ଜିଓ ଚଳାଇଲା ଚାଲ୍ ! ଯାହା ବାକି କଂପାନୀଙ୍କୁ କରିଦେବ ବେହାଲ୍

45

ଭୋଡାଫୋନ ଏବଂ ଏୟାରଟେଲ୍ ହେଉଛନ୍ତି ଦେଶର ଦୁଇଟି ସବୁଠାରୁ ବଡ ମୋବାଇଲ କଂପାନୀ । ବିଗତ ଏକ ବର୍ଷ ମଧ୍ୟରେ ଜିଓ ଯେଭଳି ଭାବେ ବଜାରରେ ନିଜର ଦବଦବା ଜାହୀର କରିବାରେ ଲାଗିଛି ତାକୁ ଟକ୍କର ଦେବାକୁ ଅନ୍ୟ କଂପାନୀମାନେ ଯେତେବି ପ୍ଲାନ ଆପଣେଇବାରେ ଲାଗିଛନ୍ତି ସେ ସବୁ ଫ୍ଲପ ହେବାରେ ଲାଗିଛି । ମୋଟ୍ ଉପରେ କହିବାକୁ ଗଲେ ବିଭିନ୍ନ ଟେଲିକମ୍ କଂପାନୀଙ୍କୁ ମାତ୍ ଦେବା ଉର୍ଦ୍ଦେଶ୍ୟରେ ଆରମ୍ଭ କରିଦେଇଛି ଗୋଟିଏ ପରେ ଗୋଟିଏ ଚାଲ୍ ।

ନିଜର ସେବା ଲଂଚ କରିବାରେ ଜିଓକୁ ଇତି ମଧ୍ୟରେ ପ୍ରାୟ ଏକ ବର୍ଷ ପୁରଣ ହୋଇଛି । ଆଉ ଏହି ଗୋଟିଏ ବର୍ଷ ଭିତରେ ଲୋକମାନଙ୍କର ଦୃଷ୍ଟି ଭଙ୍ଗୀରେ ମଧ୍ୟ ଅନେକ ପରିବର୍ତ୍ତନ ଦେଖାଦେଇଛି । ବିଶେଷ କରି ମୋବାଇଲ ଡାଟା ଉପରେ ଜିଓର ଗଭୀର ପ୍ରଭାବ ପଡିଛି ।

ଗୋଟିଏ ବର୍ଷରେ ଜିଓର ଦ୍ୱିତୀୟ ଚାଲ୍ 

ଜିଓ ଲଂଚ ହେବା ପୂର୍ବରୁ ବିଭିନ୍ନ ଟେଲିକମ୍ କଂପାନୀମାନେ ୧ଜିବି ଡାଟା ପାଇଁ ପାଖାପାଖି ୨୫୦ ଟଙ୍କା ନେଉଥିଲେ । କିଛି ଏମବିର ଡାଟାକୁ ମାପ ଚୁପ କରି ଗ୍ରାହକ ଖର୍ଚ୍ଚ କରୁଥିଲେ । ହେଲେ ଏବେ ପରିସ୍ଥିତି ପୁରା ଓଲଟା । କାରଣ, ବାକି କଂପାନୀମାନଙ୍କୁ କଡା ଟକ୍କର ଦେବା ପାଇଁ ଜିଓ ଲୋକଙ୍କ ପାଇଁ ଆଣି ଦେଇଛି ଏକ ଜିବି ଡାଟା ପ୍ରତିଦିନ ହିସାବରେ, ୩୦୯ ଟଙ୍କିଆ ଅଫର ପ୍ଲାନ୍ । ତେବେ ଜିଓ ଆସିବା ପୂର୍ବରୁ ପ୍ରତି ମାସରେ ୨୦ କୋଟି ଜିବି ଡାଟା ଖର୍ଚ୍ଚ ହେଉଥିଲା । ଆଉ ଏବେ ଖର୍ଚ୍ଚ ହେଉଛି ୧୫୦ କୋଟି ଜିବି । ଜିଓର ଦାବି ହେଉଛି ଏହି ୧୫୦ କୋଟି ଜିବିରୁ ୧୨୫ କୋଟି ଜିବି ହେଉଛି ତାର ଗ୍ରାହକ ବୋଲି । ଏହା ସହ ଜିଓ ଆସିବା ପରେ ଡାଟା ବ୍ୟବହାର କ୍ଷେତ୍ରରେ ଭାରତର ରାଙ୍କ୍ ୧୫୫ରୁ ଉଠି ଏକ ନମ୍ବରକୁ ଚାଲି ଆସିଛି ।

ନୁଆ ଗ୍ରାହକଙ୍କ ସନ୍ଧାନରେ ଜିଓ ତାର ଶସ୍ତା ହ୍ୟାଣ୍ଡସେଟ୍ ବଜାରକୁ ଆଣିବାକୁ ଯାଉଛି । ଯାହାଦ୍ୱାରା ସବୁ ବର୍ଗର ଲୋକେ ଜିଓ ଫୋନକୁ ବ୍ୟବହାର କରିପାରିବେ । ଖାଲି ସେତିକି ନୁହେଁ ଜିଓ ଫୋନ ଜରିଆରେ ହ୍ୱାଟସଆପ ଭଳି ଆପ୍ ଜାଗାରେ ଜିଓ ନିଜର ମେସେଂଜର ବ୍ୟବହାର କରିବା ପାଇଁ ଲୋକଙ୍କୁ ପ୍ରୋତ୍ସାହିତ ମଧ୍ୟ କରିପାରେ ।

କଣ ହୋଇପାରେ ଜିଓର ଆଗାମୀ ତଥା ତୃତୀୟ ଚାଲ୍

ଖୁବ୍ ଶୀଘ୍ର ଜିଓ ଚଲାଇବାକୁ ଯାଉଛି ତାର ତୃତୀୟ ଚାଲ୍ । ଯାହାର ଉଦାହରଣ ହେଲା ବ୍ରଡବ୍ୟାଣ୍ଡ ସର୍ଭିସ । ଅର୍ଥାତ୍ ରିଲାଏନ୍ସ ତରଫରୁ ଖୁବ୍ ଶୀଘ୍ର ହିଁ ବଜାରକୁ ଆସିପାରେ ବ୍ରଡବ୍ୟାଣ୍ଡ ସର୍ଭିସ । ଘର ପର୍ଯ୍ୟନ୍ତ ଫାଇବର ଜରିଆରେ ବ୍ରଡବ୍ୟାଣ୍ଡ ପହଂଚାଇବା ପାଇଁ କଂପାନୀ ଲକ୍ଷ୍ୟ ରଖିଛି ଆଉ ଏନେଇ ମଧ୍ୟ କଂପାନୀ ବିଭିନ୍ନ ସହରମାନଙ୍କରେ କାମ ଆରମ୍ଭ କରିସାରିଲାଣି । ତେବେ ଲୋକଙ୍କ ସୁବିଧା ପାଇଁ ଫୋନ ବା ଡାଟା ପ୍ୟାକ୍ ଭଳି ଜିଓ ବ୍ରାଡବ୍ୟାଣ୍ଡକୁ ମଧ୍ୟ ଖୁବ୍ ଶସ୍ତା ଦରରେ ଆଣିପାରେ ରିଲାଏନ୍ସ ।

ବର୍ତ୍ତମାନ ପ୍ରଶ୍ନ ଉଠିଛି କି, ଏତେ ଶସ୍ତା ସେବା ଦେଇ ଜିଓ କିଭଳି ଟଙ୍କା ରୋଜଗାର କରିବାରେ ସଫଳ ହୋଇପାରିବ । କାରଣ, ୨୦୦୮ରେ ଯେତେବେଳେ ବିଭିନ୍ନ ମୋବାଇଲ କଂପାନୀମାନଙ୍କୁ ଲାଇସେନ୍ସ ମିଳିଥିଲା ସେତେବେଳେ ବି ଏଭଳି ପରିସ୍ଥିତି ଦେଖାଦେଇଥିଲା । ମାତ୍ର ସେହି କଂପାନୀଗୁଡିକ ଏବେ ସଂପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଛି । ଖାଲି ସେତିକି ନୁହେଁ ଏମାନଙ୍କ ମଧ୍ୟରୁ କିଛି କଂପାନୀର ଲାଇସେନ୍ସକୁ ବି ମାନ୍ୟବର ସୁପ୍ରିମକୋର୍ଟ ରଦ୍ଦ କରିଦେଇଥିଲେ ।

ଉଲ୍ଲେଖ ଯୋଗ୍ୟ ଯେ, ନିକଟରେ ରିଲାଏନ୍ସ ଜିଓକୁ ବର୍ଷେ ପୁରିଛି । ଗତବର୍ଷ ସେପ୍ଟେମ୍ବର ୫ରେ ଟେଲିକମ୍ ଜଗତରେ ଧସେଇ ପଶିଥିଲା ଜିଓ ଏବଂ ଜିଓ ବଜାରକୁ ଆସିବା ପରେ ଟେଲିକମ୍ ଜଗତର ଗତିପଥ ବଦଳି ଯାଇିଛି । ପ୍ରଥମେ ମାଗଣା ଏବଂ ପରେ ଶସ୍ତା ପ୍ଲାନ୍ ଯୋଗାଇ ଗ୍ରାହକଙ୍କୁ ନିଜ ଆଡକୁ ଆକର୍ଷିତ କରିବାରେ ସଫଳ ହୋଇଛି ଜିଓ । ବର୍ତ୍ତମାନ ସୁଦ୍ଧା ଜିଓର ଗ୍ରାହକ ସଂଖ୍ୟା ହୋଇ ସାରିଲାଣି ପ୍ରାୟ ୧୨୫ ମିଲିୟନ୍ । ମାଗଣା ଭଏସ୍ କଲ୍ ସହ ଦମଦାର୍ ଅଫର ପାଇଁ ଅନ୍ୟ କମ୍ପାନୀକୁ ପଛରେ ପକାଇ ଦେଇଛି ଜିଓ ।

ସୌଜନ୍ୟ: ଏବିପି ନ୍ୟୁଜ୍