ଲକଡାଉନ ଲମ୍ବୁଛି, ଶ୍ରମିକର ଲୁହ ଗଡୁଛି… ପାଖରେ ପଇସା ନାହିଁ, ବାଟ ଚାଲିବାକୁ ବଳ ବି ପାଉନି । ତାଲାବନ୍ଦ ତଳିତଳାନ୍ତ କଲା ପରେ ଏସି ରୁମରେ ନିଷ୍ପତ୍ତି ନେଉଥିବା ନେତାଙ୍କୁ ଶ୍ରମିକ ପଚାରୁଛି, ମୁଁ ଆଉ କେତେ ବାଟ ଚାଲିବି…?

ସେଦିନ ମହାଭାରତ ଯୁଦ୍ଧରେ ଯେମିତି ଅଭିମନ୍ୟୁ ଚକ୍ରବ୍ୟୁହରେ ଫସି ଯାଇଥିଲା ଆଜି ଠିକ ସେମିତି ଶ୍ରମିକଟିଏ ମହାମାରୀର ଏ ଚକ୍ରବ୍ୟୁହରେ ଫସିଯାଇଛି । ସେ ଘରୁ ବାହାରିଲେ ମହାମାରୀ ତାକୁ ମୃତ୍ୟୁର ଧମକ ଦେଉଛି ଆଉ ଘରେ ରହିଲେ ଗରିବୀ ତାକୁ ମାରିଦେବ କହୁଛି...

3,641

କନକ ବ୍ୟୁରୋ: ମୁଁ ଆଉ କେତେ ଚାଲିବି…? ଚାଲି ଚାଲି ଚପଲ ଘୋରି ଗଲାଣି, ପାଦରୁ ଚମଡା ବି ଛିଡି ଗଲାଣି… ବାଟ ଚାଲିବାକୁ ଦେହରେ ଆଉ ଜମା ବଳ ନାହିଁ । ଖାଇବା ତ ଦୂରର କଥା ପାଣି ମୁନ୍ଦେ ପାଇଁ ବି ପାଖରେ ପଇସା ନାହିଁ… ଦାଦନ ଖଟି ଯେତେ ଯାହା ସାଇତି ଥିଲି ଲକଡାଉନ ପରଠୁ ସବୁ ସରିଗଲାଣି… ଏବେ ଘରକୁ ନଫେରିଲେ ଜୀବନ ବି ରହିବନି… ରାସ୍ତା ମଝିରେ ଲକଡାଉନର ଲୁହାମାଡରେ ଲହୁଲୁହାଣ ହେଲେ ବି କାହାକୁ କହିବି, କିଏ ବା ଶୁଣିବ… ? ମୋତେ ଭୂତାଣୁ ନୁହେଁ ଭୋକ ମାରିଦେବ… ମୁଁ ଆଉ ପାରୁନି… ଚାଲି ପାରୁନି…

ଲକଡାଉନର ଲମ୍ବାଯାତ୍ରା ଭିତରେ ବାଟବଣା ହୋଇଥିବା ଜଣେ ଶ୍ରମିକଙ୍କ ଏ ହେଉଛି ବୁକୁଫଟା ଚିକ୍ରାର । ଘରମୁହାଁ ଶ୍ରମିକକୁ ମଝି ରାସ୍ତାରେ ବସେଇ ଦେଇଛି ଏ ନିଷ୍ଠୁର ସମୟ । ନା ଶରୀରରେ ଶକ୍ତି ଅଛି ନା ପକେଟରେ ଫୁଟି କଉଡିଟିଏ । ଶୂନଶାନ ଭିତରେ ସବୁକିଛି ବନ୍ଦ ଥିବାରୁ ପାଣି ଟୋପେ ବି ମିଳିବା କଷ୍ଟକର । ତେଣୁ ମୁଣ୍ଡ ଝାଳକୁ ତୁଣ୍ଡରେ ମାରି ଧୁଧୁ ଖରାରେ ନିଜ ଭାଗ୍ୟକୁ ଧିକାର କରୁଛି ଶ୍ରମିକଟିଏ । ଆଉ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏ ଫଟୋଟି ବଖାଣୁଛି ଶ୍ରମିକଟି ସଂକ୍ରମଣର ସୀମା ପାର କରି ଆସୁଛି ସତ କିନ୍ତୁ ଭୋକର ଭଉଁରୀ ଭିତରେ ମୁକୁଳି ପାରୁନି…

କରୋନାକୁ ପ୍ରତିହତ କରିବା ପାଇଁ ସାରା ବିଶ୍ୱ ଯେତେବେଳେ ଅଣ୍ଟା ଭିଡିଛିି । ଠିକ ସେତେବେଳେ ସଂକ୍ରମଣ ରୋକିବାକୁ ଲକଡାଉନ ବଢାଇବା ହିଁ ବଡ ଅସ୍ତ୍ର ବୋଲି ନେତା, ମନ୍ତ୍ରୀମାନେ କହୁଛନ୍ତି । ସେପଟେ ଶ୍ରମିକ ଠୁ ସାଧାରଣ ଲୋକେ ପ୍ରଶ୍ନ କରୁଛନ୍ତି, ଯେଉଁମାନେ ଶୀତତାପ ନିୟନ୍ତ୍ରିତ ଘରେ ବସି ଲକଡାଉନର ଲକ୍ଷ୍ମଣରେଖାକୁ ଲମ୍ବେଇ ଲମ୍ବେଇ ଚାଲିଛନ୍ତି, ସେମାନେ ଖଇ ଫୁଟା ଖରାରେ ପୋଡିଯାଉଥିବା ଛାଲ ଉତରା ପାଦର ଦରଜ ବୁଝିଛନ୍ତି କି ? ପରିବାର ମୁହଁରେ ପାଉଁରୁଟି ଦେବାକୁ ଝାଳ ବୁହାଉଥିବା ଶ୍ରମିକର ଅର୍ଥ-ଅଭାବ ଭିତରେ ଆକାଶ ପାତାଳ ଫରକୁ ମାପି ପାରୁଛନ୍ତି କି ? ସାମାଜିକ ଦୂରତାରେ ନିୟମ କରି ଶୀର୍ଷନେତାମାନେ ହୁଏତ ସଂକ୍ରମଣକୁ ଦୂରେଇ ଦେବେ ହେଲେ ଏପଟେ ଗରିବୀ ଆଉ ଟଙ୍କା ଭିତରେ ବଢୁଥିବା ଦୂରତାକୁ କେମିତି କମାଇବେ?

ସେଦିନ ମହାଭାରତ ଯୁଦ୍ଧରେ ଯେମିତି ଅଭିମନ୍ୟୁ ଚକ୍ରବ୍ୟୁହରେ ଫସି ଯାଇଥିଲା ଆଜି ଠିକ ସେମିତି ଶ୍ରମିକଟିଏ ମହାମାରୀର ଏ ଚକ୍ରବ୍ୟୁହରେ ଫସିଯାଇଛି । ସେ ଘରୁ ବାହାରିଲେ ମହାମାରୀ ତାକୁ ମୃତ୍ୟୁର ଧମକ ଦେଉଛି ଆଉ ଘରେ ରହିଲେ ଗରିବୀ ତାକୁ ମାରିଦେବ କହୁଛି…