ଶ୍ରୀଗୁଣ୍ଡିଚା: ନାମର ଇତିହାସ ଓ ରହସ୍ୟ

184

ରଥଯାତ୍ରା ସହିତ ଜଡ଼ିତ ଭଗବାନଙ୍କ ଦଶବିଧ ସୃଷ୍ଟିର ବ୍ୟାପକତାରୁ ଆମେ ଯଦି ଶ୍ରୀକ୍ଷେତ୍ର ପୁରୀର ରଥଯାତ୍ରା ପାଖକୁ ଫେରିବା, ତେବେ ଦେଖିବା ଯେ ଆଷାଢ଼ ଶୁକ୍ଳ ଦ୍ଵିତୀୟା ଦିନ ପୂର୍ବୋକ୍ତ ‘ଦଶାବତାର’ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥାଆନ୍ତି । ଏହି ବିଗ୍ରହମାନେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯିବାକୁ ‘ଗୁଣ୍ଡିଚା ବିଜୟ’ ଏବଂ ଆଷାଢ଼ ଶୁକ୍ଳ ଦଶମୀ ଦିନ ସେଠାରୁ ଶ୍ରୀମନ୍ଦିରର ସିଂହଦ୍ଵାର ନିକଟକୁ ଫେରିବାକୁ ‘ବାହୁଡ଼ା ଯାତ୍ରା’ କୁହାଯାଏ । ରଥ ଓ ରଥଧ୍ୱଜର ବିଭିନ୍ନ ନାମ ପରି, ଶ୍ରୀଗୁଣ୍ଡିଚା ମନ୍ଦିର ବା ଶ୍ରୀଗୁଣ୍ଡିଚା ମଣ୍ଡପର ବିଭିନ୍ନ ନାମ ଅଛିଏବଂ ସେହିସବୁ ନାମର ପୃଷ୍ଠଭୂମିରେ ଅଛି ନିର୍ଦ୍ଦିଷ୍ଟ ହେତୁ, ତତ୍ତ୍ଵ ଓ ଇତିହାସ ।

ପ୍ରଥମେ ନାମ । ଏହି ‘ଯାତ୍ରା’ ବା ଏହି ‘ମନ୍ଦିର’ ବା ଏହି ‘ମଣ୍ଡପ’ର ନାମ କାହିଁକି ‘ଗୁଣ୍ଡିଚା’ ହେଲା- ତାହାର ଆଲୋଚନା କରିଛନ୍ତି ବିଶିଷ୍ଟ ଗବେଷକ ଓ ଐତିହାସିକ ଡକ୍ଟର ସତ୍ୟନାରାୟଣ ରାଜଗୁରୁ । ‘ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ବିଶେଷତ୍ଵ’ ଶୀର୍ଷକ ଏକ ପ୍ରବନ୍ଧରେ ସେ କହିଛନ୍ତି, ‘‘ଗୁଣ୍ଡିଚା ଶବ୍ଦଟି କୌଣସି ପ୍ରାକୃତ ଅଥବା ସଂସ୍କୃତ ଭାଷାରୁ ଆସିନାହିଁ । ତେଣୁ ଅନେକଙ୍କ ମତରେ ଏହା କୌଣସି ଆଦିବାସୀ (ଶବର) କନ୍ୟାର ନାମ ହୋଇଥିବା ସମ୍ଭବ । ଆମ୍ଭେ ଏକଦା ମତ ଦେଇଥିଲୁ ଯେ ଦକ୍ଷିଣ ଭାରତର ଚୋଡ଼ ରାଜବଂଶୀୟ ଜଣେ କନ୍ୟାର ନାମ ଥିଲା ‘ଗୁଣ୍ଡି-ଚୋଡ଼ି’ ।

ମହାରାଜା ଚୋଡ଼ଗଙ୍ଗଙ୍କ ସହିତ ତାଙ୍କର ବିବାହ ସଂପାଦିତ ହୋଇଥିଲା । ତେଣୁ ତାଙ୍କ ନାମରେ ‘ଗୁଣ୍ଡିଚା ମଣ୍ଡପ’ ନାମିତ ହୋଇଥିବା ସମ୍ଭବ । କିନ୍ତୁ ରଥଯାତ୍ରାର ଆରମ୍ଭ କାଳକୁ ଦୃଷ୍ଟିରେ ରଖି ବିବେଚନା କଲେ ଜଣାଯିବ ଯେ ଚୋଡ଼ଗଙ୍ଗଙ୍କ ମୃତ୍ୟୁର ବହୁକାଳ ପରେ ଶ୍ରୀମନ୍ଦିରରେ ପ୍ରସ୍ତର ବିଗ୍ରହ ପରିବର୍ତ୍ତେ ଦାରୁ ବିଗ୍ରହମାନ ପ୍ରତିଷ୍ଠା କରାଗଲା । ତା’ପରେ ପୁରୀର ଶ୍ରୀଗୁଣ୍ଡିଚା ଯାତ୍ରା ଆରମ୍ଭ ହୋଇଥିଲା। ସୁତରାଂ ଏ ପ୍ରଶ୍ନର ସମାଧାନ ସକାଶେ ଅଧିକ ତଥ୍ୟ ଆବଶ୍ୟକ ।’’

ଏଣୁ ସତ୍ୟନାରାୟଣ ରାଜଗୁରୁଙ୍କ ପରି ବିଶିଷ୍ଟ ଐତିହାସିକ ଓ ଗବେଷକ ଯେତେବେଳେ ଚୋଡ଼ଗଙ୍ଗ ଦେବଙ୍କ ରାଣୀ ‘ଗୁଣ୍ଡି-ଚୋଡ଼ି’ଙ୍କ ନାମାନୁସାରେ ଏହି ନାମ ହୋଇଛି ବୋଲି ନିଶ୍ଚିତ ନୁହନ୍ତି- ସେତେବେଳେ ଏହାର ଅନ୍ୟ ସୂତ୍ରର ସନ୍ଧାନ ନିହାତି ଆବଶ୍ୟକ ।

‘ଦେଉଳ ତୋଳା’ କିଂବଦନ୍ତି ବା ପୋଥିରେ ବର୍ଣ୍ଣିତ କାହାଣୀ କିନ୍ତୁ ଏହାକୁ ସାଂପ୍ରତିକ କାଳର ଇତିହାସ ପୃଷ୍ଠାରୁ ସତ୍ୟଯୁଗର ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସମୟକୁ ନେଇଯାଏ । ସେଥିରେ କୁହାଯାଇଛି- ଇନ୍ଦ୍ରଦ୍ୟୁମ୍ନଙ୍କର ରାଣୀଙ୍କ ନାମ ଥିଲା ଗୁଣ୍ଡିଚା ଏବଂ ସେ ଏହି ରଥଯାତ୍ରାର ଅୟମାରମ୍ଭ କରିଥିଲେ ।

‘ସ୍କନ୍ଦପୁରାଣ’ ଅନୁସାରେ, ଶ୍ରୀଜଗନ୍ନାଥ ସ୍ୱୟଂ ଏହି ଯାତ୍ରାକୁ ‘ଗୁଣ୍ଡିଚା’ ନାମକ ମହାଯାତ୍ରା ବୋଲି କହିଛନ୍ତି ଏବଂ ସେହି ପ୍ରସଙ୍ଗରେ‘ଗୁଣ୍ଡିଚାଳୟ’ ଓ ‘ଗୁଣ୍ଡିଚାମଣ୍ଡପ’ ଆଦିର ଉଲ୍ଲେଖ ମଧ୍ୟ ଅଛି । କିନ୍ତୁ ସେଥିରୁ ନିର୍ଦ୍ଦିଷ୍ଟ ଭାବରେ ଜଣାଯାଏ ନାହିଁ ଯେ ଇନ୍ଦ୍ରଦ୍ୟୁମ୍ନଙ୍କର ରାଣୀଙ୍କ ନାଆଁ ଗୁଣ୍ଡିଚା ଥିଲା । ସେହିପରି ‘ବ୍ରହ୍ମପୁରାଣ’ ଓ ‘କପିଳ ସଂହିତା’ ଆଦିରେ ‘ଗୁଣ୍ଡିଚା’ର ଉଲ୍ଲେଖ ଥିଲେ ମଧ୍ୟ ତାହା ଇନ୍ଦ୍ରଦ୍ୟୁମ୍ନଙ୍କ ରାଣୀଙ୍କର ନାମ ବୋଲି ଉଲ୍ଲେଖ ନାହିଁ । କିନ୍ତୁ ପରବର୍ତ୍ତୀକାଳୀନ ‘ଦେଉଳ ତୋଳା’ ପୋଥି ଆଦିର ଉଲ୍ଲେଖ ଓ କିଂବଦନ୍ତି ‘ଗୁଣ୍ଡିଚା’କୁ ରାଣୀଙ୍କ ନାମ ଭାବରେ ଲୋକବିଶ୍ୱାସରେ ପ୍ରତିଷ୍ଠିତ କରିଦେଇଛି ।