ବିଶ୍ୱ ଦେଖୁଛି, ମୋଦିଙ୍କ ପ୍ରଭାବ ବଢୁଛି । ଭାରତର ନିକଟତର ହେଉଛନ୍ତି ବିଶ୍ୱନେତା, ମାଆ ଓ ମାଟିକୁ ଭଲ ପାଉଥିବା ମୋଦିଙ୍କ ଜାରି ରହିଛି ଜୟଯାତ୍ରା ।

364

କନକ ବ୍ୟୁରୋ : ରାମଙ୍କ ଅବତାରରୁ ନେଇ ସୁଟବୁଟ୍ ବାଲା ସରକାର । ଅନ୍ଧ ଭକ୍ତରୁ ଆରମ୍ଭ କରି ଘୋର ବିରୋଧୀ । ଗୁଜରାଟର ଏକ ସାମାନ୍ୟ ପରିବାରରୁ ଆସି ଦେଶର ସର୍ବୋଚ୍ଚ ପଦବୀରେ ପହଂଚିବା ପର୍ଯ୍ୟନ୍ତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାବଦରେ ଯେଉଁ ଗୋଟିଏ କଥାକୁ ସମସ୍ତେ ସ୍ୱୀକାର କରିଛନ୍ତି, ତାହା ହେଲା ତାଙ୍କ ରାଜନୈତିକ ଅଜେୟ ଯାତ୍ରା । ଲଗାତର ଅପରାଜେୟ ହୋଇ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିରୋଧୀ ତାଙ୍କୁ ଘେରିବା ପାଇଁ ଜୋରଦାର ପ୍ରୟାସ ଚଳାଇ ଆସିଛନ୍ତି । କିନ୍ତୁ ଗୁଜରାଟରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ମୋଦିଙ୍କୁ ଘେରିବା ପାଇଁ ପ୍ରସ୍ତୁତ ହୋଇଥିବା ସମସ୍ତ ଚକ୍ରବ୍ୟୁହ ବିଫଳ ହୋଇ ମାଟିରେ ଲୋଟି ପଡିଛି ।

୨୦୦୧ରେ ଯେତେବେଳେ ମୋଦି କ୍ଷମତାର ସିଡି ଚଢି ଗୁଜରାଟର ସର୍ବୋଚ୍ଚ ଆସନରେ ବସିବାକୁ ସମର୍ଥ ହେଲେ, ସେବେଠାରୁ ମୋଦି ଓ ପରାଜୟ କେବେ ଗୋଟିଏ ରାସ୍ତାରେ ଚାଲୁଥିବାର ଦେଖିବାକୁ ମିଳିନାହିଁ । କାରଣ ଗୁଜରାଟରୁ ଆରମ୍ଭ କରି ଦିଲ୍ଲୀ ଯାଏଁ ଯେତେବେଳେ ବି ମୋଦିଙ୍କୁ ଅଟକାଇବା ପାଇଁ ପ୍ରୟାସ କରାଯାଇଛି, ସେ ସବୁ ପ୍ରୟାସ ତାଙ୍କ ଜୟ ଯାତ୍ରାରେ ଇନ୍ଧନ ଭଳି କାମ ଦେଇଛି ।

ସବୁଠାରୁ ବଡକଥା ହେଉଛି ସାମାଜିକ ଜୀବନରେ ମୋଦିଙ୍କୁ ବିରୋଧ କରୁଥିବା ଲୋକଙ୍କୁ ସେହି ମୋଦିଙ୍କ ଯୋଗୁଁ ହିଁ ପରିଚୟ ମିଳିଛି । ବିରୋଧୀଙ୍କୁ ମଂଚ ଓ ପରିଚୟ ମିଳିଲା, ଅନ୍ୟ ପକ୍ଷରେ ମୋଦିଙ୍କୁ ମଧ୍ୟ ଏଥିରୁ ଆଗକୁ ବଢିବା ପାଇଁ, ସଫଳତାର ସିଡି ଚଢିବା ପାଇଁ ପ୍ରେରଣା ମିଳିଲା । ମୋଦିଙ୍କୁ କେବଳ ବିପକ୍ଷ ବିରୋଧ କରୁନଥିଲେ ବରଂ ନିଜ ଦଳରେ ମଧ୍ୟ ମତଭେଦ, ଅସହମତି ଓ ଘୋର ବିରୋଧର ସାମ୍ନା କରିବାକୁ ପଡିଥିଲା ।

ଗୁଜରାଟରୁ ଦିଲ୍ଲୀ ପର୍ଯ୍ୟନ୍ତ ନିଜ ପାଇଁ ନିଜେ ରାସ୍ତା ତିଆରି କରିଥିଲେ ମୋଦି । ରାଜନୀତିର ମୋଦି ଷ୍ଟାଇଲ ରାଷ୍ଟ୍ରୀୟ ସ୍ତରରେ ସଫଳ ହେବାନେଇ ଅନେକ ଦିଲ୍ଲୀ ନେତାଙ୍କ ଭିତରେ ସନ୍ଦେହ ରହିଥିଲା । ଏପରିକି ମୋଦିଙ୍କ ଦିଲ୍ଲୀ ଯାତ୍ରାକୁ ଏମାନେ ନିଜପାଇଁ ମଧ୍ୟ ଅସହଜ ମନେ କରୁଥିଲେ । ତଥାପି ଦିଲ୍ଲୀର ଦୁର୍ଗ ଭାଙ୍ଗିଲା, ଭାଗ ଭାଗ ହେଲା । ଆଉ ଦିଲ୍ଲୀ ବିଜେପିର ନେତୃତ୍ୱ ନେଉଥିବା ନେତାଙ୍କ ଭିତରେ ମୋଦିଙ୍କ ପାଇଁ ରେଡ୍ କାର୍ପେଟ୍ ପଡିଲା ।

କ୍ଷମତାକୁ ଫେରିବା ପାଇଁ ଆରଏସଏସ ଓ ବିଜେପି ବ୍ୟାକୁଳଥିଲେ । ଆଉ ସେଥିପାଇଁ ମୋଦିଙ୍କ ପାଇଁ ସବୁକିଛି ସାଲିସ କରିବାକୁ ପ୍ରସ୍ତୁତ ଥିଲେ । ପ୍ରଚାର, ଆୟୋଜନ ଓ ବୁଥସ୍ତରୀୟ କର୍ମୀଙ୍କ ମେହନତ ୨୦୧୪ରେ ମୋଦିଙ୍କୁ ଆଣିଦେଲା ଐତିହାସିକ ବିଜୟ । ପାର୍ଟିରେ ପତିଆରା ବଢିଲା । ନିଜ ବିଶ୍ୱାସପାତ୍ରଙ୍କୁ ପାର୍ଟିର ଦାୟିତ୍ୱ ଦେଇ ଉଭୟ ପାର୍ଟି ଓ କ୍ଷମତା ନିଜ କବଜାକୁ ନେଲେ । ଦେଖୁଦେଖୁ ବିଜେପି, ଅଟଳ ଯୁଗରୁ ବାହାରି ମୋଦି ଯୁଗରେ ପରିବର୍ତିତ ହୋଇଗଲା ।

ଭାରତୀୟ ଜନତା ପାର୍ଟିରେ ପୁରୁଣା ପୀଢି ଏବେ କେବଳ ଉଦାହରଣର ଚେହେରା ହୋଇ ରହିଯାଇଛନ୍ତି, ଇତିହାସ ପାଲଟି ଯାଇଛନ୍ତି । କେନ୍ଦ୍ରରୁ ଆରମ୍ଭ କରି ରାଜ୍ୟ ଯାଏଁ ଏବେ ମୋଦିଙ୍କ ଲୋକ ହିଁ ବିଜେପିର ପ୍ରମୁଖ ଚେହେରା । ଗୋଟିଏ ସମୟରେ ଦଳରେ ଏମାନେ ଅଜଣା ଥିଲେ । ହେଲେ ମୋଦି ଯୁଗରେ ଏହିମାନେ ହିଁ ଦଳର ନେତୃତ୍ୱ ନେଉଛନ୍ତି । ଦଳ ଭିତରେ ଓ ବାହାରେ ମୋଦି-ଶାହା ଯୋଡି ସତରଞ୍ଜର ଯେଉଁ ରଣନୀତି ବିଛାଇଛନ୍ତି ସେଥିରେ ବିରୋଧୀ ପକ୍ଷ ହିଁ ଧରାଶାୟୀ ହୋଇଛନ୍ତି । ମୂଳ ବିଜେପିର ବିଚାରଧାରାରେ ବଡଧରଣର ପରିବର୍ତନ କରି ଭାରତୀୟ ଜନତା ପାର୍ଟିର ସଂପୂର୍ଣ୍ଣ ମୋଦି କରଣ କରାଯାଇଛି ।