କେଉଁଠି ହୋଇଥିଲା ସାଇ ବାବାଙ୍କ ଜନ୍ମ ? ବ୍ରତଧାରୀ କୁହନ୍ତି ଏହି ବହିରେ ରହିଛି ବାବାଙ୍କ ଜନ୍ମସ୍ଥାନର ଠିକଣା…

562

କନକ ବ୍ୟୁରୋ: ଶିରିଡି ସାଇ ବାବାଙ୍କ ଜନ୍ମ ସ୍ଥାନକୁ ନେଇ ଉଠିଛି ବିବାଦ । ସାଇ ବାବାଙ୍କ ଜନ୍ମ ମହାରାଷ୍ଟ୍ରର ପାଥରିରେ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିବା ପରେ ଏହାକୁ ବିରୋଧ କରୁଛନ୍ତି ଶ୍ରଦ୍ଧାଳୁ ଓ ଶିରିଡି ବାସିନ୍ଦା । ତେବେ ସାଇ ବାବାଙ୍କ ବ୍ରତ ରଖୁଥିବା ଓଡିଶାର ଅନେକ ଭକ୍ତଙ୍କୁ, ସଦଗୁରୁ ଶ୍ରୀ ସାଇନାଥଙ୍କ ଚମକ୍ରାରୀ ତିନି ଗୁରୁବାର ବ୍ରତ ବହି ସମ୍ପର୍କରେ ଜଣା । ବ୍ରତଧାରୀମାନେ ଏହି ବହିକୁ ପଢି ବାବାଙ୍କ ଆରାଧନା କରିଥାନ୍ତି । ଆଉ ଏହି ବହିରେ ସାଇ ବାବାଙ୍କ ଜନ୍ମସ୍ଥାନ ସଂପର୍କରେ ସୂଚନା ରହିଛି ।

ତେବେ ବହିରେ ଲେଖା ଯାଇଛି ଶିରିଡି ସାଇ ବାବାଙ୍କ ଜନ୍ମ, ଜାତି, ଧର୍ମ ବିଷୟରେ ଏପର୍ଯ୍ୟନ୍ତ ସମସ୍ତଙ୍କୁ ଅଗୋଚର । ଶ୍ରୀ ଶିରିଡି ସାଇ ବାବା ମହାରାଷ୍ଟ୍ର ପ୍ରଦେଶର ପଥୁରୀ ଅର୍ଥାତ ଉଦ୍ଧବ କହିଥିବା ପାଥରି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ବୋଲି ସମସ୍ତେ ମନେ କରନ୍ତି । କାରଣ ସାଇ ବାବା ଅନେକ ଥର ପଥୁରୀ ଓ ଔରଙ୍ଗାବାଦ ବିଷୟରେ ସେଠାକାର ମୁଖିଆ ଓ ଜଣାଶୁଣା ଲୋକଙ୍କ ସଂପର୍କରେ ପଚାରୁଥିଲେ । ପଥୁରୀ ଗ୍ରାମରୁ ଆସୁଥିବା ଲୋକଙ୍କଠାରୁ ସେଠାକାର ହାଲଚାଲ ଓ ଲୋକଙ୍କ ବିଷୟରେ ଅନୁଧ୍ୟାନ କରୁଥିଲେ ।

ସେହିପରି ଶରଣାନନ୍ଦ ତାଙ୍କ ଲାଇଫ ଅଫ ସାଇ ବାବା ପୁସ୍ତକରେ ବାବାଙ୍କ ଜନ୍ମସ୍ଥାନ ପଥୁରୀ ବୋଲି ଉଲ୍ଲେଖ କରିଥିଲେ । ସେହିପରି ଦାସ ଗୁଣୁ ମଧ୍ୟ ତାଙ୍କ ମରାଠୀ ପୁସ୍ତକରେ ଏ ବିଷୟରେ ବର୍ଣ୍ଣନା କରିଛନ୍ତି । ଯଦିଓ ବାବା କେବେ ତାଙ୍କ ଜନ୍ମ, ଜାତି, ଧର୍ମ କିମ୍ବା ମାତା, ପିତାଙ୍କ ବିଷୟରେ କାହାରିକୁ କିଛି କହିନଥିବା ଲୋକମତ ରହିଛି । ଏବଂ ପଚାରିଲେ ବାବା ସବୁବେଳେ କହୁଥିଲେ ବସୁଧା ମୋର ଜନନୀ ଓ ଆକାଶ ମୋର ପିତା, ଏ ସଂସାର ମୋର ସନ୍ତାନ । କିନ୍ତୁ ଏହି ଆରାଧନା ପୁସ୍ତିକାରେ ବର୍ଣ୍ଣନା ରହିଛି ଯେ, ବାବା ଥରେ କହିଥିଲେ ତାଙ୍କର ଜନ୍ମ ପଥୁରୀ ଗ୍ରାମର ଏକ ବ୍ରାହ୍ମଣ କୂଳରେ ହୋଇଥିଲା ଏବଂ ପରେ ଏକ ମୁସଲମାନ ଫକିରଙ୍କ ଘରେ ଲାଳନ ପାଳନ ହୋଇଥିଲା ।
ଏଭଳି ଦାବିର କୌଣସି ଐତିହାସିକ ପ୍ରମାଣ ରହିଛି କି ନାହିଁ, ତାହା ଆମକୁ ଜଣାନାହିଁ । କିନ୍ତୁ ଏକଥା ସତ ଯେ, ମହାରାଷ୍ଟ୍ର ପରବାଣୀ ଜିଲ୍ଲାର ପଥରିରେ ରହିଛି ଶ୍ରୀ ସାଇ ଜନ୍ମସ୍ଥାନ ମନ୍ଦିର । ୧୯୭୦ରେ ଜଣେ ଗବେଷକ ଦାବି କରିଥିଲେ ଯେ, ସାଇ ବାବାଙ୍କ ଜନ୍ମ ପଥରି ଗ୍ରାମରେ ହୋଇଥିଲା । ଏହାପରେ ପଥରିରେ ତିଆରି ହେଲା ଶ୍ରୀ ସାଇ ସ୍ମାରକ ସମିତି । ସାଇ ବାବାଙ୍କ ଜନ୍ମସ୍ଥାନରେ ଏକ ଜମି କିଣି ୧୯୯୪ରେ ସମିତି ଏହି ମନ୍ଦିର ପ୍ରତିଷ୍ଠା କରିଥିଲା । ୧୯୯୯ରୁ ଏଠାରେ ଲୋକେ ପୂଜାର୍ଚ୍ଚନା ଆରମ୍ଭ କଲେ । ଯାହାର ବିକାଶ ପାଇଁ ଏବେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ।