କଟକର ‘ଲୈଲା-ମଜନୁ’ ! ମନୋଜଙ୍କ ପାଇଁ ଚିତ୍ରଲେଖା ସାଜିଛନ୍ତି ସବୁକିଛି… ପ୍ରଥମ ପ୍ରେମିକାଙ୍କ ମୃତ୍ୟୁ ପରେ ଦ୍ୱିତୀୟ ପ୍ରେମିକା ପାଲଟିଛନ୍ତି ନିଶ୍ୱାସ-ପ୍ରଶ୍ୱାସ… ପଢନ୍ତୁ ଶାଶ୍ୱତ ପ୍ରେମର ଏକ ସୁନ୍ଦର କାହାଣୀ…

6,248

କନକ ବ୍ୟୁରୋ: ପ୍ରେମ ! ମିଳିଗଲେ ସ୍ୱର୍ଗ, ନମିଳିଲେ ନର୍କ । ପ୍ରେମରେ ବିଫଳତା, ପ୍ରେମରେ ପ୍ରତାରଣ ପ୍ରତିଶୋଧ ଆଡକୁ ବାଟ କଢାଇନିଏ । ପ୍ରେମ କେବେ ଏସିଡ ମାଡରେ ରୂପାନ୍ତରିତ ହୁଏ ତ ପୁଣି କେବେ ଭାଇରାଲ ଭିଡିଓରେ ଭଲପାଇବାର ସଂଜ୍ଞା ବଦଳିଯାଏ । ‘ଗନ୍ଦିବାତ’, ‘ଚରିତ୍ରହୀନା’ ପରି ୱେବସିରିଜ ଦେଖୁଥିବା ଲୋକଙ୍କ ଆଖିରେ ତ ଶାଶ୍ୱତ ପ୍ରେମର ସଂଜ୍ଞା ଏକଦମ ଅର୍ଥହୀନ । ହେଲେ ଆମେ ଆପଣଙ୍କୁ ଏମିତି ଏକ ପ୍ରେମ କାହାଣୀ ଶୁଣାଇବୁ ଯାହା ଶୁଣି ଆପଣ ବି କହିବେ ନାଁ ଏ ଦୁନିଆରେ ପ୍ରେମ ବଞ୍ଚି ରହିଛି, ପ୍ରେମର ପୂଜାରୀ ବି ଅଛନ୍ତି…

ମନୋଜ ସ୍ୱାଇଁ ! ହାରି ହରାଇଥିବା ଜଣେ ପ୍ରେମିକ । ଦୁର୍ଘଟଣାରେ ଦୁଇ ଗୋଡ ହରାଇଲେ ଆଉ ଦୁର୍ଘଟଣା ପରେ ନିଜ ପ୍ରଥମ ପ୍ରେମକୁ । ରୋଗ ବିଛଣାରେ ଶୋଇ ଶୋଇ ମୃତ୍ୟୁକୁ ଆବୋରି ନେଇଥିବା ମନୋଜଙ୍କ ପ୍ରଥମ ପ୍ରେମିକା ମନସାଙ୍କ ମୃତ୍ୟୁ ପରେ ଅନ୍ଧାରକୁ ଠେଲି ହୋଇ ଯାଇଥିଲା ମନୋଜଙ୍କ ସୁନେଲି ଭବିଷ୍ୟତ । ବିନା ପ୍ରେମିକା, ବିନା ଗୋଡରେ ହତାଶାର ହିମାଳୟ ଚଢୁଥିବା ମନୋଜଙ୍କୁ ମଝି ରାସ୍ତାରେ ମନ ଦେଇଥିଲେ ଆଉ ଜଣେ ଯୁବତୀ । ଆଉ ଦେଖାଇଥିଲେ ଆଶାର ଆଲୋକ । ବାସ୍ ତାପରଠୁ ମନୋଜଙ୍କ ଜୀବନରେ ଲାଗିଛି ଫଗୁଣର ଗୋଲାପୀ ରଙ୍ଗ । ତେବେ କେମିତି ଥିଲା ସେ ସଂଘର୍ଷ ଜୀବନର ଚିତ୍ର ? ପ୍ରଥମ ପ୍ରେମର ପ୍ରଥମ ଯନ୍ତ୍ରଣାର କାହାଣୀ କହିଛନ୍ତି ମନୋଜ…

ଗୋଡ ନଥାଇ ବି ମନୋଜ ଏବେ ସବୁକିଛି କରିପାରୁଛନ୍ତି । ସକାଳରୁ ସଞ୍ଜ ସବୁତକ କାମ କରୁଛନ୍ତି । କାରଣ ତାଙ୍କ ଦେହରେ ଯୋଡି ହୋଇଛି ତାଙ୍କ ୨ୟ ପ୍ରେମିକାଙ୍କ ଚଳଚଞ୍ଚଳ ଗୋଡ । ହଁ, ମନୋଜଙ୍କ ୨ୟ ପ୍ରମିକା । ଯିଏ ଏବେ ତାଙ୍କ ଛାଇ ପାଲଟିଛନ୍ତି, ତାଙ୍କ ନିଶ୍ୱାସ ପ୍ରଶ୍ୱାସ ସାଜିଛନ୍ତି । ମନୋଜଙ୍କୁ ଖୁଆଇ ଦିଅନ୍ତି, ପିନ୍ଧାଇ ଦିଅନ୍ତି, ଆଉ ମୁଣ୍ଡ କୁଣ୍ଡାଇ ଅଫିସ ଯିବା ପାଇଁ ରେଡ୍ଡୀ କରିଦିଅନ୍ତି । ସେଇଥିପାଇଁ ତ ନିଜ ସ୍ତ୍ରୀ ଭିତରେ ମାଆର ମୁହଁ ଦେଖନ୍ତି ମନୋଜ ।

ଚିତ୍ରଲେଖା ! ମନୋଜଙ୍କ ୨ୟ ପ୍ରେମିକା । ସେବା, ସମର୍ପଣର ସାକ୍ଷାତ ଦେବୀ । ଯିଏ ଟୋପାଏ ସିନ୍ଦୂର ପାଇଁ ସବୁକିଛି ଦେଇଦେଇଛନ୍ତି । ଜୀବନର ସୁଖ, ହସଖୁସିକୁ ମନୋଜଙ୍କ ପାଖରେ ସମର୍ପି ଦେଇଛନ୍ତି । ନା ପାଇବାର ଆଶା ରଖିଛନ୍ତି ନା ହରାଇବାର । ଆଶା, ପ୍ରତ୍ୟାଶାଠୁ ଉଦ୍ଧ୍ୱର୍ରେ ରହି ଦେବାରେ ଖୁସି ହେଉଛନ୍ତି ଚିତ୍ରଲେଖା । ସବୁଠାରୁ ବଡ କଥା ହେଉଛି ମନୋଜଙ୍କ ପ୍ରଥମ ପ୍ରେମିକାକୁ ନେଇ କେବେ ପ୍ରଶ୍ନ କରି ନାହାନ୍ତି ଚିତ୍ରଲେଖା ।

ନାରୀଟିଏ ସଦାବେଳେ ଜଣେ ସବଳ ପୁରୁଷ ପାଖରେ ନିଜ ଜୀବନକୁ ସମର୍ପି ଦିଏ । ସୁନ୍ଦର ବର, ସୁନ୍ଦର ଘର ପାଇଁ ସ୍ୱପ୍ନ ଦେଖେ । ହେଲେ ଏଠି ଚିତ୍ରଲେଖା ଜାଣିଜାଣି ଜଣେ ଦୁର୍ବଳ ମଣିଷ ପାଖରେ ନିଜକୁ ଦେଇଦେଇଛନ୍ତି । ତାଙ୍କ ଦରିଆ ଭର୍ତ୍ତି ଦୁଃଖକୁ ସୁଖରେ ବଦଳାଇବାକୁ ଶପଥ ନେଇଛନ୍ତି । ହୁଏତ ସାମାଜିକ ଜୀବନରେ ମନୋଜଙ୍କୁ ନେଇ ଅନେକ ଏଣୁତେଣୁ ପ୍ରଶ୍ନରେ ଛନ୍ଦି ହେଉଥିବେ ଚିତ୍ରଲେଖା । ହେଲେ ମନୋଜଙ୍କ ପ୍ରେମ ଆଗରେ ସେସବୁ ପ୍ରଶ୍ନକୁ ପଛ କରି ଆଗକୁ ଆଗେଇ ଚାଲିଛନ୍ତି ଚିତ୍ରଲେଖା ।

ଭାଲେଣ୍ଟାଇନ ଡେ ଆସିଲେ ସମସ୍ତେ ରୋମିଓ-ଜୁଲିଏଟ, ଲୈଲା ମଜନୁ, ସାହାଜାନ ମମତାଜଙ୍କ କଥା କୁହନ୍ତି । ହେଲେ ଏ ପ୍ରେମ କାହାଣୀ ଶୁଣିବା ପରେ କଟକ ଦେଉଳିସାହିରେ ରହୁଥିବା ମନୋଜ-ଚିତ୍ରଲେଖାଙ୍କ ନାଁ ମଧ୍ୟ ସମସ୍ତେ ମନେ ରଖିବେ