ଜୀବନ ସହ ସଂଘର୍ଷ କରୁଛନ୍ତି ବିଜୁଙ୍କ ବନ୍ଧୁ । ପାଞ୍ଚ ବର୍ଷ ହେବ ଶଯ୍ୟାଶାୟୀ ପୂର୍ବତନମନ୍ତ୍ରୀ । କେବେ ପଡ଼ିବ ସରକାରଙ୍କ ଦୃଷ୍ଟି ?

373

କନକ ବ୍ୟୁରୋ: ସହରାଇ ଓରାମ-ପାଂଚ ପାଂଚ ଥରର ବିଧାୟକ ଓ ଦୁଇଥର ମନ୍ତ୍ରୀ ରହିଥିବା ସହରାଇ ଏବେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି । ଆଉ ବିଡ଼ମ୍ବନାର ବିଷୟ ହେଲା ସେ ବିଜୁଙ୍କ ଏକାନ୍ତ ବନ୍ଧୁ ହୋଇଥିଲେ ମଧ୍ୟ ଏବେ ପୂରାପୁରି ଏକା ହୋଇଯାଇଛନ୍ତି । ପାଞ୍ଚ ବର୍ଷ ହେବ ପକ୍ଷାଘାତରେ ଆକ୍ରାନ୍ତ ସହରାଇ ଏବେ ସାହାଯ୍ୟ ଖୋଜୁଛନ୍ତି ।

ଯିଏ ଦିନେ ବିଜୁଙ୍କ ହାତରେ ହାତ ମିଶାଇ ଚାଲୁଥିଲେ ସେ, ଆଜି ଅସହାୟ ହୋଇ ବର୍ଷବର୍ଷ ଧରି ଶଯ୍ୟାରେ ପଡ଼ିରହିଛନ୍ତି । ଆଉ ବିଜୁ ବାବୁଙ୍କ ସହ ବିତେଇଥିବା ପ୍ରତିଟି ମୁହୂର୍ତ୍ତକୁ ମନେ ପକାଇ ଲୁହ ଝରାଉଛନ୍ତି । ହେଲେ ତାଙ୍କ ଉପରେ ରାଜ୍ୟ ସରକାରଙ୍କ ଦୃଷ୍ଟି ପଡୁନଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।

କେନ୍ଦୁଝର ବଡ଼ବିଲ ଭଦ୍ରାସାହିର ସହରାଇ ଓରାମ ଚମ୍ପୁଆ ନିର୍ବାଚନ ମଣ୍ଡଳୀରୁ ୫ଥର ବିଧାୟକ ଭାବେ ନିର୍ବାଚିତ ହୋଇ ଦୁଇଥର କ୍ୟାବିନେଟ୍ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି । ହେଲେ ୭୭ ବର୍ଷୀୟ ସହରାଇ ୧୩ ବର୍ଷ ପୂର୍ବେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ । ତେଣୁ ପରିବାର ଲୋକେ ତାଙ୍କର ଅସ୍ତ୍ରୋପଚାର କରାଇଥିଲେ । ହେଲେ ଗତ ୫ ବର୍ଷ ହେବ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି । ପକ୍ଷାଘାତରେ ଆକ୍ରାନ୍ତ ସହରାଇଙ୍କୁ ଡାକ୍ତରଖାନାରେ ଚିକିତ୍ସିତ କରାଇଥିଲେ ମଧ୍ୟ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁନି ।

୧୯୭୨ ମସିହାରେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ଉତ୍କଳ କଂଗ୍ରେସରୁ ପ୍ରଥମ ଥର ପାଇଁ ଚମ୍ପୁଆ ନିର୍ବାଚନମଣ୍ଡଳୀରେ ସେ ବିଜୟୀ ହୋଇଥିଲେ । ଏପରିକି ସେ ଜନତା ଦଳ ତଥା ବିଜୁ ଜନତା ଦଳର ପ୍ରତିଷ୍ଠାତା ସଦସ୍ୟ ମଧ୍ୟ ଥିଲେ । କିନ୍ତୁ ବିଜୁ ବାବୁଙ୍କ ଅତି ଘନିଷ୍ଠ ତଥା ବିଶ୍ୱାସୀ ଥିବା ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ସହରାଇ ଏବେ ଶଯ୍ୟାଶାୟୀ । ଏତେ ଅସୁସ୍ଥତା ଓ ଦୁଃଖ ଭିତରେ ବିଜୁବାବୁଙ୍କ ସ୍ମୃତିକୁ ମନେ ପକାଉଛନ୍ତି ସହରାଇ । ଏବେ ଅପେକ୍ଷା ବିଜୁଙ୍କ ଅନୁଗତ ବୋଲାଉଥିବା ସହରାଇଙ୍କ ଉପରେ ସରକାରଙ୍କ ଦୃଷ୍ଟି କେବେ ପଡ଼ିବ ।