ପେପର ନେବ ପେପର… ୮୦ ବର୍ଷ ବୟସରେ ବସରୁ ବସ ବୁଲି ପେପର ବିକୁଛନ୍ତି ରମ୍ଭାମଣୀ… ଦିନେ ବେପାର ନହେଲେ ଭୋକିଲା ରହିବ ପୂରା ପରିବାର । ଦୁଃଖିନୀ ରମ୍ଭାମଣୀର ଦୁଃଖ ଶୁଣ ସରକାର…

ଶରୀରରୁ ଶକ୍ତି ଚାଲିଗଲାଣି । ଚମ ଧୁଡୁଧୁଡୁ ଦେହ ଭିତରକୁ ଆଖି ପଶି ଗଲାଣି । ଆଉ ପାକଳ ହାତ ବରଡା ପତ୍ର ପରି ଥରିବାକୁ ଲାଗିଲାଣି... ୮୦ ବର୍ଷ ବୟସରେ କାହା ଦେହରେ ବଳଥାଏ ଯେ ୟାଙ୍କ ଦେହରେ ରହିବ । ହେଲେ ତଥାପି ନିସ୍ତେଜିଆ ହାତକୁ ଶକ୍ତ କରିବାକୁ ପଡେ, ନଇଁ ପଡୁଥିବା ଅଣ୍ଟାକୁ ସଳଖି ପେପର ବିକିବାକୁ ପଡେ... କାରଣ ପେପର ନବିକିଲେ ପରିବାର ଚଳିବନି, ୬ ପ୍ରାଣୀ କୁଟୁମ୍ବଙ୍କ ପେଟରେ ଦାନ ଗଣ୍ଡେ ପଡିବନି

486

କନକ ବ୍ୟୁରୋ: ପେପର ବିକିଲେ ପୂରୁଛି ପେଟ । ୮୦ ବର୍ଷିୟା କାନ୍ଧରେ ପରିବାରର ବୋଝ । ଶରୀରରୁ ଶକ୍ତି ଚାଲିଗଲାଣି । ଚମ ଧୁଡୁଧୁଡୁ ଦେହ ଭିତରକୁ ଆଖି ପଶି ଗଲାଣି । ଆଉ ପାକଳ ହାତ ବରଡା ପତ୍ର ପରି ଥରିବାକୁ ଲାଗିଲାଣି… ୮୦ ବର୍ଷ ବୟସରେ କାହା ଦେହରେ ବଳଥାଏ ଯେ ୟାଙ୍କ ଦେହରେ ରହିବ । ହେଲେ ତଥାପି ନିସ୍ତେଜିଆ ହାତକୁ ଶକ୍ତ କରିବାକୁ ପଡେ, ନଇଁ ପଡୁଥିବା ଅଣ୍ଟାକୁ ସଳଖି ପେପର ବିକିବାକୁ ପଡେ… କାରଣ ପେପର ନବିକିଲେ ପରିବାର ଚଳିବନି, ୬ ପ୍ରାଣୀ କୁଟୁମ୍ବଙ୍କ ପେଟରେ ଦାନ ଗଣ୍ଡେ ପଡିବନି । ସେଥିପାଇଁ ବୟସର ଅପରାହ୍ନରେ ବସଷ୍ଟାଣ୍ଡରେ ପେପର ବିକୁଛନ୍ତି ୮୦ ବର୍ଷର ଏ ବୃଦ୍ଧା ।

ରମ୍ଭାମଣୀ ନାୟକ । ସୋର ଜାମୁଝାଡି ବସଷ୍ଟାଣ୍ଡରେ ପେପର ବିକୁଥିବା ୮୦ ବର୍ଷର ବୃଦ୍ଧା । ଘର ତଳନଗର ପଞ୍ଚାୟତ ଅଲିପୁର ଗାଁରେ । ସ୍ୱାମୀ ମଲା ପରେ ଦୀର୍ଘ ୨୦ ବର୍ଷ ହେବ ବସ ବସ ବୁଲି ପେପର ବିକି ପରିବାର ଚଳାଉଛନ୍ତି ରମ୍ଭାମଣୀ । ଗତ ୩ ବର୍ଷ ହେବ ରୋଗରେ ପଡିପଡି ପୁଅ ଆଖିବୁଜିବା ପରେ ଏବେ ବୟସ୍କ କାନ୍ଧରେ ପରିବାର ଭାର । ତେଣୁ ବାଧ୍ୟ ହୋଇ ପୁଅର ୪ଟି ପିଲା ଆଉ ବୋହୁ ମୁହଁରେ ଦାନା ଗଣ୍ଡେ ଦେବାକୁ ରାସ୍ତା ଓହ୍ଲାଇ ଆସିଛନ୍ତି ରମ୍ଭାମଣୀ ।

ସବୁଠାରୁ ବଡ କଥା ହେଉଛି । ଯେଉଁ ବୟସରେ ରମ୍ଭାମଣୀ ବିଶ୍ରାମ କରିବା କଥା ସେହି ବୟସରେ ସେ ଦୀର୍ଘ ୧୦ କିଲୋମିଟର ଚାଲିଚାଲି ଆସି ପେପର ବିକୁଛନ୍ତି । ସକାଳ ହେବା କ୍ଷଣି ନିଜ ଗାଁ ଅଲିପୁରରୁ ଚାଲିଚାଲି ଆସି ଜାମୁଝାଡିରେ ପହଞ୍ଚନ୍ତି ଆଉ ତା ପରେ ବସରୁ ବସ, ଦୋକାନରୁ ଦୋକାନ ବିଭିନ୍ନ ସ୍ଥାନରେ ପେପର ବିକନ୍ତି ରମ୍ଭାମଣୀ ।

ଦିନସାରା ପେପର ବିକି ଯେତିକି ରୋଜଗାର କରନ୍ତି ସେତିକିରେ ପରିବାର ପ୍ରତିପୋଷଣ କରନ୍ତି । ଘରର ଆର୍ଥିକ ପରିସ୍ଥିତି ଭଲ ନଥିବାରୁ ନାତି ଗୋଟେ ମିଠା ଦୋକାନରେ କାମ କରୁଛି । ତେବେ ବୟସର ଅପରାହ୍ଣରେ ବି ନିଜ ପରିବାର ପାଇଁ କଷ୍ଟ କରୁଥିବା ରମ୍ଭାମଣୀଙ୍କ ଏ ଅସହାୟତା ଦେଖି କେହି କେହି ପେପର କିଣି ତାଙ୍କୁ ସାହାଯ୍ୟ ବି କରନ୍ତି । ସେପଟେ ଘରେ ବିଧବା ବୋହୂ ଥିଲେ ବି ତାଙ୍କୁ ଭତ୍ତା ମିଳୁନଥିବା ଅଭିଯୋଗ ହୋଇଛି ।

ତେବେ ବୟସର ପଶ୍ଚିମ ତୀରରେ ପର ପାଖରେ ହାତ ନପାତି ସଙ୍ଘର୍ଷ ଆଉ ସ୍ୱାଭିମାନର ସହ ଦାରିଦ୍ରତା ସଙ୍ଗେ ଯୁଦ୍ଧ କରୁଥିବା ରମ୍ଭାମଣୀଙ୍କ ଏ କାହାଣୀ ଶୁଣି ଆହା ପଦେ କହିବାକୁ କଣ କେହି ବାହାରିବେନି…???