାଲିସା । ଖବର କାଗଜର ପ୍ରତିଟି ଖବରକୁ ବେଶ ସୁନ୍ଦର ଭାବେ ଆଖି ବନ୍ଦ କରି ପଢିପାରନ୍ତି ସେ । ତେବେ ଖାଲି ଖବର କାଗଜ ନୁହେଁ ନିଜ ପାଠ୍ୟକ୍ରମର ବିଷୟବସ୍ତୁ ସହ ଅନ୍ୟ ଯେକୌଣସି ବହିର ଅଜଣା ପୃଷ୍ଠାକୁ ବି ବନ୍ଦ ଆଖିରେ ବେଶ ଭଲଭାବରେ ପଢି ପାରନ୍ତି ସୋନାଲିସା ।

ବିନା ଆଖିରେ କୌଣସି ଜିନିଷ ଦେଖିବା କିମ୍ବା କିଛି କାମ କରିବା ସାଧାରଣ ମଣିଷ ପକ୍ଷେ ଅସମ୍ଭବ ହେଉଥିବା ବେଳେ ୧୨ ବର୍ଷର ଏବି ବାଳିକାଙ୍କ ପକ୍ଷେ କିନ୍ତୁ ଏହା ସହଜ ହୋଇଛି । ଆଖି ବନ୍ଦ କରି ହାତର ସଙ୍କେତ ସହ ବିଭିନ୍ନ ଟଙ୍କାକୁ ଚିହ୍ନି ପାରୁଛନ୍ତି । ଏମିତିକି ଟଙ୍କା ତଳେ ଲେଖାଥିବା ନମ୍ବରକୁ ବି ସ୍ପର୍ଶ କରି କହିପାରୁଛନ୍ତି ସୋନାଲିସା ।

ଖାଲି ସେତିକି ନୁହେଁ ଆଖି ବନ୍ଦ କରି ବି ଖୁବ ସୁନ୍ଦର ଆଉ ଆକର୍ଷଣୀୟ ଚିତ୍ର କରି ପାରନ୍ତି ସୋନାଲିସା ମହାନ୍ତ । ଗାଁ ଦାଣ୍ଡରେ ଆଖିରେ ପଟି ବାନ୍ଧି ସାଇକେଲ ଚଲାଇବାରେ ବି ବେଶ ମାହିର ସୋନାଲିସା । ତେବେ ଝିଅର ଏହି ଆଶ୍ଚର୍ଯ୍ୟଭରା ପ୍ରତିଭା ଦେଖି ପରିବାର ଲୋକେ ବେସ ଖୁସି ଅଛନ୍ତି ।

ତେବେ ମନକୁ ସ୍ଥିର ଏବଂ ଶାନ୍ତ କରି ନିଜ ଆଖି ଆରପଟ ଦୃଶ୍ୟ ଏବଂ କାମକୁ ବେଶ ସୁରଖୁରରେ କରିପାରୁଥିବା ସୋନାଲିସାଙ୍କ ଏହି ଭିନ୍ନ ପ୍ରତିଭା ପାଇଁ ତାଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି । ଆଉ ବିଭିନ୍ନ ସଙ୍ଗଠନ ପକ୍ଷରୁ ମଧ୍ୟ ତାଙ୍କୁ ପୁରସ୍କୃତ କରାଯାଉଛି ।