ଅଧାରେ ରହିଗଲା ନିର୍ବନ୍ଧ । ଯୋଡିହେବା ପୂର୍ବରୁ ଭାଙ୍ଗିଗଲା ଦୁଇ ପରିବାରର ସୁନେଲି ସ୍ୱପ୍ନ । ହୁଳହୁଳି ବଦଳରେ ଶୁଭିଲା କାନ୍ଦବୋବାଳିର ସ୍ୱର…

2,845

କନକ ବ୍ୟୁରୋ: ଘର ଅଗଣାରେ ମୁରୁଜ ପଡିଛି, ଦାଣ୍ଡ ଦୁଆରେ ଟେଣ୍ଟ ବନ୍ଧା ହୋଇଛି ଆଉ କାନ୍ଥରେ ଲେଖା ହୋଇଛି ପଲ୍ଲବୀ ୱେଡ୍ସ ଅଶୋକ । ସୋମବାର ରାତି ପାହିଥିଲେ ମଙ୍ଗଳବାର ହୋଇଥାନ୍ତା ମହାମିଳନ । ହୋମ ନିଆଁକୁ ସାକ୍ଷୀ ରଖି ଦୁହେଁ ଦୁହିଁକୁ ବିବାହ କରିଥାନ୍ତେ । ମଙ୍ଗଳବାର ବିବାହ ଥିବାରୁ ରବିବାର ନିର୍ବନ୍ଧ ପାଇଁ ସବୁ ପ୍ରସ୍ତୁତିରେ ପୂର୍ଣ୍ଣଚ୍ଛେଦ ଟାଣି ପୁଅପକ୍ଷଙ୍କୁ ଅପେକ୍ଷା କରିଥିଲେ ପଲ୍ଲବୀଙ୍କ ପରିବାର ।

ଆଉ ମାତ୍ର କିଛି ଦୂର ଥିଲା, କିଛି କ୍ଷଣ ଥିଲା । ୬ କିଲୋମିଟର ଗଲା ପରେ ନିର୍ବନ୍ଧ ହୋଇଥାନ୍ତା । ଦୁଇ ପରିବାର ଏକାଠି ହୋଇଥାନ୍ତେ । ମହାପ୍ରସାଦକୁ ସାକ୍ଷୀ ରଖି ପତି-ପତ୍ନୀ ହେବାକୁ ପଲ୍ଲବୀ ଅଶୋକଙ୍କ ନାଁରେ ସୁନାମୁଦି ପିନ୍ଧିଥାନ୍ତେ । ହେଲେ ତାଙ୍କର ସବୁତକ ସ୍ୱପ୍ନ ନିମିଷକରେ ଭାଙ୍ଗିରୁଜି ଚୁରମାର ହୋଇଗଲା, ଅଧା ବାଟରେ ଅଟକିଗଲା ବସରେ ବସି ଆସୁଥିବା ପଲ୍ଲବୀଙ୍କ ଖୁସି ।

ସେପଟେ ବରଘରର ଛାତିଥରା ଦୁର୍ଘଟଣାର ଖବର ଶୁଣି ପଲ୍ଲବୀଙ୍କ ପରିବାର ଭାଙ୍ଗି ପଡିଛି । କିଏ କାନ୍ଥକୁ ଆଉଜି ବସି ପଡିଛି ତ ଆଉ କିଏ ବାଲୁବାଲୁ କରି ଚାହିଁଛି । ବରପକ୍ଷଙ୍କ ପାଇଁ ହୋଇଥିବା ସବୁତକ ରୋଷେଇ ସେମିତି ରହିଛି । ରୋଷେଇ ଶାଳରେ ରନ୍ଧା ଯାଇଥିବା ସୁସ୍ୱାଦୁ ଖାଦ୍ୟ ସ୍ୱାଦହୀନ ହୋଇଛି ।

ଖାଲି ଝିଅପକ୍ଷ ନୁହେଁ ପୁଅପକ୍ଷ ଅଶୋକଙ୍କ ଘରେ ବି ଶୁଭବିବାହ ଲେଖା ହୋଇଛି ଆଉ ଅଧା ରାସ୍ତାରୁ ଅଶୁଭ ଖବର ଆସିବା ପରେ ଘର ସାରା ଖାଁଖାଁ ଆଉ ନିରବତା ରାଜୁତି କରୁଛି । ହସଖୁସି ପରିବର୍ତ୍ତେ ପରିବାର ଉପରେ ଦୁଃଖର ପାହାଡ ଅଜାଡି ହୋଇ ପଡିଥିବାରୁ ମାଟିରେ ମୁଣ୍ଡ ପିଟି କାନ୍ଦୁଛନ୍ତି ଅଶୋକଙ୍କ ପରିବାର ।