ଚିର ସ୍ମରଣୀୟ ସଦାଶିବ । ୧୨ ବର୍ଷ କାଳ ରାଜସ୍ୱ ବିଭାଗ ସମ୍ଭାଳିଥିଲେ ଓଡିଶାର ଏହି ପୂର୍ବତନ ମୁଖ୍ୟମନ୍ତ୍ରୀ । 

84

କନକ ବ୍ୟୁରୋ : (ସ୍ୱରାଜ ମିଶ୍ର) : ଦେବ ଦେବ ମହାଦେବଙ୍କର ବହୁବିଧ ନାମ ଓଡ଼ିଶା ରାଜନୀତିରେ ବାରମ୍ବାର ଶୁଣିବାକୁ ମିଳେ । ‘ବିଶ୍ୱନାଥ’, ‘ସଦାଶିବ’, ‘ନୀଳକଣ୍ଠ’, ‘ଲିଙ୍ଗରାଜ’, ‘ଲୋକନାଥ’, ‘ଗଂଗାଧର’, ‘ମହେଶ୍ୱର’, ‘ସୋମନାଥ’, ‘ତ୍ରିଲୋଚନ’, ‘ପଞ୍ଚାନନ’, ‘ଚନ୍ଦ୍ରଶେଖର’, ‘ଶଶିଭୂଷଣ’ ଆଦି ନେତାମାନେ ୧୯୩୭ରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଓଡ଼ିଶାର ରାଜନୀତିକୁ ବହୁଧା ପ୍ରଭାବିତ କରିଛନ୍ତି । ବିଶ୍ୱନାଥ ଦାସ ଓ ସଦାଶିବ ତ୍ରିପାଠୀଙ୍କ ଭଳି ନେତାମାନେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆସନ ମଧ୍ୟ ଅଳଙ୍କୃତ କରିଛନ୍ତି । ତେବେ ଆଜି ବିଶେଷ ଭାବରେ ସ୍ମରଣ କରିବା ଉଚିତ ହେବ ସଦାଶିବ ତ୍ରିପାଠୀଙ୍କୁ । କାରଣ ଏପ୍ରିଲ୍ ୨୧ ତାରିଖ ତାଙ୍କର ଜନ୍ମଦିନ ।

୧୯୧୦ ମସିହା ଏପ୍ରିଲ୍ ୨୧ ତାରିଖରେ ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଅଞ୍ଚଳର ଏକ ଜମିଦାର ପରିବାରରେ ଜନ୍ମ ଗ୍ରହଣ କରିଥିବା ସଦାଶିବ ତାଙ୍କର ସାରା ଜୀବନ ଏହି ଅଞ୍ଚଳର ଜନଜାତିଙ୍କ ଉନ୍ନତିପାଇଁ କାର୍ଯ୍ୟ କରିଛନ୍ତି । ଜୟପୁରରୁ ମାଟ୍ରିକ୍ ପାସ୍ କଲା ପରେ ସେ ଶିକ୍ଷକତା ଆରମ୍ଭ କରିଥିଲେ ଏବଂ ଏହି ସମୟରେ ପ୍ରବୀଣ ସ୍ୱାଧୀନତା ସଂଗ୍ରାମୀ ରାଧାକୃଷ୍ଣ ବିଶ୍ୱାସରାୟ, ରାଧାମୋହନ ସାହୁ ଓ ବିପ୍ଳବୀ ଲକ୍ଷ୍ମଣ ନାୟକଙ୍କ ଭଳି ବ୍ୟକ୍ତିଙ୍କ ସଂପର୍କରେ ଆସି ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ।

ସ୍ୱାଧୀନତା ପୂର୍ବରୁ ଅନୁଷ୍ଠିତ ୧୯୩୭ ଓ ୧୯୪୬ ନିର୍ବାଚନରେ ସେ କଂଗ୍ରେସ ଦଳ ତରଫରୁ ଓଡ଼ିଶା ବିଧାନସଭାକୁ ନବରଙ୍ଗପୁର ଜେନେରାଲ ଆସନରୁ ନିର୍ବାଚିତ ହୋଇଥିଲେ । ସ୍ୱାଧୀନତା ପରେ ଏହି ଅଞ୍ଚଳର ଆସନଗୁଡ଼ିକ ମୁଖ୍ୟତଃ ଜନଜାତିମାନଙ୍କ ପାଇଁ ସଂରକ୍ଷିତ ରହୁଥିବାରୁ ଜଣେ ସବର୍ଣ୍ଣ ପ୍ରାର୍ଥୀ ହିସାବରେ ତାଙ୍କୁ ନିର୍ବାଚନ ମଣ୍ଡଳୀ ବଦଳାଇବାକୁ ପଡ଼ୁଥିଲା । ୧୯୫୨ ଓ ୧୯୫୭ରେ ସେ ନବରଙ୍ଗପୁର ଯୁଗ୍ମ ଆସନରୁ ନିର୍ବାଚିତ ହୋଇ ଆସିଥିବାବେଳେ ୧୯୬୧ରେ ଉମରକୋଟ ଆସନରୁ ବିଜୟୀ ହୋଇଥିଲେ । ୧୯୬୭ରେ ନବରଙ୍ଗପୁର ଆସନ ସଂରକ୍ଷିତ ନ ଥିବାରୁ ସେ ପୁଣି ଏହି ଆସନରୁ ବିଜୟୀ ହେଲେ ।

ସବୁଠାରୁ ବେଶୀ କୌତୂହଳର କଥା ହେଲା ଯେ ସଦାଶିବ ୧୯୪୮ରୁ ଆରମ୍ଭ କରି ୧୯୬୫ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ କଂଗ୍ରେସ ମନ୍ତ୍ରିମଣ୍ଡଳରେ ସାମିଲ୍ ହୋଇଛନ୍ତି ଏବଂ ଦୀର୍ଘ ୧୨ ବର୍ଷ କାଳ ରାଜସ୍ୱ ବିଭାଗ ସମ୍ଭାଳିଛନ୍ତି, ଯାହାକି ଏକ ବିରଳ ଉପଲବ୍ଧି । ଓଡ଼ିଶା ରାଜ୍ୟରେ ଜମିଦାରୀ ଉଚ୍ଛେଦ ଓ ଭୂସଂସ୍କାର ଆଇନ ପ୍ରଣୟନ କ୍ଷେତ୍ରରେ ତାଙ୍କର ଅବଦାନ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ନିଜେ ଜମିଦାର ପରିବାରରୁ ଆସିଥିବା ସଦାଶିବ ଭୂସଂସ୍କାର ଆଇନକୁ କାର୍ଯ୍ୟକାରୀ କରାଇ ନିଜର ଶତାଧିକ ଏକର ଜମି ହରାଇଥିଲେ ।

ଏଭଳି ଏକ ନେତାଙ୍କୁ କଂଗ୍ରେସ ଦଳରେ ସାମିଲ୍ କରାଇବାପାଇଁ ୧୯୩୭ ମସିହାରେ ପଣ୍ଡିତ ନୀଳକଂଠ ଦାସ ନବରଙ୍ଗପୁର ଅଞ୍ଚଳକୁ ଆସିଥିଲେ । ଏ ପ୍ରସଙ୍ଗରେ ‘ନବଜୀବନ’ର ସଂପାଦକ ଚିନ୍ତାମଣି ମିଶ୍ର ‘ଅର୍ଦ୍ଧଶତାବ୍ଦୀର ଅନୁଭୂତି’ ପୁସ୍ତକରେ ବର୍ଣ୍ଣନା କରିଛନ୍ତି: ‘‘ସଦାଶିବ ତ୍ରିପାଠୀଙ୍କ ନନାଙ୍କୁ ମଙ୍ଗାଇବା ଅଧିକ ଭିଡ଼ ହେଲା । ନୀଳକଣ୍ଠବାବୁ ତାଙ୍କ ଉପରେ ବିଗିଡ଼ିଯାଇ ଡାକବଙ୍ଗଳାକୁ ଚାଲିଗଲେ । ମୁଁ ରହି ବୁଢ଼ାଙ୍କୁ ମଙ୍ଗାଇଲିଟ୍ଟ। ତାଙ୍କର ଏକମାତ୍ର ଆଶଙ୍କା, ତାଙ୍କ ପୁଅର ଚାକିରି ଖଣ୍ଡି ଚାଲିଗଲେ ଘର ଚଳିବ କେମିତି ? ମୁଁ ଆସେମ୍ବ୍ଲି ମେମ୍ବରଙ୍କ ଦରମା ଓ ମନ୍ତ୍ରୀ ହେବାର ସମ୍ଭାବନା ବିଷୟ ତାଙ୍କୁ ସୂଚାଇଲି । ସେ କହିଲେ, ‘ଆଗ ନିର୍ବାଚନରେ ଜିଣିଲେ ସିନା, ମହାରାଜାଙ୍କ ପ୍ରାର୍ଥୀ ନଜିଣି ୟେ ଜିଣିବେ?’’ ସଦାଶିବ କଂଗ୍ରେସରେ ଯୋଗଦେଇ ପ୍ରାର୍ଥୀ ହୋଇଥିଲେ ଏବଂ ୧୯୩୭ରେ ଜୟପୁର ମହାରାଜାଙ୍କ ସମର୍ଥିତ ପ୍ରାର୍ଥୀ ହରିହର ମିଶ୍ରଙ୍କୁ ହରାଇ ବିଜୟୀ ହୋଇଥିଲେ ।

୧୯୬୨ରେ କଂଗ୍ରେସ ଦଳ ସଂଖ୍ୟା ଗରିଷ୍ଠତା ପାଇ ବିଜୁପଟ୍ଟନାୟକଙ୍କ ନେତୃତ୍ଵରେ ସରକାର ଗଠନ କରିଥିଲା । କାମରାଜ ଯୋଜନାରେ ସେ ଇସ୍ତଫା ଦେବା ପରେ ବୀରେନ୍ ମିତ୍ର ଓ ତାଙ୍କ ପରେ ୨୧.୨.୧୯୬୫ରୁ ୮.୩.୧୯୬୭ ପର୍ଯ୍ୟନ୍ତ ସଦାଶିବ ତ୍ରିପାଠୀ ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ । ୧୯୬୭ରେ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ନେତୃତ୍ଵରେ ଗଠିତ ସ୍ୱତନ୍ତ୍ର ଓ ଜନକଂଗ୍ରେସ ମିଳିତ ମନ୍ତ୍ରିମଣ୍ଡଳ ସମୟରେ ସେ ବିଧାନସଭାରେ ବିରୋଧୀଦଳ ନେତା ପଦରେ ଥିଲେ ।

ସଦାଶିବ ଥିଲେ ଜଣେ ସତ୍ୟନିଷ୍ଠ ଓ ତ୍ୟାଗୀ ପୁରୁଷ । ସହିଦ ଲକ୍ଷ୍ମଣ ନାୟକ ତାଙ୍କୁ ଖୁବ୍ ଶ୍ରଦ୍ଧା କରୁଥିଲେ । ୧୯୪୩ ମାର୍ଚ୍ଚ ୨୯ରେ ଲକ୍ଷ୍ମଣଙ୍କୁ ଫାଶୀ ଦିଆଯିବାର ପୂର୍ବ ସଂଧ୍ୟାରେ ସେ ବ୍ରହ୍ମପୁର ଜେଲରେ ତାଙ୍କୁ ଭେଟି କାନ୍ଦି କାନ୍ଦି କହିଥିଲେ ‘‘ଆମେ ତୁମ ଜୀବନ ରକ୍ଷା କରିପାରିଲୁ ନାହିଁ । ଏ ଦୁଃଖ କୌଣସି ଦିନ ଭୁଲିପାରିବୁ ନାହିଁ।’’ ଏଭଳି ଜଣେ ସମ୍ବେଦନଶୀଳ ଓ ମାନବବାଦୀ ରାଜନେତା ସଦାଶିବଙ୍କୁ ପ୍ରଣାମ ।

Comments are closed.