କିଙ୍ଗମେକର ଥିଲେ ପଣ୍ଡିତ ନୀଳକଣ୍ଠ ଦାସ । ନିଜ ନେତୃତ୍ୱରେ ଦଳକୁ ଜିତାଇଲେ କିନ୍ତୁ ମନ୍ତ୍ରୀଟିଏ ବି ହୋଇନଥିଲେ । 

105

କନକ ବ୍ୟୁରୋ : (ସ୍ୱରାଜ ମିଶ୍ର) : ‘ଆସିଲା ବଡ଼ ଚଢ଼େଇ, ବସିଲା ଡେଣା ମେଲାଇ, ଧଇଲା ମାଛ, ଖାଇଲା ନାଇଁ’ । ଓଡ଼ିଶାର ପୁରପଲ୍ଲୀରେ ପ୍ରଚଳିତ ଏଇ ପହଳିଟି ‘ମାଛଧରା ଜାଲ’ର କଥା କହେ । ଜାଲ ଚଢ଼େଇ ପରି ଡେଣା ମେଲାଇ ପାଣିରୁ ଛାଣିଆଣେ ମାଛ, ମାତ୍ର ନିଜେ ଖାଇପାରେ ନାହିଁ । ଏହି ଭଳି ଏକ ଅନୁଭୂତି ହୋଇଥିଲା ୧୯୩୭ ପ୍ରଥମ ବିଧାନସଭା ନିର୍ବାଚନରେ ଜାତୀୟ କଂଗ୍ରେସର ମଙ୍ଗ ଧରିଥିବା ପଣ୍ଡିତ ନୀଳକଣ୍ଠ ଦାସଙ୍କ କ୍ଷେତ୍ରରେ । ତାଙ୍କ ନେତୃତ୍ଵରେ ଦଳ ବିପୁଳ ସଂଖ୍ୟା ଗରିଷ୍ଠତା ପାଇ ସରକାର ଗଢ଼ିଥିଲେ ମଧ୍ୟ ସେ ନିଜେ ପ୍ରଧାନମନ୍ତ୍ରୀ (ମୁଖ୍ୟମନ୍ତ୍ରୀ) ବା ସାଧାରଣ ମନ୍ତ୍ରୀଟିଏ ମଧ୍ୟ ହୋଇପାରି ନଥିଲେ ।

୧୮୮୪ ମସିହା ଅଗଷ୍ଟ ୫ ତାରିଖରେ ପୁରୀ ଜିଲ୍ଲା ଶ୍ରୀରାମଚନ୍ଦ୍ରପୁର ଶାସନରେ ଜନ୍ମଗ୍ରହଣ କରିଥିବା ପଣ୍ଡିତ ନୀଳକଣ୍ଠ ଥିଲେ ଜଣେ ଅସାଧାରଣ ବିଦ୍ଵାନ, ସମାଜ ସଂସ୍କାରକ ତଥା ସ୍ୱାଧୀନଚେତା ବ୍ୟକ୍ତି । ସତ୍ୟବାଦୀର ପଞ୍ଚସଖାଙ୍କ ମଧ୍ୟରେ ଅଗ୍ରଗଣ୍ୟ ଏହି ନେତା ପଣ୍ଡିତ ଗୋପବନ୍ଧୁଙ୍କ ପରେ କଂଗ୍ରେସ ଦଳର ମଙ୍ଗ ଧରିଥିଲେ । ୧୯୩୬ରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହେବାପରେ ଅନୁଷ୍ଠିତ ହୋଇଥିବା ପ୍ରଥମ ସାଧାରଣ ନିର୍ବାଚନରେ ସେ ରାଜ୍ୟରେ କଂଗ୍ରେସ ଦଳକୁ ଜିତାଇବା ପାଇଁ ନିଜେ କୌଣସି ଆସନ ପାଇଁ ପ୍ରତିଦ୍ଵନ୍ଦ୍ୱିତା କରିନଥିଲେ । ସେତେବେଳେ ଯୋଜନା ଥିଲା ଯେ ଥରେ ଦଳ ନିର୍ବାଚନ ଜିଣି ଆସିବା ପରେ ସେ ବିଧାୟକ ଦଳର ନେତା ନିର୍ବାଚିତ ହୋଇ ସରକାର ଗଠନ କରିବେ ଏବଂ ପରେ ଉପନିର୍ବାଚନ ଜିଣି ବିଧାନସଭାକୁ ଆସିବେ । ମାତ୍ର ନିର୍ବାଚନରେ କଂଗ୍ରେସ ଦଳ ୬୦ ଆସନ ବିଶିଷ୍ଟ ବିଧାନସଭାରେ ୩୬ଟି ଆସନ ଜିଣି ସଂଖ୍ୟା ଗରିଷ୍ଠତା ହାସଲ କରିଥିଲେ ମଧ୍ୟ ସେ ନେତା ହୋଇପାରିଲେ ନାହିଁ । କାରଣ ସେତେବେଳେ ଦଳର ପରିଚାଳନା ପାଇଁ ଏକ ନିୟମ ପ୍ରଣୟନ କରିଦିଆଗଲା ଯେ ନିର୍ବାଚିତ ସଭ୍ୟଙ୍କ ଛଡ଼ା ଅନ୍ୟ କେହି ବିଧାୟକ ଦଳର ନେତୃତ୍ଵ ନେଇପାରିବେ ନାହିଁ । ସେତେବେଳେ ନୀଳକଣ୍ଠ କେନ୍ଦ୍ରୀୟ ବିଧାନ ପରିଷଦର ସଭ୍ୟ ଥିଲେ ।

ଘଟଣାଚକ୍ରରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ସଂଖ୍ୟାଲଘୁ ସରକାର ଭାଙ୍ଗିବା ପରେ ବିଶ୍ୱନାଥ ଦାସଙ୍କ ନେତୃତ୍ଵରେ କଂଗ୍ରେସ ସରକାର ଗଠିତ ହେଲା ଏବଂ ନୀଳକଣ୍ଠ ଦାସ ବାହାରେ ରହିଲେ । କେବଳ ସେତିକି ନୁହେଁ, ପରବର୍ତ୍ତୀ ୧୯୪୬ ନିର୍ବାଚନରେ ବିଶ୍ୱନାଥ ଦାସଙ୍କ ସହ ଡକ୍ଟର ହରେକୃଷ୍ଣ ମହତାବ କଂଗ୍ରେସର ନିର୍ବାଚନ ପରିଚାଳନା ଦାୟିତ୍ଵ ନେଲେ । ଏ ନେଇ ନୀଳକଣ୍ଠ ଦାସଙ୍କ ମନରେ କିଛି କ୍ଷୋଭ ଥିଲା ନିଶ୍ଚୟ, କାରଣ ସ୍ୱାଧୀନତା ପରେ ୧୯୫୧ ନିର୍ବାଚନ ବେଳକୁ ସେ ‘ସ୍ୱାଧୀନ ଜନସଂଘ’ ନାମରେ ଏକ ଦଳ ଗଢ଼ି ନିଜେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀଙ୍କ ବିରୁଦ୍ଧରେ ଲଢ଼ିଲେ । ସେଠାରେ ତାଙ୍କ ବିରୁଦ୍ଧରେ କଂଗ୍ରେସ ପ୍ରାର୍ଥୀ ସତ୍ୟବାଦୀ ନନ୍ଦଙ୍କ ଛଡ଼ା ଆଉ ଦୁଇଜଣ ସ୍ୱାଧୀନ ପ୍ରାର୍ଥୀ ଆର୍ତ୍ତବନ୍ଧୁ ଦାସ ଓ ନବକିଶୋର ପଟ୍ଟନାୟକ ଲଢ଼ୁଥିଲେ ମଧ୍ୟ ପଣ୍ଡିତ ନୀଳକଣ୍ଠ ବିଜୟୀ ହେଲେ । କଂଗ୍ରେସର ଶ୍ରୀ ନନ୍ଦ ୫୮୯୭ଟି ଭୋଟ ପାଇଥିଲା ବେଳେ ନୀଳକଣ୍ଠ ପାଇଥିଲେ ୮୪୧୨ଟି ଭୋଟ । ତାହା ଥିଲା ତାଙ୍କ ଜନପ୍ରିୟତାର ପ୍ରମାଣ ।

୧୯୫୭ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନେହେରୁଙ୍କ ଅନୁରୋଧ କ୍ରମେ ସେ ପୁଣି କଂଗ୍ରେସରେ ଯୋଗଦେଇ ସତ୍ୟବାଦୀ ଆସନରୁ ନିର୍ବାଚନ ଲଢ଼ିଲେ । ଏଥର କିନ୍ତୁ ଏକ ଅଭୂତପୂର୍ବ ଘଟଣା ଘଟିଲା । ନୀଳକଣ୍ଠଙ୍କର ବ୍ୟକ୍ତିତ୍ଵ ଓ ଜନପ୍ରିୟତାକୁ ସମ୍ମାନ ଦେଖାଇ ତାଙ୍କ ବିରୋଧରେ କେହି ବି ପ୍ରାର୍ଥୀ ରହିଲେ ନାହିଁ । ସେ ନିଦ୍ୱର୍ନ୍ଦରେ ନିର୍ବାଚିତ ହେଲେ । ସେତେବେଳେ ରାଜ୍ୟରେ ଦଳୀୟ ରାଜନୀତି ବେଶ୍ ସକ୍ର୍ରିୟ ହୋଇସାରିଥାଏ । ଏଭଳି ପରିସ୍ଥିତିରେ ସତ୍ୟବାଦୀ ଭଳି ଏକ ଆସନରୁ ନିଦ୍ୱର୍ନ୍ଦରେ ଜିଣିବା ଏକ ବିରଳ ଉପଲବ୍ଧି ଥିଲା ।

ପଣ୍ଡିତ ନୀଳକଂଠ ତାଙ୍କ ଆତ୍ମଜୀବନୀର ମୁଖବନ୍ଧରେ ସୂଚାଇଛନ୍ତି ‘‘ନିର୍ବାଚନ ଜିଣିବାରେ ଯେତେବେଳେ ମୁଁ ଅପ୍ରତିଦ୍ଵନ୍ଦ୍ୱୀ ହେଲି, ସେତେବେଳେ ମହତାବ ବାବୁ ମୋ ଘରକୁ ଆସି କହିଲେ, ‘‘ଆପଣ ତେବେ ଏଥର ବିଧାନସଭାର ବାଚସ୍ପତି (ସ୍ପିକର) ହୁଅନ୍ତୁ ।’’ ମୁଁ ଆଗ୍ରହରେ ହିଁ କଲି । ସେହିଦିନଠାରୁ ଚତୁଃପାର୍ଶ୍ୱରେ ପୁଣି ଶାନ୍ତିର ବାୟୁମଣ୍ଡଳ ଦେଖାଦେଲା । ମହତାବ ବାବୁ ମୋତେ ପ୍ରତ୍ୟେକ ବିଷୟରେ ସେଇଠାରୁ ସାହାଯ୍ୟ କଲେ- ଆନ୍ତରିକ ସାହାଯ୍ୟ କଲେ ।’’ ୧୯୩୭ ଆରମ୍ଭରୁ ନୀଳକଂଠ ଉପେକ୍ଷା ଓ ଅପମାନର ଯେଉଁ ହଳାହଳ ପାନ କରିଥିଲେ, ସେତେବେଳକୁ ବୋଧହୁଏ ତା’ର ପ୍ରଭାବ ସରିଆସିଥିଲା ଏବଂ ସେ ଆଶ୍ୱସ୍ତ ଅନୁଭବ କରୁଥିଲେ ।

ମତାମତ

Your email address will not be published.